Site icon ଆଜିକାଲି

ଗ୍ୟାଙ୍ଗ୍‌ଷ୍ଟାର ମାମଲାରେ ମାଫିଆ ମୁଖତାର୍‌ ଅନ୍‌ସାରୀଙ୍କୁ ୧୦ ବର୍ଷ ଜେଲ୍‌, ୫ ଲକ୍ଷ ଟଙ୍କା ଜରିମାନା

ନୂଆଦିଲ୍ଲୀ : ମାଫିଆ ମୁଖତାର୍‌ ଅନ୍‌ସାରୀଙ୍କୁ ବଡ଼ ଝଟ୍‌କା। ଗାଜିପୁରର ଏମ୍‌ପି/ଏମ୍‌ଏଲ୍‌ଏ କୋର୍ଟ ଗ୍ୟାଙ୍ଗ୍‌ଷ୍ଟାର ମାମଲାରେ ଅନ୍‌ସାରୀଙ୍କୁ ୧୦ ବର୍ଷର ଜେଲ୍‌ ଦଣ୍ଡାଦେଶ ଦେଇଛନ୍ତି। ଏହା ସହିତ ୫ ଲକ୍ଷ ଟଙ୍କା ଜରିମାନା ମଧ୍ୟ ଲଗାଇଛନ୍ତି। ଏହି ମାମଲାରେ ସୋନୁ ଯାଦବଙ୍କୁ ୫ ବର୍ଷର ଦଣ୍ଡାଦେଶ ହୋଇଛି ଏବଂ ୨ ଲକ୍ଷ ଟଙ୍କା ଜରିମାନା ଲଗାଯାଇଛି। ଏହା ପୂର୍ବରୁ ମଧ୍ୟ ଅନ୍ୟ ଏକ ଗ୍ୟାଙ୍ଗ୍‌ଷ୍ଟାର ମାମଲାରେ ଅନ୍‌ସାରୀଙ୍କୁ ୧୦ ବର୍ଷ ଜେଲ୍‌ ଦଣ୍ଡ ମିଳିଛି।

ଏହା ବ୍ୟତୀତ କଂଗ୍ରେସ ରାଜ୍ୟ ଅଧ୍ୟକ୍ଷ ଅଜୟ ରାୟଙ୍କ ଭାଇ ଅବଧେଶ ରାୟଙ୍କ ହତ୍ୟା ମାମଲାରେ ଅନ୍‌ସାରୀଙ୍କୁ ଆଜୀବନ କାରାଦଣ୍ଡ ଶୁଣାଯାଇଛି। ଏ ପର୍ଯ୍ୟନ୍ତ ୭ଟି ମାମଲରେ ତାଙ୍କୁ ଦଣ୍ଡ ଶୁଣାଯାଇଛି। ତେବେ ଗାଜିପୁରର କରଣ୍ଡା ଥାନାରେ ରୁଜୁ ମାମଲାରେ ଜଜ୍‌ ଅରବିନ୍ଦ କୁମାର ମିଶ୍ରଙ୍କ କୋର୍ଟ ଶୁକ୍ରବାର ରାୟ ଶୁଣାଇଛନ୍ତି। ଶୁଣାଣି ସମୟରେ ଭିଡିଓ କନ୍‌ଫରେନ୍ସି ମାଧ୍ୟମରେ ଅନ୍‌ସାରୀଙ୍କୁ ବାନ୍ଦା ଜେଲ୍‌ରୁ ହାଜର କରାଯାଇଥିଲା।

୨୦୦୯ରେ କରଣ୍ଡା ଅଞ୍ଚଳର ସବୁଆ ନିବାସୀ କପିଲଦେବ ସିଂଙ୍କ ହତ୍ୟା ଏବଂ ମୁହମ୍ମଦାବାଦର ଅମିର୍‌ ହସନଙ୍କ ହତ୍ୟା ଉଦ୍ୟମ ମାମଲାରେ ଅନ୍‌ସାରୀଙ୍କ ନାଁରେ ଗ୍ୟାଙ୍ଗ୍‌ଷ୍ଟାର ଆକ୍ଟ ଅଧୀନରେ ମାମଲା ରୁଜୁ ହୋଇଥିଲା। ଏହିପରି ବିଜେପି ବିଧାୟକ କୃଷ୍ଣାନନ୍ଦ ରାୟଙ୍କ ହତ୍ୟା ପରେ ୨୦୦୫ରେ ରୁଜୁ ଗ୍ୟାଙ୍ଗ୍‌ଷ୍ଟାର ମାମଲାରେ ଅନ୍‌ସାରୀଙ୍କୁ ୧୦ ବର୍ଷର ଜେଲ୍‌ ଦଣ୍ଡାଦେଶ ହୋଇଥିଲା। ୨୦୨୩ ଏପ୍ରିଲ୍‌ ୨୯ରେ ଏମ୍‌ପି/ଏମ୍‌ଏଲ୍‌ଏ କୋର୍ଟ ତାଙ୍କୁ ଜେଲ୍‌ ଦଣ୍ଡ ସହ ୪ ଲକ୍ଷ ଟଙ୍କା ଜରିମାନା ଲଗାଇଥିଲେ।

FacebookTwitterLinkedinWhatsapp
Exit mobile version