Site icon ଆଜିକାଲି

ଡାକ୍ତରୀ ଛାତ୍ରଛାତ୍ରୀଙ୍କ ପାଇଁ ନୂଆ ନିୟମ, ଆଡମିଶନ ଠାରୁ ୯ ବର୍ଷ ମଧ୍ୟରେ ଶେଷ କରିବାକୁ ହେବ ଏମବିବିଏସ୍ କୋର୍ସ

ନୂଆଦିଲ୍ଲୀ: ଜାତୀୟ ଭେଷଜ ଆୟୋଗ (ଏନ୍ଏମସି)ର ନୂଆ ନିୟମ ଅନୁଯାୟୀ, ଏଣିକି ଏମବିବିଏସ୍ ଛାତ୍ରଛାତ୍ରୀ ମାନଙ୍କୁ ଆଡମିଶନ ତାରିଖ ଠାରୁ ୯ ବର୍ଷ ମଧ୍ୟରେ ନିଜ କୋର୍ସ ଶେଷ କରିବାକୁ ପଡିବ । ପ୍ରଥମ ବର୍ଷ ପରୀକ୍ଷା ପାସ୍ କରିବାକୁ କେବଳ ଚାରିଟି ପ୍ରୟାସ ଦିଆଯିବ।

ନୂଆ ଗ୍ରାଜୁଏଟ୍ ମେଡିକାଲ୍ ଏଜୁକେସନ୍ ରେଗୁଲେସନ୍ ୨୦୨୩ ତଥା ଜିଏମ୍ଇଆର-୨୩ରେ ନିୟମ ଅନୁଯାୟୀ, ନିଟ୍-ୟୁଜି ମେରିଟ୍ ତାଲିକା ଆଧାରରେ ଦେଶର ସମସ୍ତ ମେଡିକାଲ୍ ଶିକ୍ଷାନୁଷ୍ଠାନରେ ସ୍ନାତକ ପାଠ୍ୟକ୍ରମରେ ଆଡମିଶନ ପାଇଁ ଏକ ସାଧାରଣ କାଉନସେଲିଂ ହେବ ।

ଜୁନ୍ ୨ରେ ଏକ ଗେଜେଟ୍ ବିଜ୍ଞପ୍ତିରେ ଏନଏମସି କହିଛି ଯେ କୌଣସି ପରିସ୍ଥିତିରେ ଜଣେ ଛାତ୍ରଙ୍କୁ ପ୍ରଥମ ବର୍ଷ (ଏମବିବିଏସ) ପାଇଁ ଚାରିରୁ ଅଧିକ ପ୍ରୟାସ ଦିଆଯିବ ନାହିଁ । ଏହାଛଡ଼ା ଆଡମିଶନ ତାରିଖ ଠାରୁ ୯ ବର୍ଷ ପରେ କୌଣସି ଛାତ୍ରୀଙ୍କୁ ସ୍ନାତକ ଡାକ୍ତରୀ କୋର୍ସ ଜାରି ରଖିବାକୁ ଅନୁମତି ମିଳିବ ନାହିଁ।

ବାଧ୍ୟତାମୂଳକ ରୋଟେଟିଂ ମେଡିକାଲ ଇଣ୍ଟର୍ନସିପ୍ ନିୟମାବଳୀ, ୨୦୨୧ ଅନୁଯାୟୀ ସ୍ନାତକୋତ୍ତର ଡାକ୍ତରୀ ଶିକ୍ଷା କାର୍ଯ୍ୟକ୍ରମରେ ଭର୍ତ୍ତି ହୋଇଥିବା ଜଣେ ଛାତ୍ର ତାଙ୍କର ‘ରୋଟେଟିଂ ମେଡିକାଲ ଇଣ୍ଟର୍ନସିପ୍’ ଶେଷ ନକରିବା ପର୍ଯ୍ୟନ୍ତ ତାଙ୍କ ଗ୍ରାଜୁଏସନ୍ କୋର୍ସ୍ ଶେଷ ବୋଲି ଧରାଯିବ ନାହିଁ ।

Exit mobile version