Site icon ଆଜିକାଲି

ମେସି ଶ୍ରେଷ୍ଠ ପୁରୁଷ ଓ ଆଲେକ୍ସିଆ ଶ୍ରେଷ୍ଠ ମହିଳା ଖେଳାଳି

ପ୍ୟାରିସ : ପ୍ୟାରିସରେ ଆୟୋଜିତ ଫିଫା ବାର୍ଷିକ ପୁରସ୍କାର ଉତ୍ସବରେ ଆର୍ଜେଣ୍ଟିନା ତାରକା ଲିଓନେଲ ମେସିଙ୍କୁ ଶ୍ରେଷ୍ଠ ପୁରୁଷ ଖେଳାଳି ପୁରସ୍କାର ମିଳିଥିଲା। ମେସି ଫ୍ରାନ୍ସର କିଲିଆନ୍‌ ଏମ୍‌ବାପେ ଓ କରିମ ବେଞ୍ଜେମାଙ୍କୁ ପଛରେ ପକାଇ ୧୪ ବର୍ଷରେ ସପ୍ତମ ଥର ଲାଗି ଏହି ପୁରସ୍କାର ପାଇଥି‌ଲେ। ଗତ ଡିସେମ୍ବରରେ ଲିଓନେଲ ମେସିଙ୍କ ନେତୃତ୍ବରେ ଆର୍ଜେଣ୍ଟିନା ୩୬ ବର୍ଷ ପରେ ବିଶ୍ବକପ୍ ତୋଳି ଧରିବାର ଗୌରବ ପାଇଥିଲା। ଏହି ଐତିହାସକ ସଫଳତା ପାଇଥିବା ଆର୍ଜେଣ୍ଟିନା ଦଳର ସଦସ୍ୟ ଥିବା ଲିଓନେଲ ସ୍କାଲୋନି ଶ୍ରେଷ୍ଠ ପ୍ରଶିକ୍ଷକ ଏବଂ ଏମିଲାନୋ ମାର୍ଟିନେଜ ଶ୍ରେଷ୍ଠ ଗୋଲ୍‌କିପର ପୁରସ୍କାର କରାୟତ୍ତ କରିଥିଲେ।

ସେହିପରି ସ୍ପେନ୍‌ ମିଡ୍‌ଫିଲଡର ଆଲେକ୍ସିଆ ପୁତେଲାସଙ୍କୁ ଶ୍ରେଷ୍ଠ ମହିଳା ଖେଳାଳି ପୁରସ୍କାର ମିଳିଥିଲା। ସେ ଲଗାତାର ଦ୍ବିତୀୟଥର ଏହି ପୁରସ୍କାର ପାଇଥିଲେ। ଇଂଲଣ୍ଡର ମେରି ଏରାପ୍ସ ଶ୍ରେଷ୍ଠ ମହିଳା ଗୋଲ୍‌କିପର ପୁରସ୍କାର କରାୟତ୍ତ କରିଥିଲେ। ଶ୍ରେଷ୍ଠ ପ୍ରଶିକ୍ଷକ ପୁରସ୍କାର ମହିଳା ୟୁରୋପିଆନ୍‌ ଚାମ୍ପିଅନ୍‌ସିପ୍‌ ବିଜେତା ଇଂଲଣ୍ଡ ଦଳର ସାରିନା ୱିଗମାନଙ୍କୁ ମିଳିଥିଲା। ଫିଫା ପୁସ୍କକାସ ପୁରସ୍କାର ପୋଲାଣ୍ଡର ମାର୍ସିନ ଓଲେକ୍‌ସିଙ୍କୁ, ଫେୟାର ପ୍ଲେ ପୁରସ୍କାର କ୍ରିମୋନିଜ ଡିଫେଣ୍ଡର ଲୁକା ଲୋଚୋସଭିଲିଙ୍କୁ ମିଳିଥିଲା। ଫିଫା ପ୍ରଶଂସକ ପୁରସ୍କାର ଆର୍ଜେଣ୍ଟିନାର ୮୨ ବର୍ଷୀୟ କାଲୋସ ତୁଲା ପାଇଥିଲେ। ତୁଲା ୧୯୭୪ରୁ ପ୍ରତ୍ୟେକ ବିଶ୍ବକପ୍‌ରେ ଷ୍ଟାଡିୟମରେ ଉପସ୍ଥିତ ରହୁଛନ୍ତି।

Exit mobile version