Site icon ଆଜିକାଲି

ଆଜି ମୋଦୀଙ୍କ ଶପଥ, ଲଗାତାର ତୃତୀୟ ଥର ପ୍ରଧାନମନ୍ତ୍ରୀ ପଦରେ ହେବେ ଆସୀନ

ନୂଆଦିଲ୍ଲୀ: ନରେନ୍ଦ୍ର ମୋଦୀ ରବିବାର କ୍ରମାଗତ ତୃତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ । ପ୍ରଥମ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହେରୁଙ୍କ ପରେ ଏପରି କୀର୍ତ୍ତିମାନ ହାସଲ କରିବାରେ ମୋଦୀ ହେବେ ଭାରତର ଦ୍ୱିତୀୟ ରାଜନେତା ।

ଏନଡିଏର ବିଭିନ୍ନ ସହଯୋଗୀ ଦଳଙ୍କ ଭାଗରେ ନୂଆ ସରକାରରେ କେତୋଟି ମନ୍ତ୍ରୀ ପଦ ରହିବ ତାହା ସ୍ପଷ୍ଟ ହୋଇନାହିଁ। ‌ଅମିତ ଶାହା ଏବଂ ରାଜନାଥ ସିଂହଙ୍କ ବ୍ୟତୀତ ଦଳର ସଭାପତି ଜେପି ନଡ୍ଡା ଏନେଇ ତେଲୁଗୁ ଦେଶମ ପାର୍ଟିର ସୁପ୍ରିମୋ ଏନ୍ ଚନ୍ଦ୍ରବାବୁ ନାଇଡୁ, ଜେଡି (ୟୁ)ର ସଭାପତି ନୀତୀଶ କୁମାର ଏବଂ ଶିବସେନାର ଏକନାଥ ସିନ୍ଦେ ଓ ଅନ୍ୟ ସହଯୋଗୀମାନଙ୍କ ସହ ଆଲୋଚନା କରିଥିବା ଜଣାପଡ଼ିଛି।

ତେବେ ଗୃହ, ଅର୍ଥ, ପ୍ରତିରକ୍ଷା ଏବଂ ବୈଦେଶିକ ବ୍ୟାପାର, ଶିକ୍ଷା ଭଳି ଗୁରୁତ୍ୱପୂର୍ଣ୍ଣ ବିଭାଗ ବିଜେପି ନିଜ ପାଖରେ ରଖିବ। ସହଯୋଗୀ ଦଳଙ୍କୁ ୫ ରୁ ୮ଟି କ୍ୟାବିନେଟ୍ ପଦ ମିଳିପାରେ।

ଶାହ ଏବଂ ସିଂହଙ୍କ ଭଳି ନେତା ନୂଆ କ୍ୟାବିନେଟରେ ସାମିଲ ହେବା ନିଶ୍ଚିତ ମନେ କରାଯାଉଥିବା ବେଳେ ଲୋକସଭା ନିର୍ବାଚନରେ ଜିତିଥିବା ଶିବରାଜ ସିଂହ ଚୌହାନ, ବାସବରାଜ ବୋମ୍ମାଇ, ମନୋହର ଲାଲ ଖଟ୍ଟର ଏବଂ ସର୍ବାନନ୍ଦ ସୋନୋୱାଲଙ୍କ ପରି ପୂର୍ବତନ ମୁଖ୍ୟମନ୍ତ୍ରୀ ମାନେ ମଧ୍ୟ ସରକାରର ଅଂଶବିଶେଷ ହୋଇପାରନ୍ତି।

ସୂତ୍ରରୁ ପ୍ରକାଶ ଯେ, ତେଲୁଗୁ ଦେଶମ ପାର୍ଟି (ଟିଡିପି)ର ରାମ ମୋହନ ନାଇଡୁ, ଜେଡି (ୟୁ)ର ଲଲନ ସିଂ, ସଞ୍ଜୟ ଝା ଏବଂ ରାମ ନାଥ ଠାକୁର, ଲୋକ ଜନତା ପାର୍ଟି (ରାମ ବିଳାସ)ର ଚିରାଗ ପାସଓ୍ବନ ପ୍ରମୁଖ ସହଯୋଗୀମାନଙ୍କ ମଧ୍ୟରେ ଅଛନ୍ତି ଯେଉଁମାନେ ନୂଆ ସରକାରରେ ସାମିଲ ହୋଇପାରନ୍ତି।

