Site icon ଆଜିକାଲି

ବିଶ୍ୱ ବ୍ୟାଡମିଣ୍ଟନ ଚାମ୍ପିଅନସିପରେ ପଦକ ନିଶ୍ଚିତ କଲେ ପୁରୁଷ ଡବଲ୍ସ ଯୋଡି ସାତ୍ତ୍ୱିକ-ଚିରାଗ

ଟୋକିଓ: ଭାରତର ଷ୍ଟାର୍ ପୁରୁଷ ଡବଲ୍ସ ଯୋଡି ସାତ୍ତ୍ୱିକସାଇରାଜ ରଙ୍କିରେଡ୍ଡୀ ଏବଂ ଚିରାଗ ଶେଟ୍ଟୀ ବିଶ୍ୱ ବ୍ୟାଡମିଣ୍ଟନ ଚାମ୍ପିଅନସିପରେ ପଦକ ନିଶ୍ଚିତ କରି ଇତିହାସ ରଚିଛନ୍ତି । ଶୁକ୍ରବାର କ୍ୱାର୍ଟର ଫାଇନାଲରେ ସାତ୍ତ୍ୱିକ-ଚିରାଗ ଦୁଇ ନମ୍ବର ଜାପାନୀ ଯୋଡି ଟାକୁରୋ ହୋକି ଏବଂ ୟୁଗୋ କୋବାୟାଶିଙ୍କୁ ପରାସ୍ତ କରି ସେମିଫାଇନାଲରେ ପ୍ରବେଶ କରିଛନ୍ତି । ଏଥସହ ସାତ୍ତ୍ୱିକ-ଚିରାଗ ଭାରତର ପ୍ରଥମ ପୁରୁଷ ଡବଲ୍ସ ଯୋଡ଼ି ଭାବେ ବିଶ୍ୱ ବ୍ୟାଡମିଣ୍ଟନ ଚାମ୍ପିଅନସିପରେ ପଦକ ପକ୍କା କରିଛନ୍ତି।

ରାଜ୍ୟଗୋଷ୍ଠୀ କ୍ରୀଡ଼ା ସ୍ୱର୍ଣ୍ଣ ପଦକ ବିଜେତା ତଥା ବିଶ୍ବର ୭ ନମ୍ବର ଭାରତୀୟ ଯୋଡି ଟୁର୍ଣ୍ଣାମେଣ୍ଟର ଅନ୍ୟତମ ଟାଇଟଲ ଦାବିଦାର ଜାପାନୀ ଯୋଡି ଓ ଡିଫେଣ୍ଡିଂ ଚାମ୍ପିଅନଙ୍କୁ ଏକ ଘଣ୍ଟା ଧରି ୧୫ ମିନିଟ୍ ଧରି ଚାଲିଥିବା କ୍ବାର୍ଟର ଫାଇନାଲରେ ୨୪-୨୨, ୧୫-୨୧, ୨୧-୧୪ରେ ହରାଇଥିଲେ । ବିଶ୍ୱ ଚାମ୍ପିଅନସିପ ଡବଲ୍ସରେ ଏହା ହେଉଛି ଭାରତର ଦ୍ୱିତୀୟ ପଦକ | ଏହାପୂର୍ବରୁ ଜ୍ବାଲା ଗୁଟ୍ଟା ଏବଂ ଅଶ୍ୱିନୀ ପୋନ୍ନାପ୍ପାଙ୍କ ଯୋଡି ୨୦୧୧ରେ ମହିଳା ଡବଲ୍ସରେ ପଦକ ଜିତିଥିଲେ। ତେବେ ଭାରତର ଆଉ ଏକ ପୁରୁଷ ଡବଲ୍ସ ଯୋଡ଼ି ଏମଆର ଅର୍ଜୁନ ଏବଂ ଧ୍ରୁବ କପିଳଙ୍କ ଅଭିଯାନ ଶେଷ ହୋଇଯାଇଛି । ପୁରୁଷ ଡବଲ୍ସ କ୍ୱାର୍ଟର ଫାଇନାଲରେ ଅର୍ଜୁନ-କପିଳ ଇଣ୍ଡୋନେସିଆର ତିନିଥର ସ୍ୱର୍ଣ୍ଣ ପଦକ ବିଜେତା ଯୋଡି ମହମ୍ମଦ ଅହସାନ ଏବଂ ହେନ୍ଦ୍ର ସେଟିଆୱାନଙ୍କ ଠାରୁ ୮-୨୧, ୧୪-୨୧ରେ ହାରିଯାଇଥିଲେ । ଭାରତୀୟ ଯୋଡି ଏହା ପୂର୍ବରୁ ଅଷ୍ଟମ ମଞ୍ଜି କିମ ଆଷ୍ଟ୍ରୁପ ଏବଂ ଦ୍ୱିତୀୟ ରାଉଣ୍ଡରେ ଡେନମାର୍କର ଆଣ୍ଡର୍ସ ସ୍କାରପ ରାସମୁସେନଙ୍କୁ ପରାସ୍ତ କରିଥିଲେ।

Exit mobile version