Site icon ଆଜିକାଲି

ମନି ଲଣ୍ଡରିଂ ମାମଲା: ରାଣା ଆୟୁବଙ୍କ ବିରୋଧରେ ଚାର୍ଜସିଟ୍ ଦାଖଲ କଲା ଇଡି


ନୂଆଦିଲ୍ଲୀ: ମନି ଲଣ୍ଡରିଂ ମାମଲାରେ ସାମ୍ବାଦିକା ରାଣା ଆୟୁବଙ୍କ ବିରୋଧରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଚାର୍ଜସିଟ ଦାଖଲ କରିଛି । ଇଡି ଅଭିଯୋଗ କରିଛି ଯେ ଚ୍ୟାରିଟି କାର୍ଯ୍ୟ ନାଁରେ ସଂଗ୍ରହ ୨.୬୯ କୋଟି ଅନୁଦାନ ରାଣା ଆୟୁବ ଆତ୍ମସାତ୍ କରିଥିଲେ । ଏହାଛଡ଼ା ସେ ବିଦେଶୀ ଅନୁଦାନ ଆଇନ ମଧ୍ୟ ଉଲ୍ଲଂଘନ କରିଥିବା ଅଭିଯୋଗ ହୋଇଛି ।

ଇଡି ଅକ୍ଟୋବର ୧୨ରେ ଗାଜିଆବାଦ (ଉତ୍ତରପ୍ରଦେଶ) ର ଏକ ସ୍ୱତନ୍ତ୍ର ପ୍ରିଭେନସନ୍ ଅଫ୍ ମନି ଲଣ୍ଡରିଂ ଆକ୍ଟ (ପିଏମ୍ଏଲ୍ଏ) କୋର୍ଟରେ ଆୟୁବଙ୍କ ବିରୋଧରେ ଏକ ଅଭିଯୋଗ ଦାଖଲ କରିଛି । ଗୁରୁବାର ଜାରି କରାଯାଇଥିବା ଏକ ବିବୃତ୍ତିରେ ଇଡି କହିଛନ୍ତି ଯେ ରାଣା ଆୟୁବ ଏପ୍ରିଲ, ୨୦୨୦ ପରଠାରୁ ଚ୍ୟାରିଟି କାର୍ଯ୍ୟ ପାଇଁ ‘କେଟୋ ପ୍ଲାଟଫର୍ମ’ ମାଧ୍ୟମରେ ତିନୋଟି ପାଣ୍ଠି ସଂଗ୍ରହ ଅଭିଯାନ ଆରମ୍ଭ କରିଥିଲେ । ଏହା ଦ୍ବାରା ସେ ମୋଟ ୨,୬୯,୪୪,୬୮୦ ଟଙ୍କା ସଂଗ୍ରହ କରିଛନ୍ତି।

ଇଡି କହିଛି ଯେ ଆୟୁବ ଏବଂ ତାଙ୍କ ଟିମ୍ ବସ୍ତି ବାସିନ୍ଦା ତଥା କୃଷକମାନଙ୍କ ପାଇଁ ପାଣ୍ଠି ସଂଗ୍ରହ, ଆସାମ, ବିହାର ଏବଂ ମହାରାଷ୍ଟ୍ରରେ ରିଲିଫ କାର୍ଯ୍ୟ ଏବଂ ଭାରତରେ କୋଭିଡ-୧୯ ଦ୍ୱାରା ପ୍ରଭାବିତ ଲୋକଙ୍କୁ ସାହାଯ୍ୟ କରିବା ପାଇଁ ଏପରି ପାଣ୍ଠି ସଂଗ୍ରହ ଅଭିଯାନ ଆରମ୍ଭ କରିଥିଲେ । ଇଡି କହିଛି ଯେ ଅନୁସନ୍ଧାନ ବେଳେ ଜଣାପଡିଛି ଯେ ଅନଲାଇନ୍ ପ୍ଲାଟଫର୍ମରୁ ଉଠାଯାଇଥିବା ଟଙ୍କା ଆୟୁବଙ୍କ ପିତା ଏବଂ ଭଉଣୀଙ୍କ ଆକାଉଣ୍ଟକୁ ପଠାଯାଇଥିଲା ଏବଂ ପରେ ଏହା ସେମାନଙ୍କ ବ୍ୟକ୍ତିଗତ ଆକାଉଣ୍ଟକୁ ସ୍ଥାନାନ୍ତର କରାଯାଇଥିଲା। ରାଣା ଆୟୁବଙ୍କ ବିରୋଧରେ ଏହି ମନି ଲଣ୍ଡରିଂ ମାମଲା ଅନୁଦାନ ଅର୍ଥରାଶି ଆତ୍ମସାତ୍ ଅଭିଯୋଗରେ ସେପ୍ଟେମ୍ବର ୨୦୨୧ରେ ଗାଜିଆବାଦ ପୋଲିସ ଦ୍ବାରା ରୁଜୁ ହୋଇଥିବା ଏଫଆଇଆର ସହ ଜଡ଼ିତ।

Exit mobile version