Site icon ଆଜିକାଲି

ଆଜିଠୁ ସିବିଏସଇ ଦଶମ ଓ ଦ୍ୱାଦଶ ଶ୍ରେଣୀ ବୋର୍ଡ ପରୀକ୍ଷା, ୩୯ ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ ଦେବେ ପରୀକ୍ଷା

ନୂଆଦିଲ୍ଲୀ : ଆଜିଠାରୁ ସିବିଏସଇ ପରୀକ୍ଷା । କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ ପରିଚାଳିତ ଦଶମ ଏବଂ ଦ୍ବାଦଶ ପରୀକ୍ଷା ଆଜିଠାରୁ ଆରମ୍ଭ ହେଉଛି । ସକାଳ ୧୦ଟା ୩୦ରେ ପରୀକ୍ଷା ଆରମ୍ଭ ହେବ । ୩୦ ମିନିଟ୍ ପୂର୍ବରୁ ଛାତ୍ରଛାତ୍ରୀଙ୍କୁ ପରୀକ୍ଷା କେନ୍ଦ୍ରରେ ପହଞ୍ଚିବାକୁ କୁହାଯାଇଛି । ଆଡମିଟ୍ କାର୍ଡ ଆଣିନଥିଲେ ପରୀକ୍ଷା ଦେବାକୁ ଅନୁମତି ମିଳିବ ନାହିଁ ।

ତେବେ ପରୀକ୍ଷା ହଲ୍ ଭିତରେ ଛାତ୍ରଛାତ୍ରୀ ପରସ୍ପର ମଧ୍ୟରେ କୌଣସି ଜିନିଷ ଦେବା ନେବା କରିପାରିବେ ନାହିଁ । ଛାତ୍ରଛାତ୍ରୀ ପରୀକ୍ଷା ହଲ୍ ଭିତରକୁ କୌଣସି ବୈଦ୍ୟୁତିକ ସାମଗ୍ରୀ ନଆଣିବା ପାଇଁ ସିବିଏସଇ ବାରଣ କରିଛି । ଦଶମ ପରୀକ୍ଷା ମାର୍ଚ୍ଚ ୧୩ରେ ସରିବାକୁ ଥିବା ବେଳେ ଦ୍ବାଦଶ ପରୀକ୍ଷା ଏପ୍ରିଲ୍ ୨ ତାରିଖରେ ସରିବ । ଚଲିତବର୍ଷ ଭାରତ ଏବଂ ୨୬ଟି ଦେଶରୁ ୩୯ ଲକ୍ଷ ରୁ ଅଧିକ ଛାତ୍ରଛାତ୍ରୀ ଏହି ପରୀକ୍ଷା ଦେବେ ।

ଭାରତ ସମେତ ୨୬ଟି ଦେଶରେ ସମୁଦାୟ ୩୯ ଲକ୍ଷରୁ ଅଧିକ ପରୀକ୍ଷାର୍ଥୀ ପରୀକ୍ଷା ଦେବେ । କେବଳ ଦିଲ୍ଲୀରେ ୫ ଲକ୍ଷ ୮୦ ହଜାର ୧୯୨ ଜଣ ଛାତ୍ରଛାତ୍ରୀ ୮୭୭ଟି କେନ୍ଦ୍ରରେ ବୋର୍ଡ ପରୀକ୍ଷା ଦେବେ । ପରୀକ୍ଷା ସକାଳ ୧୦ଟା ୩୦ରୁ ଆରମ୍ଭ ହେଉଥିବାରୁ ଛାତ୍ରଛାତ୍ରୀଙ୍କୁ ୧୦ଟା ସୁଦ୍ଧା ନିର୍ଦ୍ଧାରିତ ପରୀକ୍ଷା କେନ୍ଦ୍ରରେ ପହଞ୍ଚିବାକୁ ନିର୍ଦ୍ଦେଶ ଦିଆଯାଇଛି ।

ଆନ୍ଦୋଳନ ପାଇଁ ଟ୍ରାଫିକ ଜାମ୍ ଜନିତ ବିଳମ୍ବ ଏଡାଇବା ପାଇଁ ଦିଲ୍ଲୀ- ଏନସିଆର ଅଞ୍ଚଳର ଛାତ୍ରଛାତ୍ରୀଙ୍କୁ ଘରୁ ଶୀଘ୍ର ବାହାରିବାକୁ ପରାମର୍ଶ ଦିଆଯାଇଛି । ମେଟ୍ରୋ ଟ୍ରେନ ସେବା ଉପରେ ଚାଷୀ ଆନ୍ଦୋଳନ ପ୍ରଭାବ ପକାଇ ନଥିବାରୁ ମେଟ୍ରୋ ବ୍ୟବହାର ପାଇଁ ଛାତ୍ରଛାତ୍ରୀଙ୍କୁ ପରାମର୍ଶ ଦିଆଯାଇଛି । ସେହିପରି ଟ୍ରାଫିକ, ପାଣିପାଗ ଓ ଦୂରତା ଅନୁଯାୟୀ ଦେଶର ଅନ୍ୟ ରାଜ୍ୟଗୁଡିକର ଛାତ୍ରଛାତ୍ରୀଙ୍କୁ ମଧ୍ୟ ୧୦ଟା ପୂର୍ବରୁ ପରୀକ୍ଷା ସେଣ୍ଟରରେ ପହଞ୍ଚିବାକୁ ପରାମର୍ଶ ଦିଆଯାଇଛି । କେବଳ ୧୦ଟା ସୁଦ୍ଧା ପରୀକ୍ଷା ସେଣ୍ଟରରେ ପହଞ୍ଚିଥିବା ଛାତ୍ରଛାତ୍ରୀଙ୍କୁ ପ୍ରବେଶ ପାଇଁ ଅନୁମତି ମିଳିବ । ଏହାପରେ ପରୀକ୍ଷା ସେଣ୍ଟରରେ ପହଞ୍ଚିଲେ ପ୍ରବେଶ ଅନୁମତି ମିଳିବ ନାହିଁ । ଦଶମ ଶ୍ରେଣୀ ଛାତ୍ର ଛାତ୍ରୀଙ୍କ ଏହି ବୋର୍ଡ଼ ପରୀକ୍ଷା ୧୩ମାର୍ଚ୍ଚରେ ସରୁଥିବା ବେଳେ ଯୁକ୍ତ ୨ ପିଲାମାନଙ୍କର ଏପ୍ରିଲ ୨ରେ ସରିବ।

Exit mobile version