Site icon ଆଜିକାଲି

ଅକ୍ଟୋବର ୧ରୁ ଦେଶରେ ୫ଜି ସେବା, ଶୁଭାରମ୍ଭ କରିବେ ମୋଦୀ


ନୂଆଦିଲ୍ଲୀ: ଅକ୍ଟୋବର ୧ରୁ ଭାରତରେ ୫ଜି ସେବା ଆରମ୍ଭ ହେବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ‘ଇଣ୍ଡିଆ ମୋବାଇଲ୍ କଂଗ୍ରେସ’ରେ ୫ଜି ସେବାର ଶୁଭାରମ୍ଭ କରିବେ। ପ୍ରଗତି ମଇଦାନରେ ଆୟୋଜିତ ହେବାକୁ ଥିବା ‘ଇଣ୍ଡିଆ ମୋବାଇଲ୍ କଂଗ୍ରେସ’ ଅକ୍ଟୋବର ୪ ପର୍ଯ୍ୟନ୍ତ ଚାଲିବ। ଏସିଆର ସର୍ବବୃହତ ଟେଲିକମ୍, ମିଡିଆ ଏବଂ ଟେକ୍ନୋଲୋଜି ଫୋରମ୍ କୁହାଯାଉଥିବା ଇଣ୍ଡିଆ ମୋବାଇଲ୍ କଂଗ୍ରେସ (ଆଇଏମସି) ମିଳିତ ଭାବେ ଟେଲିକମ ବିଭାଗ ଏବଂ ସେଲ୍ୟୁଲାର୍ ଅପରେଟର୍ସ ଆସୋସିଏସନ୍ ଅଫ୍ ଇଣ୍ଡିଆ ଦ୍ୱାରା ଆୟୋଜିତ ହେଉଛି |

କେନ୍ଦ୍ର ଟେଲିକମ, ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ନିକଟରେ କହିଥିଲେ ଯେ କମ୍ ସମୟ ମଧ୍ୟରେ ଦେଶରେ ୫ଜି ଟେଲିକମ୍ ସେବା ୮୦ ପ୍ରତିଶତ କଭରେଜ୍ କରିବାକୁ ଲକ୍ଷ୍ୟ ରଖାଯାଇଛି। ପ୍ରଥମ ପର୍ଯ୍ୟାୟରେ ଦେଶର ୧୩ଟି ପ୍ରମୁଖ ସହରରେ ୫ଜି ଟେଲିକମ୍ ସେବା ଉପଲବ୍ଧ ହେବା ସମ୍ଭାବନା ରହିଛି।

ଅନ୍ୟପକ୍ଷରେ ୫ଜି ବିକିରଣର ସ୍ବାସ୍ଥ୍ୟ ଓ ପରିବେଶ ଉପରେ ପ୍ରଭାବ ପଡିବା ଆଶଙ୍କାକୁ ବୈଷ୍ଣବ ହାଲୁକାରେ ନେଇଥିଲେ । ସେ କହିଥିଲେ, ‘୫ଜି ସେବା ଦ୍ଵାରା ସୃଷ୍ଟି ହେଉଥିବା ବିକିରଣର ସ୍ତର ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ଡବ୍ଲୁଏଚ୍ଓ) ପକ୍ଷରୁ ସୁପାରିସ କରାଯାଇଥିବା ସ୍ତରଠାରୁ ବହୁତ କମ୍ ରହିବ।’

Exit mobile version