Site icon ଆଜିକାଲି

‘ଆଦିପୁରୁଷ’ ବିବାଦ ସତ୍ତ୍ବେ ମନୋଜ ମୁନ୍ତାଶିର ହେଲେ ଆଇଏଫ୍ଏଫ୍ଆଇ ସଦସ୍ୟ, ସରକାରଙ୍କ ନିଷ୍ପତ୍ତିକୁ ଲୋକଙ୍କ ଭର୍ତ୍ସନା

ନୂଆଦିଲ୍ଲୀ: ଫିଲ୍ମ ‘ଆଦିପୁରୁଷ’କୁ ନେଇ ବିବାଦ ମଧ୍ୟରେ ଏହାର ଲେଖକ ତଥା ସଂଳାପକାର ମନୋଜ ମୁନ୍ତାଶିରଙ୍କୁ ଗୋଆରେ ହେବାକୁ ଥିବା ଅନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବ (ଆଇଏଫ୍ଏଫ୍ଆଇ) ପାଇଁ କମିଟି ସଦସ୍ୟ ଭାବେ ମନୋନୀତ କରିଛି ସୂଚନା ଏବଂ ପ୍ରସାରଣ ମନ୍ତ୍ରାଳୟ । ‘ଆଦିପୁରୁଷ’ର କିଛି ସଂଳାପ ଉପରେ ଦର୍ଶକ ଆପତ୍ତି ଉଠାଇଛନ୍ତି । ଏଥିପାଇଁ ମନୋଜ ମୁନ୍ତାଶିର ସମାଲୋଚନାର ପାତ୍ର ହୋଇଛନ୍ତି । ଏଭଳି ପରିସ୍ଥିତିରେ ତାଙ୍କୁ ଆଇଏଫ୍ଏଫ୍ଆଇ ସଦସ୍ୟ ଭାବେ ମନୋନୀତ କରିବା ନିଷ୍ପତ୍ତିକୁ ଲୋକେ ନାପସନ୍ଦ କରିଛନ୍ତି | ସୋସିଆଲ ମିଡିଆରେ ଏନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି |

ଟ୍ୱିଟରରେ ଏହି ଖବର ସେୟାର କରି ଶିବସେନା ନେତ୍ରୀ ପ୍ରିୟଙ୍କା ଚତୁର୍ବେଦୀ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ସେ ଲେଖିଛନ୍ତି, “ ଆମ ଭଗବାନଙ୍କୁ ବଦନାମ କରିବା, ପବିତ୍ର ଗ୍ରନ୍ଥ ରାମାୟଣକୁ ଅସମ୍ମାନ କରିବା, ଏହି ମହାକାବ୍ୟକୁ ବିକୃତ କରିବା ପାଇଁ ମନୋଜ ମୁନ୍ତାଶିରଙ୍କୁ ପୁରସ୍କୃତ କରିଛି ସୂଚନା ଓ ପ୍ରସାରଣ ମନ୍ତ୍ରାଳୟ । ମୁଖ୍ୟମନ୍ତ୍ରୀ ଏବଂ ମନ୍ତ୍ରୀ ରୂପରେ ଆମ ଗହଣରେ କେତେ କପଟୀ ରାମ ଭକ୍ତ ଅଛନ୍ତି | ସେମାନେ ସୁବିଧାବାଦୀ ଯେଉଁମାନେ ବ୍ୟକ୍ତିଗତ ଏବଂ ରାଜନୈତିକ ଲାଭ ପାଇଁ ପ୍ରଭୁ ରାମଙ୍କ ନାମ ନିଅନ୍ତି | ସେମାନଙ୍କ ଭକ୍ତି ମିଛ।

ଉଲ୍ଲେଖଯୋଗ୍ୟ ଯେ ମନୋଜ ମୁନ୍ତାଶିରଙ୍କ ବ୍ୟତୀତ ‘କେରଳ ଷ୍ଟୋରୀ’ର ନିର୍ମାତା ବିପୁଲ ଶାହାଙ୍କୁ ମଧ୍ୟ ଆଇଏଫ୍ଏଫ୍ଆଇ ସଦସ୍ୟ ଭାବେ ମନୋନୀତ କରାଯାଇଛି । ଲୋକେ ତାଙ୍କୁ ମଧ୍ୟ କଟାକ୍ଷ କରିଛନ୍ତି।

ପ୍ରଭାସ ଅଭିନୀତ ଚଳଚ୍ଚିତ୍ର ‘ଆଦିପୁରୁଷ’କୁ ନେଇ ବିବାଦ ଥମୁନି । କିଛି ଚରିତ୍ରଙ୍କ ଆପତ୍ତିଜନକ ସଂଳାପ ଲୋକଙ୍କ ଧାର୍ମିକ ଭାବନାକୁ ଆଘାତ ଦେଇଥିବା ଅଭିଯୋଗ ହୋଇଛି।

ବିବାଦ ସତ୍ତ୍ୱେ ‘ଆଦିପୁରୁଷ’ ରବିବାର ପର୍ଯ୍ୟନ୍ତ ଭଲ ବ୍ୟବସାୟ କରିଥିଲା। ତେବେ ସୋମବାର ଠାରୁ ଫିଲ୍ମର ଆୟରେ ପ୍ରାୟ ୭୦% ହ୍ରାସ ରେକର୍ଡ କରାଯାଇଛି ।

ମୁନ୍ତାଶିର ରବିବାର ଟ୍ୱିଟରରେ ଏକ ଲମ୍ବା ପୋଷ୍ଟ ସେୟାର କରି କହିଛନ୍ତି ଯେ ‘ଆଦିପୁରୁଷ’ ଟିମ୍ ଲୋକଙ୍କ ଭାବନାକୁ ଦୃଷ୍ଟିରେ ରଖି କିଛି ସଂଳାପ ସଂଶୋଧନ କରିବାକୁ ନିଷ୍ପତ୍ତି ନେଇଛି ।

Exit mobile version