Site icon ଆଜିକାଲି

ସୟଦ ମୁସ୍ତାକ ଅଲି ଟ୍ରଫି ଜିତିଲା ମୁମ୍ବାଇ

କୋଲକାତା : ସୟଦ ମୁସ୍ତାକ ଅଲି ଟ୍ରଫି ଜିତି ନେଇଛି ମୁମ୍ବାଇ । ଷ୍ଟାଟ ଖେଳାଳି ସରଫରାଜ ଖାନ ଓ ତନୁଶ କୋଟିଆନଙ୍କ ଦମଦାର ପ୍ରଦର୍ଶନ ବଳରେ ପ୍ରଥମ ଥର ପାଇଁ ସୟଦ ମୁସ୍ତାକ ଅଲି ଟ୍ରଫି ଜିତିଛି ମୁମ୍ବାଇ । ଉଭୟ ବ୍ୟାଟିଂ ଓ ବୋଲିଂରେ ଉଚ୍ଚକୋଟୀର ପ୍ରଦର୍ଶନ କରି ହିମାଚଳ ପ୍ରଦେଶକୁ ୩ ୱିକେଟେ ହରାଇ ଟ୍ରଫି ହାତେଇଛି ମୁମ୍ବାଇ । କୋଲକାତାର ଉଡେନ ଗାର୍ଡେନରେ ସୟଦ ମୁସ୍ତାକ ଅଲି ଟ୍ରଫିର ଫାଇନାଲ ମୁକାବିଲା ହୋଇଥିଲା । ତନୁଶ କୋଟିଆନ ପ୍ଲେୟାର ଅଫ ଦି ମ୍ୟାଚ ବିବେଚିତ ହୋଇଛନ୍ତି । ପ୍ରଥମ ଥର ପାଇଁ ଦୁଇ ଦଳ ଫାଇନାଲରେ ପ୍ରବେଶ କରିଥିଲେ ।

ମୁମ୍ବାଇ ଟସ ଜିତି ଫିଲ୍ଡିଂ ନିଷ୍ପତ୍ତି ନେଇଥିଲା । ବ୍ୟାଟିଂ ଆମନ୍ତ୍ରଣ ପାଇଁ ପ୍ରଥମେ ବ୍ୟାଟିଂ କରି ହିମାଚଳ ପ୍ରଦେଶ ୮ ୱିକେଟ ହରାଇ ୧୪୩ ରନ କରିଥିଲା । ପ୍ରାରମ୍ଭରୁ ହିମାଚଳ ପ୍ରଦେଶ ବିରର୍ଯ୍ୟୟର ସମ୍ମୁଖୀନ ହୋଇଥିଲା । ଦଳୀୟ ସ୍କୋର ୫୮ରେ ଦଳ ୬ ୱିକେଟ ହରାଇଥିଲା । ମୁମ୍ବାଇର ମୋହିତ ଅବସ୍ଥି ଓ ତନୁଶ ଘାତକ ବୋଲିଂ କରି ହିମାଚଳ ପ୍ରଦେଶର ବିପର୍ଯ୍ୟୟ ଘଟାଇଥିଲେ । ଦଳର ଅନ୍ୟ ବ୍ୟାଟର ଆକାଶ ବିଶିଷ୍ଟ ୨୫, ଏକାନ୍ତ ସେନ ୩୭ ଓ ମୟଙ୍କ ଡଗରଙ୍କ ଅପରାଜିତ ୨୧ ରନ ବଳରେ ଦଳୀୟ ସ୍କୋର ୧୪୩ରେ ପହଞ୍ଚିଥିଲା । ଅନ୍ୟମାନଙ୍କ ମଧ୍ୟରେ ପ୍ରଶାନ୍ତ ଚୋପ୍ରା ୧୯, ନିଖିଲ ୨୨ ରନ କରିଥିଲେ । ମୁମ୍ବାଇ ପକ୍ଷରୁ ମୋହିତ ଓ ତନୁଶ ପ୍ରତ୍ୟେକ ୩ଟି ଲେଖାଏଁ ୱିକେଟ ନେଇଥିଲେ ।

୧୪୪ ବିଜୟ ଲକ୍ଷ୍ୟ ନେଇ ପାଳି ଆରମ୍ଭ କରିଥିଲା ମୁମ୍ବାଇ । ଷ୍ଟାର ଓପନର ପୃଥ୍ବୀ ଶ’ ୧୧ ଓ ଅଧିନାୟକ ଅଜିଙ୍କ୍ୟ ରାହାଣେ ୧ ରନ କରି ସଅଳ ପାଭିଲିୟନ ଫେରିଥିଲେ । ପ୍ରଥମ ୱିକେଟ ପରେ ଯଶସ୍ବୀ ଜୈସ୍ବାଲ ୨୭ ରନ କରି ବେଶି ସମୟ କ୍ରିଜରେ ତିଷ୍ଠି ପାରି ନଥିଲେ । ମଧ୍ୟଭାଗରେ ଶ୍ରେୟାସ ଆୟର ଓ ସର୍ଫରାଜ ଖାନ ଦଳୀୟ ସ୍କୋରକୁ ଆଗରୁ ନେଇଥିଲେ । ଶ୍ରେୟାସ ଆୟର ୨୬ ବଲରେ ୩୪ ରନ କରି ଆଉଟ ହୋଇଥଲ । ସର୍ଫରାଜ ସତର୍କତାର ସହ ବ୍ୟାଟିଂ କରି ଦଳକୁ ବିଜୟ ନିକଟତର କରିଥିଲେ । ଶେଷ ଓଭରରେ ବିଜୟ ପାଇଁ ୬ ରନ ଦରକାର ଥିଲା ।ମୁମ୍ବାଇ ୩ ବଲ ବାକି ଥାଇ ଆବଶ୍ୟକୀୟ ରନ ସଂଗ୍ରହ କରି ନେଇଥିଲା । ତନୁଶ ୩ ବଲରେ ୮ ରନ କରି ଦଳକୁ ବିଜୟୀ କରାଇଥିଲେ । ସର୍ଫରାଜ ୩୬ ରନ କରିଥିଲେ । ଅଲରାଉଣ୍ଡର ପ୍ରଦର୍ଶନ କରି ଦଳ ବିଜୟର ମୁଖ୍ୟ ଭୂମିକା ତୁଲାଇଥିଲେ ତନୁଶ କୋଟିଆନ ।

Exit mobile version