Site icon ଆଜିକାଲି

ମାର୍କ ବାଉଚର ମୁମ୍ବାଇ ଇଣ୍ଡିଆନ୍ସର ନୂଆ ମୁଖ୍ୟ କୋଚ୍

ମୁମ୍ବାଇ : ଆଇପିଏଲ୍-୧୫ରେ ନିରାଶାଜନକ ପ୍ରଦର୍ଶନ ପରେ ମୁମ୍ବାଇ ଇଣ୍ଡିଆନ୍ସ ଦଳରେ ବଡ଼ ପରିବର୍ତ୍ତନ କରାଯାଇଛି | ମୁମ୍ବାଇ ଇଣ୍ଡିଆନ୍ସ ଦକ୍ଷିଣ ଆଫ୍ରିକାର ପୂର୍ବତନ ୱିକେଟ୍ କିପର ବ୍ୟାଟ୍ସମ୍ୟାନ୍ ମାର୍କ ବାଉଚରଙ୍କୁ ଦଳର ନୂଆ ମୁଖ୍ୟ କୋଚ୍ ଭାବେ ନିଯୁକ୍ତ କରିଛି। ମାହେଲା ଜୟବର୍ଦ୍ଧନେଙ୍କ ସ୍ଥାନ ନେବେ ବାଉଚର । ମାର୍କ ବାଉଚର ସମ୍ପ୍ରତି ଦକ୍ଷିଣ ଆଫ୍ରିକା ଜାତୀୟ ଦଳର କୋଚ୍ ରହିଛନ୍ତି। ତେବେ ଆସନ୍ତା ମାସରୁ ଆରମ୍ଭ ହେଉଥିବା ଟି-୨୦ ବିଶ୍ୱକପ ପରେ ସେ ଦକ୍ଷିଣ ଆଫ୍ରିକା ଦଳର କୋଚ୍ ପଦରୁ ଇସ୍ତଫା ଦେବେ ବୋଲି ଘୋଷଣା କରିଥିଲେ

ଏହା ପୂର୍ବରୁ ଚର୍ଚ୍ଚା ହୋଇଥିଲା ଯେ ମାର୍କ ବାଉଚର ଦକ୍ଷିଣ ଆଫ୍ରିକାର ଟି-୨୦ ଲିଗରେ ମୁମ୍ବାଇ ଇଣ୍ଡିଆନ୍ସ ମାଲିକାନା ଦଳ ଏମ୍ଆଇ କେପଟାଉନର ମୁଖ୍ୟ କୋଚ୍ ହୋଇପାରନ୍ତି। କିନ୍ତୁ ମୁମ୍ବାଇ ଇଣ୍ଡିଆନ୍ସ ସାଇମନ୍ କ୍ୟାଟିଚଙ୍କୁ ଏମଆଇ କେପଟାଉନ ଦଳର ମୁଖ୍ୟ କୋଚ୍ ଭାବେ ନିଯୁକ୍ତ କରିଥିଲେ। ଏହା ପରେ ମାର୍କ ବାଉଚର୍ ଆଇପିଏଲରେ ମୁମ୍ବାଇ ଇଣ୍ଡିଆନ୍ସର ମୁଖ୍ୟ କୋଚ୍ ହେବା ନେଇ କଳ୍ପନା ଜଳ୍ପନା ପ୍ରକାଶ ପାଇଥିଲା ।

ମୁମ୍ବାଇ ଇଣ୍ଡିଆନ୍ସ ସେମାନଙ୍କ ସେଟଅପ୍ ରେ ଅନେକ ବଡ ପରିବର୍ତ୍ତନ କରିଛି | ଆଇପିଏଲ ବ୍ୟତୀତ ମୁମ୍ବାଇ ଇଣ୍ଡିଆନ୍ସ ଦକ୍ଷିଣ ଆଫ୍ରିକା ଏବଂ ୟୁଏଇରେ ଅନୁଷ୍ଠିତ ହେବାକୁ ଥିବା ଟି-୨୦ ଲିଗରେ ଦଳ କିଣିଛି। ଏହି କାରଣରୁ ମାହେଲା ଜୟବର୍ଦ୍ଧନେଙ୍କୁ ଗ୍ଲୋବାଲ ହେଡ୍ ଅଫ୍ ପର୍ଫର୍ମାନ୍ସ ଦାୟିତ୍ବ ଦିଆଯାଇଛି। ଅନ୍ୟପକ୍ଷରେ ଜାହିର ଖାନଙ୍କୁ କ୍ରିକେଟ୍ ଅପରେସନ୍ସର ନିର୍ଦ୍ଦେଶକ ଭାବରେ ମଧ୍ୟ ନିଯୁକ୍ତ କରାଯାଇଛି।

ମାହେଲା ଜୟବର୍ଦ୍ଧନେ ୨୦୧୭ ଠାରୁ ମୁମ୍ବାଇ ଇଣ୍ଡିଆନ୍ସର ମୁଖ୍ୟ କୋଚ୍ ଥିଲେ । ତାଙ୍କ ତତ୍ତ୍ଵାବଧାନରେ ଦଳ ତିନିଥର ଆଇପିଏଲ୍ ବିଜେତା ହୋଇଥିଲା। ତେବେ ଗତ ଦୁଇ ସିଜନରେ ମୁମ୍ବାଇ ଇଣ୍ଡିଆନ୍ସ ଦଳର ପ୍ରଦର୍ଶନ ନିରାଶାଜନକ ରହିଥିଲା । ଏଭଳି ସ୍ଥଳେ ନୂଆ ମୁଖ୍ୟ କୋଚ୍ ମାର୍କ ବାଉଚରଙ୍କ ସାମ୍ନାରେ ବଡ଼ ଚ୍ୟାଲେଞ୍ଜ ରହିଛି।

Exit mobile version