Site icon ଆଜିକାଲି

ବିଜୟ ଟ୍ରାକ୍‌କୁ ଫେରିଲା ମୁମ୍ବାଇ ଇଣ୍ଡିଆନ୍ସ, ୭ ଓ୍ବିକେଟରେ ହାରିଲା ଆରସିବି

ବେଙ୍ଗାଲୁରୁ : ରୋମାଞ୍ଚକର ହେଉଛି ଡବ୍ଲ୍ୟୁପିଏଲ୍‌ । ଶନିବାର ଏକ ଚିତ୍ତାକର୍ଷକ ମ୍ୟାଚରେ ଡିଫେଣ୍ଡିଂ ଚାମ୍ପିଅନ୍‌ ମୁମ୍ବାଇ ଇଣ୍ଡିଆନ୍ସ ପୁଣି ବିଜୟଧାରାକୁ ଫେରିଛି । ନବମ ଲିଗ୍‌ ମୁକାବିଲାରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗେଲୁରୁ(ଆରସିବି)କୁ ୭ ୱିକେଟ୍‌ରେ ପରାସ୍ତ କରିଛି ମୁମ୍ବାଇ ଇଣ୍ଡିଆନ୍ସ । ପ୍ରଥମେ ବ୍ୟାଟିଂ କରି ରୟାଲ୍‌ ଚ୍ୟାଲେଞ୍ଜର୍ସ ୬ ୱିକେଟ୍‌ ବିନିମୟରେ ୧୩୧ ରନ୍‌ ସଂଗ୍ରହ କରିଥିଲା । ଜବାବରେ ମୁମ୍ବାଇ ଇଣ୍ଡିଆନ୍ସ ୧୫.୧ ଓଭରରେ ୩ ୱିକେଟ୍‌ ହରାଇ ଲକ୍ଷ୍ୟ ହାସଲ କରିନେଇଛି । ଏହି ବିଜୟ ସହ ମୁମ୍ବାଇ ଇଣ୍ଡିଆନ୍ସ ପଏଣ୍ଟ ତାଲିକାର ଶୀର୍ଷକୁ ଉନ୍ନୀତ ହୋଇଛି ।

ଟସ୍‌ ଜିତି ଫିଲ୍ଡିଂ ନିଷ୍ପତ୍ତି ନେଇଥିଲା ମୁମ୍ବାଇ ଇଣ୍ଡିଆନ୍ସ । ଘରୋଇ ଦଳ ପ୍ରାରମ୍ଭିକ ବିପର୍ଯ୍ୟୟର ସାମ୍ନା କରିଥିଲା । ଦୁଇ ଓପନର ସ୍ମୃତି ମନ୍ଧନା ଓ ସୋଫି ଡିଭାଇନ୍‌ ୯ ରନ୍‌ ଲେଖାଏଁ କରି ଆଉଟ୍‌ ହୋଇଥିଲେ । ପରେ ଏସ୍ ମେଘନା ଓ ରିଚା ଘୋଷ ମଧ୍ୟ ନିରାଶ କରିଥିଲେ । ୪୨ରନ୍‌ରେ ଦଳ ୪ଟି ୱିକେଟ୍‌ ହରାଇଥିଲା । ମାତ୍ର ଅଲ୍‌ରାଉଣ୍ଡର ଏଲସି ପେରୀ ଗୋଟିଏ ପଟେ ଦୃଢ ବ୍ୟାଟିଂ କରି ସ୍ଥିତି ସୁଧାରିଥିଲେ । ନିମ୍ନ ଭାଗ ବ୍ୟାଟରଙ୍କୁ ସାଥୀ କରି ସେ ଦଳୀୟ ସ୍କୋରକୁ ସମ୍ମାନଜନକ ସ୍ଥିତିରେ ପହଞ୍ଚାଇଥିଲେ । ସେ ୩୮ଟି ବଲ୍‌ରୁ ୫ଚୌକା ବଳରେ ୪୪ ରନ୍‌ କରି ଅପରାଜିତ ରହିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଜର୍ଜିୟା ୱାରେହାମ ୨୭ ଓ ସୋଫି ମୋଲିନକ୍ସ ୧୨ ରନ୍‌ କରିଥିଲେ । ମୁମ୍ବାଇ ଇଣ୍ଡିଆନ୍ସ ପକ୍ଷରୁ ନାତାଲି ସ୍କିଭର-ବ୍ରଣ୍ଟ ଓ ପୂଜା ବସ୍ତ୍ରାକର ୨ଟି ଲେଖାଏଁ ୱିକେଟ୍‌ ନେଇଥିଲେ ।

ମୁମ୍ବାଇ ଇଣ୍ଡିଆନ୍ସର ଦୁଇ ଓପନର ୟସ୍ତିକା ଭାଟିଆ ଓ ହେଲି ମାଥ୍ୟୁସ ଆକ୍ରମଣାତ୍ମକ ବ୍ୟାଟିଂ କରି ୪୫ ରନ୍‌ ସଂଗ୍ରହ କରିଥିଲେ । ୟସ୍ତିକା ୧୫ଟି ବଲ୍‌ରୁ ୩୧ରନ୍‌ କରି ପ୍ରଥମେ ଆଉଟ୍‌ ହୋଇଥିଲେ । ମାଥ୍ୟୁସଙ୍କ ସହ ନାତାଲି ସ୍କିଭର-ବ୍ରଣ୍ଟ ଭାଗିଦାରୀ ଭାବେ ୨୪ ରନ୍‌ର ସଂଗ୍ରହ କରିଥିଲେ । ଦଳୀୟ ସ୍କୋର ୬୯ ବେଳେ ମାଥ୍ୟୁସ୍‌ ବ୍ୟକ୍ତିଗତ ୨୬ ରନ୍‌ କରି ଆଉଟ୍ ହୋଇଥିଲେ । ଏହାପରେ ବ୍ୟାଟିଂ କରିବାକୁ ଓହ୍ଲାଇଥିବା ଆମେଲିଆ କେର୍ ବିସ୍ଫୋରକ ବ୍ୟାଟିଂ କରିଥିଲେ । ଆମେଲିଆ ମାତ୍ର ୨୪ଟି ବଲ୍‌ରୁ ୭ଟି ଚୌକା ବଳରେ ୪୦ରନ୍‌ କରିବା ଫଳରେ ଦଳ ୨୯ଟି ବଲ୍‌ ବାକିଥାଇ ବିଜୟ ହାସଲ କରିଥିଲା ।

Exit mobile version