ମହାରାଷ୍ଟ୍ରରେ ବିଜେପି-ଶିବସେନା-ଏନସିପି ମେଣ୍ଟ ଖରାପ ପ୍ରଦର୍ଶନ କରିଥିଲାବେଳେ ବିହାରରେ ବିରୋଧୀ ମେଣ୍ଟର ପ୍ରତ୍ୟାବର୍ତ୍ତନ ନେଇ ସଙ୍କେତ ମିଳିଛି । ମୋଦୀଙ୍କ ତୃତୀୟ ପାଳି ସରକାର ଗଠନ ସମୟରେ ଏହି ଦୁଇ ରାଜ୍ୟକୁ ମଧ୍ୟ ଧ୍ୟାନ ଦିଆଯାଇପାରେ। ଅକ୍ଟୋବରରେ ମହାରାଷ୍ଟ୍ରରେ ଏବଂ ଆସନ୍ତା ବର୍ଷ ବିହାରରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବାର ଅଛି।

ଲୋକସଭା ନିର୍ବାଚନ ପରେ ବିଜେପି ସଂଗଠନରେ ହେବାକୁ ଥିବା ପରିବର୍ତ୍ତନ ମଧ୍ୟ ମନ୍ତ୍ରୀଙ୍କ ନାମ ଚୂଡ଼ାନ୍ତ କଲାବେଳେ ଦଳ ନଜରରେ ରହିବ।

ବିଜେପିର ରାଷ୍ଟ୍ରୀୟ ସଭାପତି ଜେପି ନଡ୍ଡାଙ୍କ କାର୍ଯ୍ୟକାଳ ଲୋକସଭା ନିର୍ବାଚନ ପାଇଁ ବୃଦ୍ଧି କରାଯାଇଥିଲା । ସାଧାରଣ ନିର୍ବାଚନରେ ଆଶାନୁରୂପ ସଫଳତା ନ ମିଳିବା ପରେ ଦଳ ପାଇଁ ସାଂଗଠନିକ ଆବଶ୍ୟକତା ବିଚାରଯୋଗ୍ୟ ହେବ । କାରଣ ନିର୍ବାଚନ ଫଳାଫଳରୁ ସ୍ପଷ୍ଟ ଯେ ଦଳର ସାଂଗଠନିକ ସ୍ଥିତି ଠିକ୍ ନୁହେଁ। ଏପରି ସ୍ଥିତିରେ ଜଣେ ଅଭିଜ୍ଞ ବ୍ୟକ୍ତିଙ୍କୁ ଦଳୀୟ ସଂଗଠନ ଦାୟିତ୍ଵ ଦିଆଯାଇ ନଡ୍ଡାଙ୍କୁ ସରକାରରେ ସାମିଲ କରାଯିବା ସମ୍ଭାବନା ରହିଛି ବୋଲି ସୂତ୍ରରୁ ଜଣାଯାଇଛି ।

ସଦ୍ୟ ସମାପ୍ତ ସାଧାରଣ ନିର୍ବାଚନରେ ବିଜେପି କେବଳ ୨୪୦ଟି ଆସନରେ ସୀମିତ ରହିଯାଇଛି, ଯାହା ସଂଖ୍ୟାଗରିଷ୍ଠତା ଠାରୁ ୩୨ ଓ ଗତଥର ତୁଳନାରେ ୯୩ କମ୍। ୨୦୧୯ ନିର୍ବାଚନରେ ଦଳ ୩୦୩ ଆସନ ଜିତିଥିଲା।

ମୋଦୀଙ୍କ ଶପଥ ଗ୍ରହଣ ସମାରୋହରେ ବାଂଲାଦେଶ, ଶ୍ରୀଲଙ୍କା, ନେପାଳ, ଭୁଟାନ, ମାଳଦ୍ୱୀପ ଏବଂ ମରିସସ୍ ଭଳି ପଡ଼ୋଶୀ ଦେଶର ନେତା ଯୋଗଦେବେ।

Exit mobile version