Site icon ଆଜିକାଲି

ମୁଜାଫରନଗର ଚାପୁଡ଼ା ଘଟଣା ବିଜେପିର ଘୃଣା ରାଜନୀତିର ପରିଣାମ : ଖଡ଼ଗେ

ଲକ୍ଷ୍ନୌ: ଉତ୍ତର ପ୍ରଦେଶର ଏକ ସ୍କୁଲରେ ଶିକ୍ଷୟିତ୍ରୀଙ୍କ ନିର୍ଦ୍ଦେଶରେ ଜଣେ ମୁସଲିମ ପିଲାକୁ ସମସ୍ତ ହିନ୍ଦୁ ଛାତ୍ର ଜଣକ ପରେ ଜଣେ ଚାପୁଡ଼ା ମାରୁଥିବା ଭିଡ଼ିଓ ଭାଇରାଲ ହେବା ପରେ ବିଜେପିକୁ ଟାର୍ଗେଟ କରିଛି କଂଗ୍ରେସ । ଏହି ଘଟଣା ବିଜେପିର ଘୃଣା ରାଜନୀତିର ପରିଣାମ ବୋଲି କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡ଼ଗେ ଅଭିଯୋଗ କରିଛନ୍ତି । ସେ କହିଛନ୍ତି ଯେ ଏଭଳି ଘଟଣା ଦେଶର ଛବି ଖରାପ କରୁଛି ।ସେ ଦୋଷୀମାନଙ୍କୁ କଠୋର ଦଣ୍ଡ ଦେବାକୁ ଦାବି କରିଛନ୍ତି ଯାହାଦ୍ୱାରା କେହି ଏଭଳି କରିବାକୁ ସାହସ କରିବେନି ।

ମୁଜାଫରନଗରର ଜଣେ ସ୍କୁଲ ଶିକ୍ଷୟତ୍ରୀ ତାଙ୍କ ଛାତ୍ରମାନଙ୍କୁ ଜଣେ ମୁସଲିମ ପିଲାକୁ ଚାପୁଡ଼ା ମାରିବାକୁ କହିବା ଓ ତାର ସମ୍ପ୍ରଦାୟ ବିରୋଧରେ ଅପମାନଜନକ ମନ୍ତବ୍ୟ ଦେବା ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି । ଏହି ଭିଡ଼ିଓ ନେଇ ସାଧାରଣରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି । ଅନେକ ରାଜନୈତିକ ଦଳ ଜନୈକା ଶିକ୍ଷୟିତ୍ରୀଙ୍କୁ ତୀବ୍ର ନିନ୍ଦା କରିଛନ୍ତି । ଇତିମଧ୍ୟରେ ଶିକ୍ଷୟିତ୍ରୀଙ୍କ ବିରୋଧରେ ମାମଲା ରୁଜୁ ହୋଇଛି ।

‘ଏକ୍ସ’ ରେ ଖଡ଼ଗେ ହିନ୍ଦୀରେ ଏକ ପୋଷ୍ଟରେ କହିଛନ୍ତି, ୟୁପିରେ ଏକ ସ୍କୁଲରେ ଜଣେ ଶିକ୍ଷୟିତ୍ରୀ ଧର୍ମ ଆଧାରରେ ଭେଦଭାବ କରି ଜଣେ ପିଲାକୁ ଯେପରି ଅନ୍ୟ ପିଲାଙ୍କ ହାତରେ ମାଡ଼ ମାରୁଛନ୍ତି ତାହା ବିଜେପି-ଆରଏସ୍ଏସର ଘୃଣା ରାଜନୀତିର ବିଚଳିତ କଲା ଭଳି ପରିଣାମ । ଏହିପରି ଘଟଣା ବିଶ୍ବରେ ଆମ ଭାବମୂର୍ତ୍ତିକୁ କ୍ଷୁର୍ଣ୍ଣ କରୁଛି | ଏହା ସମ୍ବିଧାନ ବିରୋଧୀ।”

ସେ ଏହାକୁ ଶାସକ ଦଳର ବିଭାଜନକାରୀ ଚିନ୍ତାଧାରାର ପରିଣାମ ବୋଲି ବର୍ଣ୍ଣନା କରି ଅନ୍ୟ ଏକ ଘଟଣାର ଉଦାହରଣ ଦେଇଛନ୍ତି, ଯେଉଁଥିରେ ଜଣେ ଆରପିଏଫ ଯବାନ ଧର୍ମ ନାଁରେ ଚାରି ଜଣ ଯାତ୍ରୀଙ୍କୁ ଗୁଳିକରି ହତ୍ୟା କରିଥିଲେ । ସେ ଆହୁରି ମଧ୍ୟ କହିଛନ୍ତି, ଶାସକ ଦଳର ବିଭାଜନକାରୀ ଚିନ୍ତାଧାରାର ବିଷ ସମାଜରେ ଏତେ ମାତ୍ରାରେ ବ୍ୟାପି ଯାଇଛି ଯେ ଗୋଟିଏ ପଟେ ଶିକ୍ଷାଦାନ କରୁଥିବା ଜଣେ ଶିକ୍ଷୟିତ୍ରୀ ତୃପ୍ତା ତ୍ୟାଗୀ ପିଲାଙ୍କୁ ଧାର୍ମିକ ବିଦ୍ୱେଷର ପାଠ ପଢ଼ାଉଛନ୍ତି ଏବଂ ଅନ୍ୟ ପଟେ ସୁରକ୍ଷା ପ୍ରଦାନ କରିବା ପରିବର୍ତ୍ତେ ଜଣେ ଆରପିଏଫ ଯବାନ ଚେତନ କୁମାର ଧର୍ମ ନାଁରେ ନିରୀହ ଲୋକଙ୍କୁ ହତ୍ୟା କରୁଛନ୍ତି ।

Exit mobile version