Site icon ଆଜିକାଲି

ନିଖୋଜ ଦୁଇ ଛାତ୍ରଙ୍କ ମୃତଦେହ ଫଟୋ ଭାଇରାଲ ପରେ ମଣିପୁରରେ ଉତ୍ତେଜନା, ପୋଲିସ ଲାଠିମାଡ଼ରେ ଅନେକ ଆହତ

ଇମ୍ଫାଲ: ଜୁଲାଇରୁ ନିଖୋଜ ଥିବା ଦୁଇ ଛାତ୍ରଙ୍କ ମୃତଦେହ ଫଟୋ ସୋସିଆଲ ମିଡିଆରେ ଭାଇରାଲ୍ ହେବା ପରେ ମଣିପୁରରେ ଉତ୍ତେଜନା ପ୍ରକାଶ ପାଇଛି । ଏହାର ପ୍ରତିବାଦରେ ଶତାଧିକ ଛାତ୍ର ଆଜି ରାଜଧାନୀ ଇମ୍ଫାଲରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ପୋଲିସ ଲାଠିମାଡ଼ରେ ଅନେକ ଛାତ୍ର ଆହତ ହୋଇଥିବା ଜଣାପଡ଼ିଛି । ରାଜ୍ୟର ସ୍ଥିତି ପୁଣି ବିଗିଡ଼ିବା ଆଶଙ୍କା ରହିଥିବା ବେଳେ ରାଜ୍ୟ ସରକାର ଲୋକମାନଙ୍କୁ ସଂଯମ ରକ୍ଷା‌‌ କରିବାକୁ ଅପିଲ କରିଛନ୍ତି । ସରକାର ଏହି ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି।

ସୋମବାର ବିଳମ୍ବିତ ରାତିରେ ମୁଖ୍ୟମନ୍ତ୍ରୀ ଏନ୍ ବିରେନ ସିଂଙ୍କ ସଚିବାଳୟ ଦ୍ବାରା ଜାରି ଏକ ବିବୃତ୍ତିରେ ରାଜ୍ୟ ସରକାର କହିଛନ୍ତି ଯେ ଏହି ମାମଲା କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ)କୁ ହସ୍ତାନ୍ତର କରାଯାଇଛି।

ମୃତ ଦୁଇ ଛାତ୍ର ଫିଜାମ ହେମଜିତ (୨୦) ଏବଂ ହିଜାମ ଲିନଥୋଇନଗାମ୍ବି (୧୭) ବୋଲି ଚିହ୍ନଟ କରାଯାଇଛି । ଉଭୟ ଜୁଲାଇରୁ ନିଖୋଜ ଥିଲେ।

ରାଜ୍ୟ ସରକାର କହିଛନ୍ତି, କେନ୍ଦ୍ରୀୟ ପୋଲିସ ଏଜେନ୍ସି ସହ ମିଳିତ ଭାବେ ମଣିପୁର ପୋଲିସ ଛାତ୍ର ନିଖୋଜ ଘଟଣାର ତଦନ୍ତ କରୁଛି ଓ ସେମାନଙ୍କ ହତ୍ୟାର ଷଡଯନ୍ତ୍ରକାରୀଙ୍କୁ ଚିହ୍ନଟ ପାଇଁ ଉଦ୍ୟମ ଜାରି ରଖିଛି । ଅଭିଯୁକ୍ତକୁ ଗିରଫ କରିବା ପାଇଁ ସୁରକ୍ଷା ବାହିନୀ ସର୍ଚ୍ଚ ଅପରେସନ ମଧ୍ୟ ଆରମ୍ଭ କରିଛି।

ନିଖୋଜ ଦୁଇ ଛାତ୍ରଙ୍କ ଫଟୋ ସୋମବାର ରାତିରେ ସୋସିଆଲ ମିଡିଆରେ ଆସିଥିଲା । ଏହି ଫଟୋଗୁଡ଼ିକ ମଧ୍ୟରୁ ଗୋଟିଏରେ ଛାତ୍ରମାନେ ଦୁଇଜଣ ସଶସ୍ତ୍ର ବ୍ୟକ୍ତିଙ୍କ ସହ ଥିବାବେଳେ ଅନ୍ୟ ଫଟୋରେ ସେମାନଙ୍କ ମୃତଦେହ ଦେଖିବାକୁ ମିଳିଥିଲା । ଜୁଲାଇ ୬ରୁ ଉଭୟ ଛାତ୍ର ନିଖୋଜ ଥିଲେ।

ପୋଲିସ ଏହା ପୂର୍ବରୁ କହିଥିଲା ଯେ ଉଭୟଙ୍କ କୌଣସି ପତ୍ତା ମିଳୁନି । ସେମାନଙ୍କ ମୋବାଇଲ୍ ଫୋନ୍ ମଧ୍ୟ ବନ୍ଦ ଥିଲା। ନିଖୋଜ ଛାତ୍ରଙ୍କ ଶେଷ ଲୋକେସନ ଚୁରାଚାନ୍ଦପୁର ଜିଲ୍ଲାର ଲମଦାନ ଥିଲା ।

Exit mobile version