Site icon ଆଜିକାଲି

ଆଇପିଏଲରେ ମୁମ୍ୱାଇ ଇଣ୍ଡିଆନ୍ସର ବ୍ରାଣ୍ଡ ଭାଲ୍ୟୁ ସବୁଠୁ ଅଧିକ, ଦ୍ୱିତୀୟ ସ୍ଥାନରେ ଚେନ୍ନାଇ

ନୂଆଦିଲ୍ଲୀ: ଇଣ୍ଡିଆନ୍ ପ୍ରିମିୟର ଲିଗ୍‌(ଆଇପିଏଲ)ର ପରବର୍ତ୍ତୀ ସଂସ୍କରଣ ପାଇଁ ଖେଳାଳିଙ୍କ ନିଲାମୀ ଆସନ୍ତା ଡିସେମ୍ୱର ୧୯ରେ ହେବ । ଏଥିପାଇଁ ସମସ୍ତ ୧୦ ଫ୍ରାଞ୍ଚାଇଜ୍ ନିଜ ପ୍ରସ୍ତୁତିକୁ ଚୂଡାନ୍ତ ରୂପ ଦେବାରେ ଲାଗିଛନ୍ତି । ଏହାରି ଭିତରେ ବୁଧବାର ମୁମ୍ୱାଇ ଇଣ୍ଡିଆନ୍ସ ଏକ ବଡ଼ ସୂଚନା ଇନଷ୍ଟାଗ୍ରାମରେ ସେୟାର କରିଛି । ଏଥରେ ବ୍ରାଣ୍ଡ ଭାଲ୍ୟୁ ଆଧାରରେ ସମସ୍ତ ୧୦ ଟିମ୍‌ର ରାଙ୍କିଂ ଦର୍ଶାଯାଇଛି । ମୁମ୍ୱାଇ ଇଣ୍ଡିଆନ୍ସର ବ୍ରାଣ୍ଡ ଭେଲ୍ୟୁ ସବୁଠୁ ଅଧିକ ପ୍ରାୟ ୭୨୫ କୋଟି ଟଙ୍କା (୮୭ ବିଲିୟନ ଆମେରିକୀୟ ଡଲାର) ଅଛି ।

ମୁମ୍ୱାଇ ଇଣ୍ଡିଆନ୍ସ ଟିମ୍ ଏବେ ସୁଦ୍ଧା ପାଞ୍ଚ ଥର ଚାମ୍ପିୟନ ହୋଇଛି । ରୋହିତ୍ ଶର୍ମାଙ୍କ ନେତୃତ୍ୱରେ ହିଁ ଟିମ୍ ସବୁ ଥର ଚାମ୍ପିୟନ ହୋଇଛି । ୨୦୧୩, ୨୦୧୫, ୨୦୧୭, ୨୦୧୯ ଓ ୨୦୨୦ରେ ଟାଇଟଲ୍ ଜିତିଥିଲା । ସେହିପରି ମୁମ୍ୱାଇ ପରେ ବ୍ରାଣ୍ଡ ଭାଲ୍ୟୁ ମାମଲାରେ ଦ୍ୱିତୀୟ ସ୍ଥାନରେ ମହେନ୍ଦ୍ର ସିଂ ଧୋନୀଙ୍କ କ୍ୟାପ୍ଟେନ୍ସିରେ ଥିବା ଚେନ୍ନାଇ ସୁପରକିଙ୍ଗ୍ସ ରହିଛି । ଚେନ୍ନାଇର ବ୍ରାଣ୍ଡ ଭାଲ୍ୟୁ ପ୍ରାୟ ୬୭୨ କୋଟି ଟଙ୍କା ରହିଛି । ଚେନ୍ନାଇ ଟିମ ମଧ୍ୟ ପାଞ୍ଚ ଥର ଚାମ୍ପିୟନ ହୋଇଛି । ୨୦୧୦, ୨୦୧୧, ୨୦୧୮, ୨୦୨୧ ଓ ୨୦୨୩ରେ ଟିମ୍ ଚାମ୍ପିୟନ ହୋଇଥିଲା । ଶେଷ ଥର ଗୁଜରାଟ ଟାଇଟନ୍ସକୁ ହରାଇ ଚେନ୍ନାଇ ଚାମ୍ପିୟନ ହୋଇଥିଲା ।

ଦୁଇ ଥର ଚାମ୍ପିୟନ୍ କୋଲକାତା ନାଇଟରାଇଡର୍ସ ଟିମ୍‌ର ବ୍ରାଣ୍ଡ ଭାଲ୍ୟୁ ପ୍ରାୟ ୬୫୫ କୋଟି ଟଙ୍କା ରହିଛି । କୋଲକାତା ୨୦୧୨ ଓ ୨୦୧୪ରେ ଚାମ୍ପିୟନ ହୋଇଥିଲା । ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରର ବ୍ରାଣ୍ଡ ଭାଲ୍ୟୁ ୫୮୨ କୋଟି ଟଙ୍କା । ଗୁଜରାଟ ଟାଇଟାନ୍ସର ବ୍ରାଣ୍ଡ ଭାଲ୍ୟୁ ୫୪୫ କୋଟି ଟଙ୍କା ରହିଛି । ଦିଲ୍ଲୀ କ୍ୟାପିଟାଲ୍ସର ବ୍ରାଣ୍ଡ ଭାଲ୍ୟୁ ୫୩୭ କୋଟି ଟଙ୍କା, ରାଜସ୍ଥାନ ରୟାଲ୍ସର ବ୍ରାଣ୍ଡ ଭାଲ୍ୟୁ ୫୨୧ କୋଟି ଟଙ୍କା, ସନ ରାଇଜର୍ସ ହାଇଦ୍ରାବାଦର ବ୍ରାଣ୍ଡ ଭାଲ୍ୟୁ ୪୦୧ କୋଟି ଟଙ୍କା, ଲକ୍ଷ୍ନୌ ସୁପର ଜିଆଣ୍ଟସ୍ ବ୍ରାଣ୍ଡ ଭାଲ୍ୟୁ ୩୯୧ କୋଟି ଟଙ୍କା ଓ ପଞ୍ଜାବ କିଙ୍ଗ୍ସର ବ୍ରାଣ୍ଡ ଭାଲ୍ୟୁ ୩୭୭ କୋଟି ଟଙ୍କା ରହିଛି ।

Exit mobile version