Site icon ଆଜିକାଲି

ଟ୍ୱିଟର କିଣି କ୍ଷତି ସହୁଛନ୍ତି ମସ୍କ ! ପ୍ରଥମ ଥର ସମ୍ପତ୍ତି ମୂଲ୍ୟ ୨୦୦ ବିଲିୟନ ଡଲାର ତଳକୁ ଖସିଲା


ନୂଆଦିଲ୍ଲୀ: ସୋସିଆଲ ମିଡିଆ ପ୍ଲାଟଫର୍ମ ଟ୍ୱିଟର କିଣିବା ପରଠୁ ବିଶ୍ବର ସବୁଠୁ ବଡ଼ ଧନୀ ଏଲନ୍ ମସ୍କଙ୍କର ସମ୍ପତ୍ତି ମୂଲ୍ୟ କ୍ରମାଗତ ଭାବେ କମିବାରେ ଲାଗିଛି। ଏହାର କାରଣ ହେଉଛି ତାଙ୍କ ଇଲେକ୍ଟ୍ରୋନିକ୍ କାର୍ କମ୍ପାନୀ ‘ଟେସଲା’ର ସେୟାର ମୂଲ୍ୟରେ କ୍ରମାଗତ ହ୍ରାସ ପାଇବା। ନିବେଶକଙ୍କ ଆଶଙ୍କା ଯେ ମସ୍କଙ୍କ ଧ୍ୟାନ ବର୍ତ୍ତମାନ ଟ୍ୱିଟର ଉପରେ ରହିବ। ସେଥିପାଇଁ ସେମାନେ ଟେସଲା ସେୟାରରୁ ଦୂରେଇ ଯାଉଛନ୍ତି। ଟେସଲା ହେଉଛି ଦୁନିଆର ସବୁଠାରୁ ମୂଲ୍ୟବାନ ଅଟୋ କମ୍ପାନୀ | ଏଥିରେ ମସ୍କଙ୍କ ୧୫ ପ୍ରତିଶତ ଅଂଶଧନ ରହିଛି ଏବଂ ସେ କମ୍ପାନୀର ସବୁଠୁ ବଡ଼ ସେୟାର ହୋଲ୍ଡର | କମ୍ପାନୀର ବଜାର କ୍ୟାପ୍ ହେଉଛି ୬୨୨ ବିଲିୟନ ଡ଼ଲାର୍। ତେବେ ଟ୍ବିଟର କିଣିବା ପାଇଁ ମସ୍କ ଟେସଲାର ପ୍ରାୟ ୪ ବିଲିୟନ ଡଲାର ମୂଲ୍ୟର ସେୟାର ବିକ୍ରି କରିଦେଇଥିଲେ।

ଫୋର୍ବସ୍ ତଥ୍ୟ ଅନୁଯାୟୀ, ବର୍ତ୍ତମାନ ମସ୍କଙ୍କ ମୋଟ ସମ୍ପତ୍ତିର ମୂଲ୍ୟ ୧୯୪.୮ ବିଲିୟନ ଡ଼ଲାର୍। ଚଳିତ ବର୍ଷ ପ୍ରଥମ ଥର ପାଇଁ ତାଙ୍କର ନିଟ୍ ମୂଲ୍ୟ ୨୦୦ ବିଲିୟନ ଡଲାର ତଳକୁ ଖସି ଆସିଛି। ଗତ ବର୍ଷ ନଭେମ୍ବର ଆରମ୍ଭରେ ତାଙ୍କର ସମ୍ପତ୍ତି ମୂଲ୍ୟ ୩୩୫ ବିଲିୟନ ଡ଼ଲାରରେ ପହଞ୍ଚିଥିଲା। କିନ୍ତୁ ଚଳିତ ବର୍ଷ ଏହା ଯଥେଷ୍ଟ ହ୍ରାସ ପାଇଛି। ଚଳିତ ବର୍ଷ ଟେସଲାର ବଜାର ମୂଲ୍ୟ ପ୍ରାୟ ଅଧା ହ୍ରାସ ପାଇଛି। ଏପ୍ରିଲରେ ମସ୍କ ୪୪ ବିଲିୟନ ଡଲାରରେ ଟ୍ୱିଟର କିଣିବାକୁ ପ୍ରସ୍ତାବ ଦେଇଥିଲେ। ସେବେଠାରୁ ମସ୍କଙ୍କ ସମ୍ପତ୍ତି ମୂଲ୍ୟ ୭୦ ବିଲିୟନ ଡ଼ଲାରକୁ ହ୍ରାସ ପାଇଛି। ନିବେଶକମାନେ ଭାବିଥିଲେ ଯେ ଟ୍ୱିଟର ଡିଲ୍ ପାଇଁ ପାଣ୍ଠି ସଂଗ୍ରହ ସକାଶେ ମସ୍କ ଟେସଲା ସେୟାର ବିକ୍ରି କରିପାରନ୍ତି । ବର୍ତ୍ତମାନ ନିବେଶକମାନଙ୍କ ଆଶଙ୍କା ଯେ ମସ୍କ ଏବେ ଟ୍ୱିଟରକୁ ଅଧିକ ସମୟ ଦେବେ ଯାହା ଟେସଲାର ବ୍ୟବସାୟକୁ ପ୍ରଭାବିତ କରିପାରେ ।

Exit mobile version