Site icon ଆଜିକାଲି

ପ୍ରଥମ ଦଳ ଭାବେ ପ୍ଲେ ଅଫ୍ ଦୌଡ଼ରୁ ବାଦ୍ ପଡ଼ିଲା ମୁମ୍ବାଇ ଇଣ୍ଡିଆନ୍ସ

ନୂଆଦିଲ୍ଲୀ: ପାଞ୍ଚ ଥର ଆଇପିଏଲ୍ ଚାମ୍ପିୟନ୍ ମୁମ୍ବାଇ ଇଣ୍ଡିଆନ୍ସ ପ୍ରଥମ ଦଳ ଭାବେ ଚଳିତ ସିଜନର ପ୍ଲେ ଅଫ୍ ଦୌଡ଼ରୁ ବାଦ୍ ପଡ଼ିଛି । ଲକ୍ଷ୍ନୌ ସୁପର ଜାଏଣ୍ଟସ୍ ବିପକ୍ଷରେ ସନରାଇଜର୍ସ ହାଇଦ୍ରାବାଦର ଜବରଦସ୍ତ ବିଜୟ ପରେ ମୁମ୍ବାଇର ପ୍ଲେ ଅଫ୍ ବାଟ ବନ୍ଦ ହୋଇଯାଇଛି । କୋଲକାତା ନାଇଟ୍ ରାଇଡର୍ସ ଓ ରାଜସ୍ଥାନ ରୟାଲ୍ସ ୧୬ ପଏଣ୍ଟ ସହ ଟେବୁଲର ପ୍ରଥମ ଦୁଇ ସ୍ଥାନରେ ଥିବାବେଳେ ହାଇଦ୍ରାବାଦ ଟିମ୍ ୧୪ ପଏଣ୍ଟ ସହ ତୃତୀୟ ସ୍ଥାନରେ ପହଞ୍ଚି ପ୍ଲେ ଅଫର ନିକଟତର ହୋଇଛି । ମୁମ୍ବାଇ ଇଣ୍ଡିଆନ୍ସ ଆଉ ଦୁଇଟି ମ୍ୟାଚ୍ ଖେଳିବାକୁ ଥିବାବେଳେ ପଏଣ୍ଟ ଟେବୁଲରେ ଦଳର ଟପ-୪ ଫିନିଶ୍ ସମ୍ଭାବନା ନାହିଁ।

ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ନେତୃତ୍ଵାଧୀନ ମୁମ୍ବାଇ ଇଣ୍ଡିଆନ୍ସ ଏପର୍ଯ୍ୟନ୍ତ ୧୨ଟି ମ୍ୟାଚ୍ ଖେଳି ମାତ୍ର ୮ ପଏଣ୍ଟ ହାସଲ କରିଛି । ଲିଗ୍ ପର୍ଯ୍ୟାୟରେ ମୁମ୍ବାଇର ଆଉ ମାତ୍ର ଦୁଇଟି ମ୍ୟାଚ୍ ବାକି ଅଛି। ମୁମ୍ବାଇ ଏହି ଦୁଇଟି ମ୍ୟାଚ୍ ଜିତିଲେ ମଧ୍ୟ ଦଳର ପଏଣ୍ଟ ସଂଖ୍ୟା ୧୨ରେ ପହଞ୍ଚିବ | ଏଭଳି ସ୍ଥିତିରେ ଅନ୍ୟ ଦଳର ପଏଣ୍ଟ ସମୀକରଣ ଦେଖିଲେ ମୁମ୍ବାଇ ଶେଷ-୪ରେ ପହଞ୍ଚି ପାରିବ ନାହିଁ।

ପଏଣ୍ଟ ଟେବୁଲରେ ଦିଲ୍ଲୀ କ୍ୟାପିଟାଲ୍ସ ଏବଂ ଲକ୍ଷ୍ନୌ ସୁପର ଜାଏଣ୍ଟସ୍ ଆଗପଛ ହୋଇ ଅଛନ୍ତି। ଉଭୟ ଦଳ ଆଉ ଗୋଟିଏ ଥର ମୁହାଁମୁହିଁ ହେବେ। ଏହି ଦୁଇ ଦଳର ମଧ୍ୟ ଦୁଇଟି ଲେଖାଏଁ ମ୍ୟାଚ୍ ବାକି ଅଛି। ପଏଣ୍ଟ ଟେବୁଲରେ ଦିଲ୍ଲୀ ଓ ଲକ୍ଷ୍ନୌର ୧୨-୧୨ ପଏଣ୍ଟ ରହିଛି । ଅର୍ଥାତ୍ ଉଭୟ ଦଳ ମଧ୍ୟରେ ମୁକାବିଲାରେ ଯିଏ ଜିତିବା ତା’ର ୧୪ ପଏଣ୍ଟ ହେବ। ଏହାଛଡ଼ା ଚେନ୍ନାଇ ସୁପର କିଙ୍ଗ୍ସ ପାଖରେ ୧୨ ପଏଣ୍ଟ ରହିଥିବା ବେଳେ ଦଳ ଆହୁରି ୩ଟି ମ୍ୟାଚ୍ ଖେଳିବ । ଏଭଳି ସ୍ଥିତିରେ ମୁମ୍ବାଇ ପାଇଁ ଟପ୍-୪ ଫିନିଶ୍ ଅସମ୍ଭବ ଲାଗୁଛି।

Exit mobile version