Site icon ଆଜିକାଲି

ବିଜେପି ନେତାଙ୍କ ଅପହରଣ ଓ ହତ୍ୟା ମାମଲାରେ ମୁଖତାର୍ ଅନସାରୀଙ୍କୁ ୧୦ ବର୍ଷ ଜେଲ୍, ସାଂସଦ ଭାଇ ଅଫଜଲଙ୍କୁ ୪ ବର୍ଷ କାରାଦଣ୍ଡ

ଗାଜିପୁର: ବିଜେପି ନେତା କୃଷ୍ଣାନନ୍ଦ ରାୟଙ୍କ ଅପହରଣ ଓ ହତ୍ୟା ମାମଲାରେ ଉତ୍ତର ପ୍ରଦେଶର ବାହୁବଳୀ ନେତା ମୁଖତାର୍ ଅନସାରୀଙ୍କୁ ୧୦ ବର୍ଷ ଜେଲ୍ ଦଣ୍ଡାଦେଶ ହୋଇଛି । ଗ୍ୟାଙ୍ଗଷ୍ଟର ଆକ୍ଟ ଅନୁଯାୟୀ ଏମପି / ଏମ୍ଏଲ୍ଏ କୋର୍ଟ ଅନସାରୀଙ୍କ ବିରୋଧରେ ଏହି ଦଣ୍ଡାଦେଶ ଶୁଣାଇଛନ୍ତି । ଏଥିସହ ତାଙ୍କ ଉପରେ ୫ ଲକ୍ଷ ଟଙ୍କା ଜରିମାନା ମଧ୍ୟ କରାଯାଇଛି। ଅନ୍ୟପକ୍ଷରେ ମୁଖତାର୍ ଅନସାରୀଙ୍କ ବଡ଼ ଭାଇ ତଥା ବିଏସପି ସାଂସଦ ଅଫଜଲ ଅନସାରୀଙ୍କୁ ମଧ୍ୟ କୋର୍ଟ ଦୋଷୀ ସାବ୍ୟସ୍ତ କରିଛନ୍ତି । ଆଫଜଲ ଅନସାରୀଙ୍କୁ ୪ ବର୍ଷ ଜେଲ୍ ଓ ଏକ ଲକ୍ଷ ଟଙ୍କା ଜରିମାନା ହୋଇଛି । କୋର୍ଟ ରାୟ ପରେ ସାଂସଦ ଆଫଜଲ ଅନସାରୀଙ୍କୁ ପୋଲିସ ହେପାଜତକୁ ନିଆଯାଇଛି। ତାଙ୍କ ଭାଇ ମୁଖତାର୍ ଅନସାରୀ ପୂର୍ବରୁ ବାନ୍ଦା ଜେଲରେ ଅଛନ୍ତି ।

ବିଏସପି ସାଂସଦ ଅଫଜଲ ଅନସାରୀଙ୍କ ଏବେ ଲୋକସଭା ସଦସ୍ୟତା ରଦ୍ଦ ହୋଇପାରେ। ଜନ୍ ପ୍ରତିନିଧୀ ଆଇନ ଅନୁଯାୟୀ କୌଣସି ସାଂସଦ କିମ୍ବା ବିଧାୟକଙ୍କୁ ଯଦି ଆପରାଧିକ ମାମଲାରେ ଦୁଇ ବର୍ଷରୁ ଅଧିକ କାଳ ଜେଲ୍ ଦଣ୍ଡାଦେଶ ହୁଏ ତେବେ ତାଙ୍କ ସଦସ୍ୟତା ରଦ୍ଦ ହେବ। ନିକଟରେ ମୋଦୀ ସାଙ୍ଗିଆ ମାମଲାରେ ଦୁଇ ବର୍ଷ ଜେଲ୍ ଦଣ୍ଡ ପରେ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ସାଂସଦ ପଦ ରଦ୍ଦ ହୋଇଥିଲା ।

ଗାଜିପୁରରେ ନଭେମ୍ବର ୨୯, ୨୦୦୫ରେ ମହମ୍ମଦବାଦର ତତ୍କାଳୀନ ବିଜେପି ବିଧାୟକ କୃଷ୍ଣାନନ୍ଦ ରାୟଙ୍କ ସମେତ ୭ ଜଣଙ୍କୁ ଗୁଳି କରି ହତ୍ୟା କରାଯାଇଥିଲା। ନିର୍ବାଚନରେ ପ୍ରତିଦ୍ବନ୍ଦ୍ବିତାରୁ ଏହି ହତ୍ୟାକାଣ୍ଡ ଘଟିଥିଲା। ଏହି ହତ୍ୟା ମାମଲାରେ ମୁଖତାର୍ ଅନସାରୀ ଏବଂ ଅଫଜଲଙ୍କୁ ଅଭିଯୁକ୍ତ କରାଯାଇଥିଲା। ଅନସାରୀ ଭ୍ରାତାଙ୍କ ଦବଦବା ଥିବା ମହମ୍ମଦାବାଦ ବିଧାନସଭା ଆସନରେ ୨୦୦୨ରେ ଅଫଜାଲ ଅନସାରୀଙ୍କୁ ପରାସ୍ତ କରି କୃଷ୍ଣାନନ୍ଦ ରାୟ ବିଜୟୀ ହୋଇଥିଲେ । ଏହି କାରଣରୁ ତାଙ୍କୁ ହତ୍ୟା କରାଯାଇଥିଲା।

ମୁଖତାର୍ ଅନସାରୀ ଉତ୍ତର ପ୍ରଦେଶର ମାଉ ସଦର ଆସନରୁ ପାଞ୍ଚ ଥର ବିଧାୟକ ରହିଥିଲେ । ଗ୍ୟାଙ୍ଗଷ୍ଟରରୁ ରାଜନେତା ପାଲଟିଥିବା ମୁଖତାର୍ ଅନସାରୀ ୨୦୨୨ ବିଧାନସଭା ନିର୍ବାଚନ ଲଢିନଥିଲେ । ଏହି ଆସନରୁ ତାଙ୍କ ପୁଅ ଆବାସ୍ ଅନସାରୀ ଏସବିଏସପି ପାର୍ଟି ଟିକେଟରେ ନିର୍ବାଚନ ଲଢ଼ି ବିଜୟୀ ହୋଇଥିଲେ ।

Exit mobile version