Site icon ଆଜିକାଲି

ଉତ୍ତରାଖଣ୍ଡ ଟନେଲ୍ ସଙ୍କଟ: ଧାମିଙ୍କ ସହ କଥା ହେଲେ ମୋଦୀ, ଉଦ୍ଧାର କାର୍ଯ୍ୟରେ ସହାୟତା ପାଇଁ ପହଞ୍ଚିଲେ ଟନେଲ୍ ବିଶେଷଜ୍ଞ ଡିକ୍ସ

ଉତ୍ତରାଖଣ୍ଡ: ଟନେଲ୍ ସଙ୍କଟ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସୋମବାର ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମିଙ୍କ ସହ ଫୋନରେ କଥା ହୋଇଛନ୍ତି । ଗତ ୮ ଦିନ ଧରି ଉତ୍ତରକାଶୀ ଜିଲ୍ଲା ଅନ୍ତର୍ଗତ ନିର୍ମାଣାଧୀନ ସିଲ୍କୟାରା ଟନେଲରେ ଫସି ରହିଥିବା ଶ୍ରମିକମାନଙ୍କୁ ସୁରକ୍ଷିତ ବାହାର କରିବା ପାଇଁ ଚାଲିଥିବା ଉଦ୍ଧାର ଓ ରିଲିଫ କାର୍ଯ୍ୟ ସମ୍ପର୍କରେ ସେ ପଚାରି ବୁଝିଛନ୍ତି। ଶ୍ରମିକଙ୍କ ମନୋବଳ ବଜାୟ ରଖିବାର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଛନ୍ତି ମୋଦୀ ।

ଉଦ୍ଧାର କାର୍ଯ୍ୟର ଆଜି ନବମ ଦିନ ହୋଇଥିବା ବେଳେ ଏଥିରେ ସହଯୋଗ କରିବାକୁ କେନ୍ଦ୍ର ସରକାରଙ୍କ ଅନୁରୋଧ କ୍ରମେ ଅନ୍ତର୍ଜାତୀୟ ସ୍ତରର ଟନେଲ୍ ବିଶେଷଜ୍ଞ ଆର୍ନୋଲ୍ଡ ଡିକ୍ସ ମଧ୍ୟ ସିଲ୍କିୟାରରେ ପହଞ୍ଚିଛନ୍ତି । ସେ ଘଟଣାସ୍ଥଳରେ ଉପସ୍ଥିତ ଅଧିକାରୀଙ୍କ ସହ ରଣନୀତି ଉପରେ ଆଲୋଚନା କରିଛନ୍ତି ।

ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଦିଆଯାଇଥିବା ବିବୃତ୍ତି ଅନୁଯାୟୀ, ଟନେଲରେ ଫସି ରହିଥିବା ଶ୍ରମିକମାନେ ସୁରକ୍ଷିତ ଅଛନ୍ତି । ସେମାନଙ୍କୁ ଅମ୍ଳଜାନ, ପୁଷ୍ଟିକର ଖାଦ୍ୟ ଏବଂ ଜଳ ଯୋଗାଇ ଦିଆଯାଉଛି। ସେମାନଙ୍କୁ ଶୀଘ୍ର ବାହାରକୁ ଆଣିବା ପାଇଁ ସମସ୍ତ ଉଦ୍ୟମ କରାଯାଉଛି।

ନଭେମ୍ବର ୧୨ ଦୀପାବଳି ଦିନ ଘଟିଥିବା ଟନେଲ ଅଘଟଣ ପରଠୁ ପ୍ରଧାନମନ୍ତ୍ରୀ ଏଯାବତ୍ ତିନିଥର ସ୍ଥିତି ସମ୍ପର୍କରେ ପଚାରି ବୁଝିଛନ୍ତି। ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟର ଟିମ୍ ମଧ୍ୟ ଘଟଣାସ୍ଥଳ ଯାଇ ସୁରକ୍ଷା କାର୍ଯ୍ୟ ତଦାରଖ କରୁଛନ୍ତି |

ଚାରଧାମ୍ ରୋଡ୍ ପ୍ରକଳ୍ପ ଅଧୀନରେ ଯମୁନେତ୍ରୀ ଜାତୀୟ ରାଜପଥରେ ନିର୍ମାଣାଧୀନ ସାଢ଼େ ଚାରି କିଲୋମିଟର ଲମ୍ବା ସିଲ୍କୟାରା ଟନେଲର ଏକ ଅଂଶ ଭୁଶୁଡ଼ିବା ଯୋଗୁଁ ଏହା ଭିତରେ କାମ କରୁଥିବା ୪୧ ଜଣ ଶ୍ରମିକ ଫସି ଯାଇଥିଲେ। ଯେଉଁମାନଙ୍କୁ ବାହାର କରିବା ପାଇଁ ଯୁଦ୍ଧକାଳୀନ ଭିତ୍ତିରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି।

ଆନ୍ତର୍ଜାତୀୟ ଟନେଲିଂ ଏବଂ ଅଣ୍ଡରଗ୍ରାଉଣ୍ଡ ସ୍ପେସ୍ ଆସୋସିଏସନର ସଭାପତି ଡିକ୍ସ ଆଶା ପ୍ରକଟ କରିଛନ୍ତି ଯେ ଟନେଲରେ ଫସି ରହିଥିବା ଶ୍ରମିକମାନଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯିବ। ବର୍ତ୍ତମାନ ସୁଦ୍ଧା କରାଯାଇଥିବା ଉଦ୍ଧାର କାର୍ଯ୍ୟରେ ସେ ସନ୍ତୁଷ୍ଟ ପ୍ରକାଶ କରିଛନ୍ତି। ତେବେ ଶ୍ରମିକ ମାନଙ୍କୁ ବାହାର କରିବା ପାଇଁ ଆଉ କେତେ ଦିନ ଲାଗିବ ସେନେଇ ସେ କିଛି କହି ନାହାଁନ୍ତି ‌

FacebookTwitterLinkedinWhatsapp
Exit mobile version