Site icon ଆଜିକାଲି

ମୁମ୍ବାଇ ଇଣ୍ଡିଆନ୍ସ ମହିଳା ପ୍ରିମିୟର ଲିଗର ପ୍ରଥମ ଚାମ୍ପିୟନ

ମୁମ୍ବାଇ: ହରମନପ୍ରୀତ କୌରଙ୍କ ନେତୃତ୍ବାଧୀନ ମୁମ୍ବାଇ ଇଣ୍ଡିଆନ୍ସ ମହିଳା ପ୍ରିମିୟର ଲିଗ୍ (ଡବ୍ଲୁପିଏଲ୍)ର ପ୍ରଥମ ଚାମ୍ପିୟନ ହୋଇଛି | ବ୍ରବୋର୍ଣ୍ଣ ଷ୍ଟାଡିୟମରେ ଖେଳାଯାଇଥିବା ଫାଇନାଲରେ ଦିଲ୍ଲୀ କ୍ୟାପିଟାଲ୍ସକୁ ୭ ୱିକେଟରେ ହରାଇ ଟାଇଟଲ୍ ଜିତିଛି ମୁମ୍ବାଇ । ଟସ୍ ଜିତି ବ୍ୟାଟିଂ କରିଥିବା ଦିଲ୍ଲୀ ୨୦ ଓଭରରେ ୯ ୱିକେଟ୍ ହରାଇ ୧୩୧ ରନ୍ କରିଥିଲା। ଏହାର ଜବାବରେ ମୁମ୍ବାଇ ୧୯.୩ ଓଭରରେ ଲକ୍ଷ୍ୟ ହାସଲ କରିନେଇଥିଲା। ବିଜୟ ସୂଚକ ଶଟ୍‌ ମାରିଥିବା ମୁମ୍ବାଇ ଇଣ୍ଡିଆନ୍ସ ବ୍ୟାଟର ନାତାଲି ସ୍କିଭର ପ୍ଲେୟାର ଅଫ୍ ଦି ମ୍ୟାଚ୍ ବିବେଚିତ ହୋଇଥିଲେ। ସେ ୬୦ ରନ୍ କରି ଅପରାଜିତ ରହିଥିଲେ ।

ମହିଳା ପ୍ରିମିୟର ଲିଗ୍ ଚାମ୍ପିୟନ ମୁମ୍ବାଇ ଇଣ୍ଡିଆନ୍ସ ୬ କୋଟି ଟଙ୍କା ପୁରସ୍କାର ରାଶି ପାଇଛି। ରନର୍ସ ଅପ୍ ଦିଲ୍ଲୀ ୩ କୋଟି କୋଟି ଟଙ୍କା ପାଇଥିବା ବେଳେ ଏଲିମିନେଟରରେ ହାରିଥିବା ତୃତୀୟ ସ୍ଥାନରେ ରହିଥିବା ୟୁପି ୱାରିୟର୍ସ ୧ କୋଟି ଟଙ୍କା ମିଳିଛି। ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଏବଂ ଗୁଜୁରାଟ ଜାଏଣ୍ଟସ୍ ଦଳକୁ କୌଣସି ପୁରସ୍କାର ରାଶି ମିଳିନାହିଁ ।

