Site icon ଆଜିକାଲି

ସପ୍ତାହେ ବିଳମ୍ବରେ କେରଳ ଛୁଇଁଲା ମୌସୁମୀ ବାୟୁ

ନୂଆଦିଲ୍ଲୀ: ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ସ୍ବାଭାବିକ ସମୟରୁ ଏକ ସପ୍ତାହ ବିଳମ୍ବରେ ଭାରତରେ ପହଞ୍ଚିଛି। ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) କେରଳରେ ମୌସୁମୀ ଆସିବା ନେଇ ଗୁରୁବାର ଘୋଷଣା କରିଛି। ଏହା ପୂର୍ବରୁ ପାଣିପାଗ ବିଜ୍ଞାନୀମାନେ କହିଥିଲେ ଯେ ଘୂର୍ଣ୍ଣିବଳୟ ‘ବିପର୍ଯ୍ୟୟ’ ଯୋଗୁଁ ମୌସୁମୀ ବାୟୁର ଅଗ୍ରଗତି ପ୍ରଭାବିତ ହେବ ।

ଆଇଏମଡି ସୂଚନା ଅନୁଯାୟୀ, ଦକ୍ଷିଣ ଆରବ ସାଗରର ଅବଶିଷ୍ଟ ଅଂଶ ଏବଂ କେନ୍ଦ୍ରୀୟ ଆରବ ସାଗରର କିଛି ଅଂଶ ଏବଂ ସମଗ୍ର ଲକ୍ଷଦ୍ବୀପ ଅଞ୍ଚଳ, କେରଳ ଓ ଦକ୍ଷିଣ ତାମିଲନାଡୁର ଅଧିକାଂଶ ଅଞ୍ଚଳ ସହ କୋମରିନ୍ ଅଞ୍ଚଳର ଅବଶିଷ୍ଟ ଅଂଶ, ମାନ୍ନା ଉପକୂଳ ଏବଂ ଦକ୍ଷିଣ-ପଶ୍ଚିମ ସହ ମଧ୍ୟ ଓ ଉତ୍ତର ବଙ୍ଗୋପ ସାଗର ଆଡ଼କୁ ମୌସୁମୀ ବାୟୁ ଅଗ୍ରଗତି କରିଛି । ଦକ୍ଷିଣ-ପଶ୍ଚିମ ମୌସୁମୀ ସାଧାରଣତଃ ଜୁନ୍ ୧ ସୁଦ୍ଧା କିମ୍ବା ଏହାର ପ୍ରାୟ ସାତ ଦିନ ପୂର୍ବରୁ କେରଳରେ ପହଞ୍ଚେ । ଏଥର ମୌସୁମୀ ଜୁନ୍ ୪ ପାଖାପାଖି କେରଳରେ ପହଞ୍ଚିପାରେ ବୋଲି ଗତମାସରେ କହିଥିଲା ଆଇଏମଡି । ଅନ୍ୟପକ୍ଷରେ ଘରୋଇ ପାଣିପାଗ ପୂର୍ବାନୁମାନ କେନ୍ଦ୍ର ‘ସ୍କାଏମେଟ୍’ ଜୁନ୍ ୭ରେ ମୌସୁମୀ କେରଳ ଛୁଇଁବ ବୋଲି ପୂର୍ବାନୁମାନ କରିଥିଲା ।

ଆଇଏମଡି ତଥ୍ୟ ଅନୁଯାୟୀ, ଗତ ୧୫୦ ବର୍ଷ ମଧ୍ୟରେ କେରଳ ଉପରେ ମୌସୁମୀର ଆଗମନ ତାରିଖ ବଦଳିଛି ।ମୌସୁମୀ ସବୁଠୁ ଶୀଘ୍ର ୧୯୧୮ ମସିହା ମେ ୧୧ ତାରିଖରେ କେରଳ ପହଞ୍ଚିଥିଲା ଏବଂ ସବୁଠୁ ବିଳମ୍ବରେ ୧୯୭୨ ମସିହା ଜୁନ୍ ୧୮ରେ ଆସିଥିଲା । ଦକ୍ଷିଣ ପଶ୍ଚିମ ମୌସୁମୀ ଗତ ବର୍ଷ ମେ ୨୯ରେ, ୨୦୨୧ରେ ଜୁନ୍ ୩, ୨୦୨୦ରେ ଜୁନ୍ ୧, ୨୦୧୯ରେ ଜୁନ୍ ୮ ଏବଂ ୨୦୨୮ରେ ମେ ୨୯ରେ କେରଳରେ ପହଞ୍ଚିଥିଲା।

