Site icon ଆଜିକାଲି

‘ନାଟୁ ନାଟୁ’ ପାଇଁ ମୋଦୀ ସରକାର କ୍ରେଡିଟ୍ ନ ନିଅନ୍ତୁ: ଖଡ଼ଗେ


ନୂଆଦିଲ୍ଲୀ: ଅଧିକାଂଶ ସମୟ ଆରୋପ ପ୍ରତ୍ୟାରୋପ ଓ ହଟ୍ଟଗୋଳ ମଧ୍ୟରେ କଟୁଥିବା ସଂସଦରେ ଆଜି ଏକ ମଜାଳିଆ ଦୃଶ୍ୟ ଦେଖିବାକୁ ମିଳିଥିଲା । ଓସ୍କାର ପୁରସ୍କାର ପାଇଁ ‘ଆର୍‌ଆର୍‌ଆର୍‌’ ଓ ‘ଦି ଏଲିଫ୍ୟାଣ୍ଟ ହ୍ବିସପରର୍ସ’ ଟିମକୁ ଅଭିନନ୍ଦନ ଜଣାଇବାରେ ଉଭୟ ବିରୋଧୀ ଓ ଶାସକ ଏକାଠି ହୋଇଥିଲେ । ଏହାଛଡ଼ା ରାଜ୍ୟସଭାରେ ମଲ୍ଲିକାର୍ଜୁନ ଖଡଗେଙ୍କ ଏକ ମନ୍ତବ୍ୟ ଉଭୟ ବିରୋଧୀ ଓ ଶାସକ ଦଳ ସାଂସଦଙ୍କୁ ହସାଇଥିଲା ।

ତେଲୁଗୁ ଫିଲ୍ମ ‘ଆର୍‌ଆର୍‌ଆର୍‌”ର ‘ନାଟୁ ନାଟୁ’ ଗୀତ ୯୫ତମ ଏକାଡେମୀ ପୁରସ୍କାର ଉତ୍ସବରେ ମୌଳିକ ଗୀତ ବା ବେଷ୍ଟ ଅରିଜିନାଲ ସଙ୍ଗ୍ ବର୍ଗରେ ଓସ୍କାର ପୁରସ୍କାର ଜିତିଥିଲା । ସେହିପରି ‘ଦି ଏଲିଫ୍ୟାଣ୍ଟ ହ୍ବିସପରର୍ସ’ ବେଷ୍ଟ ଡକ୍ୟୁମେଣ୍ଟାରୀ ସର୍ଟ ବର୍ଗରେ ଓସ୍କାର ପୁରସ୍କାର ପାଇଥିଲା ।

ରାଜ୍ୟସଭାରେ ବିରୋଧୀଦଳର ନେତା ମଲ୍ଲିକାର୍ଜୁନ ଖଡଗେ ଓସ୍କାର ବିଜୟ ପାଇଁ ଟିମ୍ ‘ଆର୍‌ଆର୍‌ଆର୍‌’କୁ ଅଭିନନ୍ଦନ ଜଣାଇବାବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଶାସକ ବିଜେପିକୁ କଟାକ୍ଷ କରିଥିଲେ । ସେ କହିଥିଲେ ଓସ୍କାର ପୁରସ୍କାର ପାଇଁ ବିଜେପି କ୍ରେଡିଟ୍ ନ ନେଉ ।

ଦୁଇ ଓସ୍କାର ବିଜେତା ଫିଲ୍ମର ଦକ୍ଷିଣ ଭାରତୀୟ ଲିଙ୍କ୍ ଉପରେ ଆଲୋକପାତ କରି ଖଡ଼ଗେ କହିଥିଲେ, “ମୁଁ ନାଟୁ ନାଟୁ ଏବଂ ‘ଦି ଏଲିଫ୍ୟାଣ୍ଟ ହ୍ବିସପରର୍ସ’କୁ ଅଭିନନ୍ଦନ ଜଣାଉଛି। ଏହା ଆମ ପାଇଁ ଗର୍ବର ବିଷୟ। କିନ୍ତୁ ମୋର ଗୋଟିଏ ଅନୁରୋଧ ଯେ, ଶାସକ ଦଳ ଏହି ଫିଲ୍ମକୁ ଆମେ ନିର୍ଦ୍ଦେଶନା ଦେଇଛୁ ବୋଲି କହି ଶ୍ରେୟ ନେବା ଉଚିତ୍ ନୁହେଁ। ଆମେ ଏହି ଗୀତ ଲେଖିଛୁ, ମୋଦୀଜୀ ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି ବୋଲି ଆପଣ କୁହନ୍ତୁ ନାହିଁ । ଏହା ଦେଶର ଅବଦାନ।”

