Site icon ଆଜିକାଲି

କର୍ଣ୍ଣାଟକରେ ଘୃଣାର ବଜାର ବନ୍ଦ ହୋଇଛି, ପ୍ରେମର ଦୋକାନ ଖୋଲିଛି: ରାହୁଲ ଗାନ୍ଧୀ

ନୂଆଦିଲ୍ଲୀ: କର୍ଣ୍ଣାଟକ ବିଧାନସଭା ନିର୍ବାଚନରେ କଂଗ୍ରେସର ବଡ଼ ବିଜୟ ପରେ ଦଳର ନେତା ରାହୁଲ ଗାନ୍ଧୀଙ୍କ ପ୍ରତିକ୍ରିୟା ଆସିଛି । କଂଗ୍ରେସ ଉପରେ ଆସ୍ଥା ପ୍ରକଟ କରିଥିବାରୁ ରାହୁଲ କର୍ଣ୍ଣାଟକବାସୀ, ଦଳୀୟ କର୍ମୀ ଏବଂ କର୍ଣ୍ଣାଟକରେ କାର୍ଯ୍ୟ କରୁଥିବା ସମସ୍ତ ନେତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ରାହୁଲ କହିଛନ୍ତି କଂଗ୍ରେସ ଦଳ କର୍ଣ୍ଣାଟକରେ ପୁଞ୍ଜିପତିଙ୍କ ଶୋଷଣର ଶିକାର ହେଉଥିବା ଗରିବ ଲୋକଙ୍କ ସହ ଠିଆ ହୋଇଥିଲା । ଗରିବଙ୍କ ଶକ୍ତି ଆଗରେ ହାର୍ ମାନିଛି କ୍ଷମତା । କର୍ଣ୍ଣାଟକରେ ଘୃଣାର ବଜାର ବନ୍ଦ ହୋଇଛି, ପ୍ରେମର ଦୋକାନ ଖୋଲିଛି | କଂଗ୍ରେସର ପୂର୍ବତନ ସଭାପତି କହିଛନ୍ତି ପ୍ରଥମ କ୍ୟାବିନେଟରେ ପ୍ରଥମ ଦିନରେ ହିଁ ଆମେ ୫ଟି ପ୍ରତିଶ୍ରୁତି ପୂରଣ କରିବୁ |

ଭୋଟ୍ ଗଣତିର ଟ୍ରେଣ୍ଡ ଅନୁଯାୟୀ ଅପରାହ୍ନ ୨:୩୦ ସୁଦ୍ଧା ମୋଟ ୨୨୪ଟି ଆସନ ମଧ୍ୟରୁ କଂଗ୍ରେସ ୧୩୭ଟି ଆସନରେ ଆଗୁଆ ରହିଛି। ଅନ୍ୟପକ୍ଷରେ ବିଜେପି ୬୨ଟି ଆସନରେ ଆଗରେ ରହିଛି। ୨୧ଟି ଆସନରେ ଅଗ୍ରଣୀ ରହିଛି ଜେଡିଏସ୍ | ରାଜ୍ୟରେ ସରକାର ଗଢ଼ିବାକୁ ମ୍ୟାଜିକ୍ ନମ୍ବର ହେଉଛି ୧୧୩।

କଂଗ୍ରେସ ନେତା ଜୟରାମ ରମେଶ କର୍ଣ୍ଣାଟକ ବିଧାନସଭା ନିର୍ବାଚନରେ ଦଳର ବିଜୟକୁ ଲୋକଙ୍କ ଆଶୀର୍ବାଦ ବୋଲି କହିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ‘ଡବଲ୍ ଇଞ୍ଜିନ୍ ସରକାର’ କଥା କହୁଛନ୍ତି, କିନ୍ତୁ ସାଧାରଣ ଲୋକ କାମକୁ ଗୁରୁତ୍ୱ ଦେଇଛନ୍ତି | କର୍ଣ୍ଣାଟକରେ ବିଜୟ କଂଗ୍ରେସ ପାଇଁ ସଞ୍ଜୀବନୀ ସଦୃଶ ହୋଇଛି ବୋଲି ରମେଶ କହିଛନ୍ତି ।

ଅନ୍ୟପକ୍ଷରେ କଂଗ୍ରେସ ନେତା ରଣଦୀପ ସିଂ ସୁରଜେୱାଲା କହିଛନ୍ତି ଯେ କର୍ଣ୍ଣାଟକରେ ପ୍ରେମର ଦୋକାନ ଖୋଲିସାରିଛି। ସତ୍ୟର ବିଜୟ ହୋଇଛି | ପ୍ରଗତିର ବିଜୟ ହୋଇଛି | ଆତ୍ମ ସମ୍ମାନ ଜିତିଛି |

Exit mobile version