ଅନୁସନ୍ଧାନରୁ ଜଣାପଡିଛି ଯେ କେରଳ ଉପରେ ମୈସୁମୀର ବିଳମ୍ବ ହେଲେ ଉତ୍ତର-ପଶ୍ଚିମ ଭାରତ ଉପରେ ଏହାର‌ ଅଗ୍ରଗତି ପ୍ରଭାବିତ ହେବ ନାହିଁ । ଏହାଛଡା ମୈସୁମୀ ବାୟୁର ଆଗମନରେ ବିଳମ୍ବ ଦେଶରେ ସ୍ବାଭାବିକ ବୃଷ୍ଟିପାତ ଉପରେ ପ୍ରଭାବ ପକାଇବ ନାହିଁ।

ଆଇଏମଡି ପୂର୍ବରୁ କହିଥିଲା ଯେ ‘ଏଲ୍ ନିନୋ’ ପ୍ରଭାବ ସତ୍ତ୍ୱେ ଭାରତରେ ସ୍ବାଭାବିକ ବର୍ଷା ହେବ । ଉତ୍ତର-ପଶ୍ଚିମ ଭାରତରେ ସାଧାରଣ କିମ୍ବା ଅଭାବୀ ବର୍ଷା ହେବା ସମ୍ଭାବନା ରହିଛି | ପୂର୍ବ ଏବଂ ଉତ୍ତର-ପୂର୍ବ, ମଧ୍ୟ ଏବଂ ଦକ୍ଷିଣ ଉପକୂଳର୍ବୀ ଅଞ୍ଚଳରେ ୯୪ ରୁ ୧୦୬ ପ୍ରତିଶତ ବର୍ଷା ହୋଇପାରେ । ମୌସୁମୀ ସକ୍ରିୟ ସମୟରେ ହାରାହାରି ୯୦ ପ୍ରତିଶତରୁ କମ୍ ବର୍ଷା ହେଲେ ଏହାକୁ ‘ନିଅଣ୍ଟିଆ ବୃଷ୍ଟିପାତ’, ୯୦% ରୁ ୯୫% ‘ସ୍ୱାଭାବିକଠାରୁ କମ୍’, ୧୦୫% ରୁ ୧୧୦% ‘ସ୍ବାଭାବିକଠୁ ଅଧିକ’ ବୋଲି ବିବେଚନା କରାଯାଏ। ୧୦୦ ପ୍ରତିଶତରୁ ଅଧିକ ବର୍ଷା ‘ଅତ୍ୟଧିକ ବୃଷ୍ଟିପାତ’ ଭାବେ ଧରାଯାଏ | ଭାରତର ଚାଷ କାର୍ଯ୍ୟ ଦୃଷ୍ଟିରୁ ମୌସୁମୀ ବର୍ଷା ଗୁରୁତ୍ୱପୂର୍ଣ୍ଣ | ସମୁଦାୟ କୃଷି କ୍ଷେତ୍ରର ୫୨ ପ୍ରତିଶତ ବର୍ଷା ଉପରେ ନିର୍ଭରଶୀଳ | ଦେଶରେ ବିଦ୍ୟୁତ୍ ଉତ୍ପାଦନ ଏବଂ ପାନୀୟ ଜଳ ପାଇଁ ପ୍ରମୁଖ ଜଳଭଣ୍ଡାରଗୁଡିକ ଭର୍ତ୍ତି ହେବାରେ ମଧ୍ୟ ମୌସୁମୀ ବର୍ଷା ଗୁରୁତ୍ୱପୂର୍ଣ୍ଣ |

Exit mobile version