ଦିଲ୍ଲୀ କ୍ୟାପିଟାଲ୍‌ସ ଟସ୍ ଜିତି ବ୍ୟାଟିଂ ନେବା ପରେ ଏହାର ଓପ୍‌ନର ଶେଫାଳି ବର୍ମା ୪ ବଲ୍‌ରୁ ୧୧ ରନ୍‌କରି ଆଉଟ୍‌ ହୋଇଥିଲେ। ପରେ ଆଲିସ୍ କାପ୍‌ସି ୦ ଓ ଜେମିମା ରଡ୍ରି​‌​‌ଗ୍ବଜ୍ ୯ ରନ୍‌କରି ଆଉଟ୍‌ ହୋଇଥିଲେ। ଅଧିନାୟକ ମେଗ୍‌ ଲାନିଙ୍ଗ୍‌ ଓ ମାରିଜେନ୍ କାପ୍ ୩୮ ରନ୍‌ ଯୋଡ଼ିଥିଲେ। ଲାନିଙ୍ଗ୍‌ ୨୯ ବଲ୍‌ରୁ ୫ଟି ଚୌକା ସହ ୩୫ ରନ୍‌ କରିଥିଲେ। କାପ୍ ୨୧ ବଲ୍‌ରୁ ୧୮ ରନ୍‌ କରିଥିଲେ। ୭୯ ରନ୍‌ରେ ଦିଲ୍ଲୀ ୯ଟି ୱିକେଟ ହରାଇ ଦୟନୀୟ ସ୍ଥିତିରେ ଥିଲା। ହେଲେ ଶେଷ ୱିକେଟ ପାଇଁ ଶିଖା ପାଣ୍ଡେ ଓ ରାଧା ଯାଦବ ୪ ଓଭରରେ ୫୨ ରନ୍‌ ଯୋଡ଼ି ଦଳକୁ ଏକ ସମ୍ମାନଜନକ ସ୍କୋର୍‌ରେ ପହଞ୍ଚାଇଥିଲେ। ଶିଖା ୧୭ ବଲ୍‌ରୁ ଗୋଟିଏ ଛକା ଓ ୩ଟି ଚୌକା ସହ ୨୭ ଏବଂ ରାଧା ୧୨ ବଲ୍‌ରୁ ୨ଟି ଲେଖାଏଁ ଛକା ଓ ଚୌକା ସହ ୨୭ ରନ୍‌ କରିଥିଲେ। ଇସି ୱଙ୍ଗ୍‌ ଓ ହେଲି ମାଥ୍ୟୁସ୍ ୩ଟି ଲେଖାଏଁ ଏବଂ ଆମେଲିଆ କେର୍ ୨ଟି ୱିକେଟ ନେଇଥିଲେ। ଶିଖା ପାଣ୍ଡେ ଓ ରାଧା ଯାଦବ ଶେଷଆଡ଼କୁ ୫୨ ରନ୍‌ ଯୋଡ଼ିନଥିଲେ ମ୍ୟାଚ୍‌ ଏକତରଫା ହୋଇ ଯାଇଥାଆନ୍ତା।

୧୩୨ ରନ୍‌ ଲକ୍ଷ୍ୟରେ ମୁମ୍ବଇ ଇଣ୍ଡିଆନ୍‌ସର ୟାସ୍ତିକା ଭାଟିଆ ୪ ଓ ଅନ୍ୟ ଓପ୍‌ନର ହେଲି ମାଥ୍ୟୁସ୍‌ ୧୩ ରନ୍‌କରି ବିଦାୟ ନେଇଥିଲେ। ୨୩ ରନ୍‌ରେ ୨ଟି ୱିକେଟ ପଡ଼ିବା ପରେ ନାଟ୍‌ ସ୍କିଭର-ବ୍ରଣ୍ଟ୍‌ ଓ ଅଧିନାୟକ ହରମନପ୍ରୀତ କୌର ୩ୟ ୱିକେଟ୍‌ ପାଇଁ ୭୨ ରନ୍‌ ଯୋଗକରି ଦଳର ସ୍ଥିତି ମଜ୍‌ଭୁତ କରିଥିଲେ। ହରମନପ୍ରୀତ ୩୯ ବଲ୍‌ରୁ ୫ଟି ଚୌକା ସହ ୩୭ ରନ୍‌ କରିଥିଲେ। ଶେଷ ୨ ଓଭରରୁ ମୁମ୍ବଇ ଇଣ୍ଡିଆନ୍‌ସ ୨୧ ରନ୍‌ ଆବଶ୍ୟକ କରୁଥିଲା। ଜେସ୍ ଜୋନାସେନ୍ ବୋଲିଂ କରିଥିବା ୧୯ଶ ଓଭରରୁ ନାଟ୍‌ ସ୍କିଭର-ବ୍ରଣ୍ଟ୍‌ ଓ ଆମେଲିକା କେର୍ ୧୬ ରନ୍‌ ନେବାରୁ ମୁମ୍ବଇର ବିଜୟ ନିଶ୍ଚିତ ହୋଇ ଯାଇଥିଲା। ନାଟ୍‌ ସ୍କିଭର-ବ୍ରଣ୍ଟ୍‌ ୫୫ ବଲ୍‌ରୁ ୭ଟି ଚୌକା ସହ ୬୦ ରନ୍‌କରି ଅପରାଜିତ ଥିଲେ। ନ୍ୟୁଜିଲାଣ୍ଡର ଆମେଲିଆ କେର୍ ୮ ବଲ୍‌ରୁ ୨ଟି ଚୌକା ସହ ୧୪ ରନ୍‌ କରି ଅପରାଜିତ ଥିଲେ। ଶେଷଆଡ଼କୁ ମ୍ୟାଚ୍‌ ରୋମାଞ୍ଚକର ହେବା ସତ୍ତ୍ବେ ଦିଲ୍ଲୀ ଜିତି ପାରିନଥିଲା।

Exit mobile version