Site icon ଆଜିକାଲି

ମୌସୁମୀ ଅଧିବେଶନରେ ସମାନ ନାଗରିକ ସଂହିତା ବିଲ୍ ଆଣିବାକୁ ମୋଦୀ ସରକାରଙ୍କ ପ୍ରସ୍ତୁତି

ନୂଆଦିଲ୍ଲୀ: ୟୁନିଫର୍ମ ସିଭିଲ କୋଡ୍ (ୟୁସିସି) ବା ସମାନ ନାଗରିକ ସଂହିତା ନେଇ କେନ୍ଦ୍ର ସରକାର ଏକ ବଡ଼ ପଦକ୍ଷେପ ନେବାକୁ ଯାଉଛନ୍ତି। ସଂସଦର ଆଗାମୀ ମୌସୁମୀ ଅଧିବେଶନରେ ୟୁସିସି ଉପରେ ବିଲ୍ ଆଣିବାକୁ ମୋଦୀ ସରକାର ପ୍ରସ୍ତୁତ ହେଉଥିବା ଜଣାପଡ଼ିଛି । ଏହି ଅଧିବେଶନରେ ସଂସଦରେ ସମାନ ନାଗରିକ ସଂହିତା ବିଲ୍ ଆଗତ କରାଯବ ବୋଲି ସୂତ୍ରରୁ ପ୍ରକାଶ। ଏହି ବିଲ୍ ସଂସଦୀୟ କମିଟି ନିକଟକୁ ମଧ୍ୟ ପଠାଯିବା ସମ୍ଭାବନା ରହିଛି । ୨୦୨୪ ନିର୍ବାଚନ ପୂର୍ବରୁ ଏହାକୁ ବିଜେପିର ମାଷ୍ଟରଷ୍ଟ୍ରୋକ୍ କୁହାଯାଉଛି।

ସମାନ ନାଗରିକ ସଂହିତା ସମ୍ପର୍କରେ ଜୁଲାଇ ୩ ତାରିଖରେ ସଂସଦୀୟ କମିଟିର ଏକ ବୈଠକ ଡକାଯାଇଛି। ଏହି ବୈଠକରେ ସାଂସଦମାନେ ୟୁସିସି ନେଇ ନିଜ ମତାମତ ଲୋଡ଼ିବେ। ବିଧି ଆୟୋଗ ବ୍ୟତୀତ ଆଇନ ବିଶେଷଜ୍ଞମାନେ ମଧ୍ୟ ଏହି ବୈଠକରେ ଉପସ୍ଥିତ ରହିବେ। ଏହାପୂର୍ବରୁ ୟୁସିସି ସମ୍ବନ୍ଧରେ ଲୋକଙ୍କ ମତାମତ ଜାଣିବା ପାଇଁ ବିଧି ଆୟୋଗ ମଧ୍ୟ ଏକ ବୈଠକ କରିଥିଲେ। ସଂସଦର ମୌସୁମୀ ଅଧିବେଶନ ଜୁଲାଇ ୧୭ରୁ ଆରମ୍ଭ ହୋଇପାରେ | ଏହା ଅଗଷ୍ଟ ୧୦ ପର୍ଯ୍ୟନ୍ତ ଚାଲିବ ।

ମଙ୍ଗଳବାର ଭୋପାଳରେ ଦଳୀୟ କର୍ମୀଙ୍କୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସମାନ ନାଗରିକ ସଂହିତା ଲାଗୁ ନେଇ ସଙ୍କେତ ଦେଇଥିଲେ । ପ୍ରଧାନମନ୍ତ୍ରୀ ମୋଦୀ କହିଥିଲେ ଯେ କେଉଁ ରାଜନୈତିକ ଦଳ ସେମାନଙ୍କୁ ଉତ୍ସାହିତ କରୁଛନ୍ତି ତାହା ଭାରତର ମୁସଲମାନମାନଙ୍କୁ ବୁ ବୁଝିବାକୁ ପଡ଼ିବ। ଆଜିକାଲି ସେମାନଙ୍କୁ ୟୁସିସି ନାମରେ ଉତ୍ତେଜିତ କରୁଛନ୍ତି | ପ୍ରଧାନମନ୍ତ୍ରୀ ମୋଦୀ କହିଥିଲେ, ଗୋଟିଏ ଘର ପାଇଁ ଦୁଇଟି ଆଇନ ରହିଲେ ଘର ଚାଲିପାରିବ ନାହିଁ । ସେହିପରି ଦେଶରେ ଏପରି ଦ୍ବୈତ ବ୍ୟବସ୍ଥା ଚାଲିବ କିପରି ? ସମାନ ନାଗରିକ ସଂହିତା ଆଣିବାକୁ ସୁପ୍ରିମକୋର୍ଟ ମଧ୍ୟ ବାରମ୍ବାର କହୁଛନ୍ତି । କିନ୍ତୁ ଏହି ଭୋଟ୍ ବ୍ୟାଙ୍କ ଭୋକିଲା ଲୋକମାନେ ଏହା କରିବାକୁ ଚାହୁଁନାହାଁନ୍ତି ବୋଲି ବିରୋଧୀ ଦଳକୁ ଟାର୍ଗେଟ କରି କହିଥିଲେ ପ୍ରଧାନମନ୍ତ୍ରୀ ।

Exit mobile version