Site icon ଆଜିକାଲି

ଏଣିକି ନିୟନ୍ତ୍ରିତ ହେବ ବର୍ଷା, ରୋକି ହେବ ବଜ୍ରପାତ

CREATOR: gd-jpeg v1.0 (using IJG JPEG v62), quality = 82

ନୂଆଦିଲ୍ଲୀ: ଏଣିକି ଆବଶ୍ୟକତା ଅନୁସାରେ ବର୍ଷାକୁ ନିୟନ୍ତ୍ରଣ କରାଯିବା ସହିତ ଅତ୍ୟଧିକ ବର୍ଷାକୁ ରୋକି ହେବ। ଆଉ ବର୍ଷା ହେଉ ନଥିବା ସ୍ଥାନରେ ମଧ୍ୟ ବର୍ଷା କରାଇ ହେବ। କେବଳ ସେତିକି ନୁହେଁ , କିଛି ଅଞ୍ଚଳରେ ବଜ୍ରପାତ ମଧ୍ୟ ରୋକାଯାଇପାରିବ। ଏଭଳି ବିଷୟ ଅସମ୍ଭବ ଲାଗୁଥିଲେ ବି ଏହାକୁ ସମ୍ଭବ କରିବାକୁ ଯାଉଛନ୍ତି ଭାରତୀୟ ପାଣିପାଗ ବୈଜ୍ଞାନିକ। ଆସନ୍ତା ୫ ବର୍ଷ ମଧ୍ୟରେ ଭାରତୀୟ ପାଣିପାଗ ବୈଜ୍ଞାନିକମାନେ କିଛି ଚମତ୍କାର ଦେଖାଇବାକୁ ଯାଉଛନ୍ତି ବୋଲି କେନ୍ଦ୍ର ସରକାରଙ୍କ ପକ୍ଷରୁ ଆରମ୍ଭ କରାଯାଇଥିବା ମିଶନ ମୌସମ ସମ୍ପର୍କରେ ବିଶେଷ ତଥ୍ୟ ରଖି ଭୂ-ବିଜ୍ଞାନ ମନ୍ତ୍ରାଳୟ ସଚିବ ଏମ ରବିଚନ୍ଦ୍ରନ ଏହା କହିଛନ୍ତି।

ସେ କହିଛନ୍ତି ଯେ, ବୈଜ୍ଞାନିକମାନେ ଜଳବାୟୁ ଏବଂ ପାଣିପାଗକୁ ନେଇ ଏକ ନୂତନ ବୈଷୟିକ ଦିଗର ଆବିଷ୍କାର କରିଛନ୍ତି। ଏହି ବୈଷୟିକ ବିଦ୍ୟା ପ୍ରୟୋଗରେ କେବଳ ବର୍ଷା ନୁହେଁ, କୁଆପଥର ବୃଷ୍ଟି ଏବଂ ବଜ୍ରପାତକୁ ମଧ୍ୟ ରୋକାଯାଇ ପାରିବ। ଏହି ପ୍ରକଳ୍ପ ମାଧ୍ୟମରେ ଏବେ କୃତ୍ରିମ ବର୍ଷା ବୃଦ୍ଧି ଏବଂ ହ୍ରାସ ପାଇଁ ପ୍ରାରମ୍ଭିକ ପରୀକ୍ଷା କରାଯିବ। ଏଥିପାଇଁ ଲ୍ୟାବ୍ ସିମୁଲେସନ୍ (କ୍ଲାଉଡ୍ ଚାମ୍ବର) ଆସନ୍ତା ଦେଢ଼ ବର୍ଷ ମଧ୍ୟରେ ପ୍ରସ୍ତୁତ କରାଯିବ। କିନ୍ତୁ କୃତ୍ରିମ ପାଣିପାଗ ବଳୟ ସୃଷ୍ଟି କରିବା କିମ୍ବା ପରିବର୍ତ୍ତନ ଆଣିବା ପାଇଁ ପାଞ୍ଚ ବର୍ଷ ସମୟ ଲାଗିବ ବୋଲି ସେ କହିଛନ୍ତି। ଏହାବ୍ୟତୀତ ମିଶନ ମୌସମ ପ୍ରକଳ୍ପ ମାଧ୍ୟମରେ ବୈଜ୍ଞାନିକମାନେ ବର୍ତ୍ତମାନ ପ୍ରଚଳିତ ପାଣିପାଗ ପୂର୍ବାନୁମାନ ପଦ୍ଧତିରେ ମଧ୍ୟ ଉନ୍ନତି ଆଣିବା ନେଇ କାର୍ଯ୍ୟ କରିବେ। ଯାହାଦ୍ବାରା ବିଭିନ୍ନ ସମୟରେ ଆସୁଥିବା ପ୍ରାକୃତିକ ବିପର୍ଯ୍ୟୟ ସମ୍ପର୍କରେ ଯଥେଷ୍ଟ ପୂର୍ବରୁ ସୂଚନା ମିଳିପାରିବ ବୋଲି ରବିଚନ୍ଦ୍ରନ କହିଛନ୍ତି। ସେହିପରି ପାଣିପାଗ ବିଭାଗ ଏବଂ ଭୂବିଜ୍ଞାନ ମନ୍ତ୍ରଣାଳୟ ଅଧୀନରେ କାର୍ଯ୍ୟ କରୁଥିବା ଅନ୍ୟାନ୍ୟ ଅନୁଷ୍ଠାନ ସହଯୋଗରେ ‘ମୌସମ ଜିପିଟି’ (ଚାଟ୍‌ ଜିପିଟି)ଭଳି ପ୍ରୟୋଗ କ୍ରିୟା ମଧ୍ୟ ଆରମ୍ଭ କରିବାକୁ ଯୋଜନା କରାଯାଇଛି।

Exit mobile version