Site icon ଆଜିକାଲି

ଆଇପିଏଲରେ ଆଜି ମୁହାଁମୁହିଁ ହେବେ ମୁମ୍ବାଇ-ଆର୍‌ସିବି

ମୁମ୍ବାଇ : ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ)-୨୦୨୩ରେ ଆଜି ହାଇ-ଭୋଲଟେଜ୍ ମୁକାବିଲା। ମଙ୍ଗଳବାର ସନ୍ଧ୍ୟାରେ ଓ୍ବାଙ୍ଖେଡେରେ ମୁହାଁମୁହିଁ ହେବେ ମୁମ୍ବାଇ ଇଣ୍ଡିଆନ୍ସ ଓ ରୟାଲ୍ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ମଧ୍ୟରେ ଖେଳାଯିବ ଏହି ମ୍ୟାଚ । ପୂର୍ବରୁ ଉଭୟ ଦଳ ୧୦ଟି ଲେଖାଏଁ ମ୍ୟାଚ୍‌ ଖେଳି ସାରିଥିବା ବେଳେ ୧୦ ଅଙ୍କ ଲେଖାଏଁ ପଏଣ୍ଟ ପାଇ ଟେବୁଲରେ ଷଷ୍ଠ ଓ ଅଷ୍ଟମ ସ୍ଥାନରେ ରହିଛନ୍ତି । ଦୁଇ ଦଳ ପାଇଁ ଆଜିର ମ୍ୟାଚ ବହୁ ଗୁରୁତ୍ବପୂର୍ଣ୍ଣ । ପ୍ଲେ-ଅଫ୍‌ରେ ପ୍ରବେଶ କରିବାକୁ ହେଲେ ବିଜୟ ଧାରାକୁ ଫେରିବାକୁ ପଡ଼ିବ ।

ପୂର୍ବ ରେକର୍ଡକୁ ଦେଖିଲେ ମୁମ୍ବାଇ ଇଣ୍ଡିଆନ୍ସ ଆଗରେ ରହିଛି । ଆଇପିଏଲ୍‌ରେ ଉଭୟ ଦଳ ପରସ୍ପରକୁ ୩୧ଥର ଭେଟିସାରିଛନ୍ତି । ଏଥିରୁ ମୁମ୍ବାଇ ଇଣ୍ଡିଆନ୍ସ ୧୭ଟି ଓ ରୟାଲ ଚ୍ୟାଲେଞ୍ଜର୍ସ ୧୪ଟି ଲେଖାଏଁ ମ୍ୟାଚରେ ବିଜୟୀ ହୋଇଛି । ଗତ ଦୁଇ ବର୍ଷର ଫଳାଫଳକୁ ଦେଖିଲେ ରୟାଲ୍‌ ଚ୍ୟାଲେଞ୍ଜର୍ସର ପଲା ଭାରି ରହିଛି । ୨୦୨୧ରୁ ଏପର୍ଯ୍ୟନ୍ତ ଉଭୟ ଦଳ ପରସ୍ପରକୁ ୪ଥର ଭେଟିଛନ୍ତି ଓ ରୟାଲ୍‌ ଚ୍ୟାଲେଞ୍ଜର୍ସ ସମସ୍ତ ମ୍ୟାଚ ଜିତିଛି ।

ମୁମ୍ବାଇ ଇଣ୍ଡିଆନ୍ସ ବର୍ତ୍ତମାନ ପ୍ରତିଶୋଧକୁ ଭୁଲି ପ୍ଲେ-ଅଫ୍‌ରେ ପ୍ରବେଶ କରିବାକୁ ପ୍ରୟାସ ଚଳାଇଛି । ଏଥିପାଇଁ ଆଜିର ମ୍ୟାଚରେ ରୟାଲ ଚ୍ୟାଲେଞ୍ଜର୍ସକୁ ପରାସ୍ତ କରିବା ଜୁରୁରୀ । ଚଳିତ ବର୍ଷ ମୁମ୍ବାଇ ଇଣ୍ଡିଆନ୍ସର ବୋଲିଂ ସବୁଠୁ ଦୁର୍ବଳ ରହିଛି । ବ୍ୟାଟିଂ ବିଭାଗର ପ୍ରଦର୍ଶନରେ ଉନ୍ନତି ହୋଇଛି । ଅଧିନାୟକ ରୋହିତ ଶର୍ମାଙ୍କ ଫର୍ମକୁ ନେଇ ଦଳ ଚିନ୍ତିତ ରହିଛି ।

ସେହିପରି ରୟାଲ୍‌ ଚ୍ୟାଲେଞ୍ଜର୍ସର ବୋଲିଂ ବେଶ୍‌ ଶକ୍ତିଶାଳୀ ରହିଛି । ବିଶେଷ କରି ମହମ୍ମଦ ସିରାଜ ଘାତକ ବୋଲିଂ କରୁଥିବାବେଳେ ଜୋସ ହାଜେଲଉଡ୍‌ ଫିଟ୍‌ ହୋଇ ଏକାଦଶକୁ ଫେରିବା ଦଳ ପାଇଁ ବରଦାନ ସାବ୍ୟସ୍ତ ହୋଇଛି । ବ୍ୟାଟିଂ ବିଭାଗ କେବଳ ୩ତାରକା କୋହଲି, ଡୁ ପ୍ଲେସି, ଗ୍ଳେନ ମ୍ୟାକ୍ସୱେଲ୍‌ଙ୍କ ଉପରେ ନିର୍ଭର କରୁଛି ।

Exit mobile version