ଖଡ଼ଗେଙ୍କ ଏହି ମନ୍ତବ୍ୟ ନେଇ ଗୃହରେ ହାସ୍ୟରୋଳ ସୃଷ୍ଟି ହୋଇଥିଲା । ରାଜ୍ୟସଭା ଅଧ୍ୟକ୍ଷ ଜଗଦୀପ ଧନଖଡ ହସୁଥିବା ଦେଖିବାକୁ ମିଳିଥିଲା । ଖଡ଼ଗେଙ୍କ ଏପରି ମନ୍ତବ୍ୟରେ ବିରୋଧୀ ଦଳ ସଦସ୍ୟଙ୍କ ସହ ଶାସକ ଦଳ ସାଂସଦମାନେ ମଧ୍ୟ ହସିଥିଲେ ।

ରାଜ୍ୟସଭା ଅଧ୍ୟକ୍ଷ ଜଗଦୀପ ଧନଖଡ ମଧ୍ୟ ଓସ୍କାର ପୁରସ୍କାର ପାଇଁ ‘ଆର୍‌ଆର୍‌ଆର୍‌’ ଓ ‘ଦି ଏଲିଫ୍ୟାଣ୍ଟ ହ୍ବିସପରର୍ସ’ ନିର୍ମାତାଙ୍କୁ ଅଭିନନ୍ଦନ ଜଣାଇଥିଲେ । ସେ କହିଥିଲେ ଆମେ ସମସ୍ତେ ଏଥିପାଇଁ ଗର୍ବ ଅନୁଭବ କରିବା ଉଚିତ୍।

ଅଭିନେତ୍ରୀ ତଥା ସମାଜବାଦୀ ପାର୍ଟି ସାଂସଦ ଜୟା ବଚ୍ଚନ ଏହି ଦୁଇ ଚଳଚ୍ଚିତ୍ର ସହ ଜଡିତ ଲୋକଙ୍କୁ ଦେଶର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ରାଷ୍ଟ୍ରଦୂତ ଭାବେ ଅଭିହିତ କରି କହିଛନ୍ତି ଯେ ସେମାନେ ଦେଶର ଉତ୍ତର, ପୂର୍ବ, ଦକ୍ଷିଣ କିମ୍ବା ପଶ୍ଚିମରୁ ଆସିଛନ୍ତି ନା ନାହିଁ ତାହା କିଛି ମାନେ ରଖେନି, କାରଣ ସେମାନେ ସମସ୍ତେ ଭାରତୀୟ।

ସେ କହିଛନ୍ତି ଯେ ସିନେମାର ମାର୍କେଟ ଆମେରିକାରେ ନୁହେଁ ଭାରତରେ ଅଛି।

‘ଆର୍‌ଆର୍‌ଆର୍‌’ ସ୍କ୍ରିନ୍ ରାଇଟର୍ ଭି ବିଜୟେନ୍ଦ୍ର ପ୍ରସାଦ ଜଣେ ରାଜ୍ୟସଭା ସାଂସଦ । ଅଧ୍ୟକ୍ଷ ଜଗଦୀପ ଧନଖଡ ଏବଂ ରାଜ୍ୟସଭାର ସବୁ ସାଂସଦ ତାଙ୍କୁ ମଧ୍ୟ ଅଭିନନ୍ଦନ ଜଣାଇଥିଲେ ।

ଉଲ୍ଲେଖଯୋଗ୍ୟ, ଭାରତକୁ ଦୁଇଟି ଓସ୍କାର ପୁରସ୍କାର ମିଳିବା ପରେ କେନ୍ଦ୍ରମନ୍ତ୍ରୀ ପୀୟୂଷ ଗୋୟଲ ସୋମବାର ଏକ ଫେସବୁକ ପୋଷ୍ଟରେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଶ୍ରେୟ ଦେଇଥିଲେ । ‘ଆର୍‌ଆର୍‌ଆର୍‌’ ସ୍କ୍ରିନ୍ ରାଇଟର୍ ଭି ବିଜୟେନ୍ଦ୍ର ପ୍ରସାଦଙ୍କ ଉଦାହରଣ ଦେଇ ଗୋୟଲ କହିଥିଲେ ଯେ ପ୍ରଧାନମନ୍ତ୍ରୀ ମୋଦୀ ଯୋଗ୍ୟ ବ୍ୟକ୍ତିଙ୍କୁ ରାଜ୍ୟସଭାକୁ ମନୋନୀତ କରି ସେମାନଙ୍କୁ ଉତ୍ସାହିତ କରୁଛନ୍ତି ।

Exit mobile version