Site icon ଆଜିକାଲି

ତିରୁପତି ମନ୍ଦିରକୁ ୧ କୋଟି ଟଙ୍କା ଦାନ କଲେ ମୁସଲିମ ଦମ୍ପତି


ତିରୁପତି: ଚେନ୍ନାଇର ଏକ ମୁସଲିମ ଦମ୍ପତି ଆନ୍ଧ୍ର ପ୍ରଦେଶର ତିରୁମାଲାସ୍ଥିତ ପ୍ରସିଦ୍ଧ ପ୍ରଭୁ ଭେଙ୍କଟେଶ୍ୱରଙ୍କ ତିରୁପତି ମନ୍ଦିରକୁ ୧.୦୨ କୋଟି ଟଙ୍କା ଦାନ କରିଛନ୍ତି। ପେସାରେ ଜଣେ ବ୍ୟବସାୟୀ ଅବଦୁଲ ଘାନି ଏବଂ ତାଙ୍କ ପତ୍ନୀ ସୁବିନା ବାନୋ ଏହି ଚେକ୍ ତିରୁମାଲା ତିରୁପତି ଦେବସ୍ଥାନମ୍ (ଟିଟିଡି) ଅଧିକାରୀଙ୍କୁ ଦେଇଛନ୍ତି।

ଟିଟିଡି ଅଧିକାରୀ କହିଛନ୍ତି ଯେ ଏହି ମୁସଲିମ ଦମ୍ପତି ନୂତନ ଭାବେ ନିର୍ମିତ ପଦ୍ମାବତୀ ବିଶ୍ରାମ ଗୃହର ଆସବାବପତ୍ର ଏବଂ ବାସନ ବାବଦକୁ ୮୭ ଲକ୍ଷ ଟଙ୍କା ଦାନ କରିଥିବା ବେଳେ ଏସଭି ଅନ୍ନ ପ୍ରସାଦମ୍ ଟ୍ରଷ୍ଟ ପାଇଁ ୧୫ ଲକ୍ଷ ଟଙ୍କାର ଏକ ଚେକ୍ ପ୍ରଦାନ କରିଥିଲେ । ମନ୍ଦିର ଆସୁଥିବା ଦୈନିକ ହଜାର ହଜାର ଭକ୍ତଙ୍କୁ ଏହି ଟ୍ରଷ୍ଟ ମାଗଣା ଖାଦ୍ୟ ଯୋଗାଇଥାଏ | ମୁସଲମାନ ଦମ୍ପତି ପ୍ରଥମେ ତିରୁମାଲା ତିରୁପତି ଦେବସ୍ଥାନମ୍ (ଟିଟିଡି) ଅଧିକାରୀ ଏଭି ଧର୍ମା ରେଡ୍ଡୀଙ୍କୁ ଭେଟିଥିଲେ। ଏହା ପରେ ତାଙ୍କୁ ୧.୦୨ କୋଟି ଟଙ୍କାର ଚେକ୍ ହସ୍ତାନ୍ତର କରିଥିଲେ। ଦାନ ପରେ ଟିଟିଡି ଅଧିକାରୀମାନେ ଅବଦୁଲ ଘାନି ଏବଂ ତାଙ୍କ ପରିବାର ସଦସ୍ୟଙ୍କୁ ପ୍ରସାଦ ଦେଇଥିଲେ ।

ଅବଦୁଲ ଘାନି ଜଣେ ବ୍ୟବସାୟୀ | ସେ ପ୍ରଥମ ଥର ଏହି ମନ୍ଦିରକୁ ଦାନ କରିନାହାନ୍ତି । ୨୦୨୦ରେ କରୋନା ମହାମାରୀ ସମୟରେ ମନ୍ଦିର ପରିସରରେ ବିଶୋଧନ ସ୍ପ୍ରେ କରିବା ପାଇଁ ସେ ଏକ ଟ୍ରାକ୍ଟର ମାଉଣ୍ଟେଡ୍ ସ୍ପ୍ରେ ଦାନ କରିଥିଲେ। ଏହାପୂର୍ବରୁ ସୁବିନା ବାନୋ ଏବଂ ଅବଦୁଲ ଘାନି ପନିପରିବା ପରିବହନ ପାଇଁ ମନ୍ଦିରକୁ ୩୫ ଲକ୍ଷ ଟଙ୍କା ମୂଲ୍ୟର ଏକ ରେଫ୍ରିଜରେଟର ଟ୍ରକ ମଧ୍ୟ ଦାନ କରିଥିଲେ। ନିକଟରେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଚେୟାରମ୍ୟାନ୍ ତଥା ପରିଚାଳନା ନିର୍ଦ୍ଦେଶକ ମୁକେଶ ଅମ୍ବାନୀ ତିରୁମାଲା ମନ୍ଦିରରେ ପୂଜାର୍ଚ୍ଚନା କରିବା ସହ ୧.୫ କୋଟି ଟଙ୍କା ଦାନ କରିଥିଲେ । ତିରୁପତି ବାଲାଜୀ ମନ୍ଦିର ଆନ୍ଧ୍ରପ୍ରଦେଶର ଚିତ୍ତୂର ଜିଲ୍ଲାରେ ରହିଛି | ଏହି ମନ୍ଦିର ଭାରତର ସବୁଠାରୁ ଧନୀ ମନ୍ଦିର ଭାବେ ବିବେଚିତ କାରଣ ଏହି ମନ୍ଦିରକୁ ପ୍ରତିଦିନ କୋଟି କୋଟି ଟଙ୍କା ଦାନ ମିଳିଥାଏ |

Exit mobile version