Site icon ଆଜିକାଲି

ମଣିପୁର ଭାଇରାଲ ଭିଡିଓ ମାମଲାର ତଦନ୍ତ କରିବ ସିବିଆଇ

ନୂଆଦିଲ୍ଲୀ: ମଣିପୁର ଭାଇରାଲ ଭିଡିଓ ମାମଲାର ସିବିଆଇ ତଦନ୍ତ ହେବ । ଗୃହ ମନ୍ତ୍ରଣାଳୟ ସିବିଆଇକୁ ଏହି ମାମଲା ହସ୍ତାନ୍ତର କରିଛି । ଏହାଛଡ଼ା ଏହି ମାମଲାର ଶୁଣାଣି ରାଜ୍ୟ ବାହାରେ କରିବାକୁ ସୁପ୍ରିମକୋର୍ଟଙ୍କୁ ଅନୁରୋଧ କରିବ କେନ୍ଦ୍ର । ସରକାରୀ ସୂତ୍ରରୁ ପ୍ରକାଶ ଯେ ଯେଉଁ ମୋବାଇଲରୁ ଦୁଇ ମହିଳାଙ୍କୁ ନିର୍ବସ୍ତ୍ର କରି ବୁଲାଇବା ଭାଇରାଲ ଭିଡିଓ ସୁଟିଂ କରାଯାଇଥିଲା ତାହାକୁ ଜବତ କରାଯାଇଛି । ଏହି ଭିଡିଓ ସୁଟିଂ କରିଥିବା ବ୍ୟକ୍ତିଙ୍କୁ ମଧ୍ୟ ଗିରଫ କରାଯାଇଛି ।

ସୂଚନାନୁସାରେ, କେନ୍ଦ୍ର କୁକି ଏବଂ ମୈତେଇ ସମ୍ପ୍ରଦାୟର ସଦସ୍ୟଙ୍କ ସହ ଆଲୋଚନା ଜାରି ରଖିଛି । ପ୍ରତ୍ୟେକ ସମ୍ପ୍ରଦାୟ ସହିତ ୬ ରାଉଣ୍ଡ ଆଲୋଚନା ହୋଇଥିବା କୁହାଯାଇଛି। ଉଭୟ ମୈତେଇ ଏବଂ କୁକି ଗୋଷ୍ଠୀ ସହ ଯୋଗାଯୋଗରେ ଅଛି ଗୃହ ମନ୍ତ୍ରଣାଳୟ । ମଣିପୁରରେ ସ୍ୱାଭାବିକ ସ୍ଥିତି ଫେରାଇ ଆଣିବା ପାଇଁ ଆଲୋଚନା ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଏହି ଦୁଇ ସମ୍ପ୍ରଦାୟ ମଧ୍ୟରେ ଏକ ବଫର୍ ଜୋନ୍ ସୃଷ୍ଟି କରାଯାଇଛି । ମଣିପୁରରେ ୩୫,୦୦୦ ଅତିରିକ୍ତ ଫୋର୍ସ ମୁତୟନ କରାଯାଇଛି । ଜୁଲାଇ ୧୮ ପରେ ରାଜ୍ୟରେ କୌଣସି ବଡ଼ ହିଂସା ଘଟଣା ଘଟିନାହିଁ। ମଣିପୁର ଉପରେ ପ୍ରଧାନମନ୍ତ୍ରୀ ମୋଦୀ ନଜର ରଖିଛନ୍ତି। ଔଷଧ ଏବଂ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀର କୌଣସି ଅଭାବ ନାହିଁ | ଖାଦ୍ୟ ଏବଂ ଅତ୍ୟାବଶ୍ୟକ ସାମଗ୍ରୀର ମୂଲ୍ୟ ନିୟନ୍ତ୍ରଣରେ ଅଛି । ବହୁ ସଂଖ୍ୟକ ସରକାରୀ କର୍ମଚାରୀ କାମକୁ ଫେରୁଛନ୍ତି ଏବଂ ସ୍କୁଲ୍ ମଧ୍ୟ ଖୋଲିଛି ବୋଲି ଗୃହ ମନ୍ତ୍ରଣାଳୟ କହିଛି ।

Exit mobile version