Site icon ଆଜିକାଲି

ନାଗପୁର ଟେଷ୍ଟ: ଅଢେଇ ଦିନରେ ଅଷ୍ଟ୍ରେଲିଆ ଚିତ୍, ଭାରତ ଇନିଂସ ଓ ୧୩୨ ରନରେ ବିଜୟୀ

ନାଗପୁର : ବର୍ଡର-ଗାଭାସ୍କର ଟ୍ରଫିର ପ୍ରଥମ ଟେଷ୍ଟରେ ଅଷ୍ଟ୍ରେଲିଆ ମାତ୍ର ଅଢେ଼ଇ ଦିନ ମଧ୍ୟରେ ଆତ୍ମସମର୍ପଣ କରିଛି । ଭାରତ ଏହି ଟେଷ୍ଟକୁ ଏକ ଇନିଂସ ଏବଂ ୧୩୨ ରନର ବୃହତ ବ୍ୟବଧାନରେ ଜିତିବା ସହ ଚାରି ମ୍ୟାଚ୍ ବିଶିଷ୍ଟ ସିରିଜରେ ୧-୦ ଅଗ୍ରଣୀ ହାସଲ କରିଛି।

ନାଗପୁରର ଜାମଥା କ୍ରିକେଟ୍ ଷ୍ଟାଡିୟମରେ ଶନିବାର ତୃତୀୟ ଦିନରେ ଭାରତ ତାର ଅସମାପ୍ତ ପ୍ରଥମ ଇନିଂସ ସ୍କୋର ୩୨୧/୭ରୁ ଆଗକୁ ଖେଳି ୪୦୦ ରନରେ ଅଲ୍ଆଉଟ୍ ହୋଇଥିଲା । ଫଳରେ ଭାରତ ପ୍ରଥମ ଇନିଂସରେ ୨୨୩ ରନର ବଡ଼ ଅଗ୍ରଣୀ ହାସଲ କରିଥିଲା। ଏହାପରେ ଭାରତୀୟ ସ୍ପିନରଙ୍କ ଚମତ୍କାର ଦେଖିବାକୁ ମିଳିଥିଲା । ଅଷ୍ଟ୍ରେଲିଆ ଦ୍ଵିତୀୟ ଇନିଂସରେ ମାତ୍ର ୯୧ ରନ୍ କରି ଆଉଟ୍ ହୋଇଥିଲା । କଙ୍ଗାରୁ ଦଳର ଦ୍ବିତୀୟ ଇନିଂସ ଚା’ପାନ ବିରତି ପୂର୍ବରୁ ହିଁ ଶେଷ ହୋଇଥିଲା । ଭାରତ ବିପକ୍ଷରେ ଅଷ୍ଟ୍ରେଲିଆର ଏହା ଦ୍ବିତୀୟ ସର୍ବନିମ୍ନ ସ୍କୋର ।

ଷ୍ଟିଭ୍ ସ୍ମିଥ୍ କଙ୍ଗାରୁ ଦଳ ତରଫରୁ ସର୍ବାଧିକ ୨୪ ରନ୍ କରି ଶେଷ ପର୍ଯ୍ୟନ୍ତ ଅପରାଜିତ ରହିଥିଲେ । ଅନ୍ୟମାନଙ୍କ ମଧ୍ୟରେ ମାର୍ନସ୍ ଲାବୁସାନ ୧୭, ଡେଭିଡ୍ ୱାର୍ନର ଏବଂ ଆଲେକ୍ସ କେରି ୧୦-୧୦ ରନ୍ କରି ଆଉଟ୍ ହୋଇଥିଲେ। ଭାରତ ପକ୍ଷରୁ ଅଫ୍ ସ୍ପିନର ରବିଚନ୍ଦ୍ରନ ଅଶ୍ୱିନ ୫ ୱିକେଟ୍ ନେଇଥିବା ବେଳେ ମହମ୍ମଦ ସାମି ଏବଂ ରବୀନ୍ଦ୍ର ଜାଡେଜା ଦୁଇଟି ଲେଖାଏଁ ୱିକେଟ୍ ନେଇଥିଲେ। ଅକ୍ଷର ପଟେଲ ଗୋଟିଏ ୱିକେଟ୍ ପାଇଥିଲେ। ଅଲରାଉଣ୍ଡ ପ୍ରଦର୍ଶନ ପାଇଁ ଜାଡେଜା ମ୍ୟାନ୍ ଅଫ୍ ଦି ମ୍ୟାଚ୍ ବିବେଚିତ ହୋଇଥିଲେ । ସିରିଜର ଦ୍ବିତୀୟ ଟେଷ୍ଟ ଫେବୃୟାରୀ ୧୭ରେ ଦିଲ୍ଲୀରେ ଖେଳାଯିବ ।

ପ୍ରଥମ ଇନିଂସରେ ଭାରତ ତରଫରୁ କ୍ୟାପଟେନ୍ ରୋହିତ ଶର୍ମା ୧୨୦ ରନ୍ କରିଥିବା ବେଳେ ଅକ୍ଷର ପଟେଲ ୮୪, ଜାଡେଜା ୭୦ ରନ୍ କରିଥିଲେ । ମହମ୍ମଦ ଶାମି ୩୭ ରନର ଉପଯୋଗୀ ଇନିଂସ ଖେଳିଥିଲେ। ଅଷ୍ଟ୍ରେଲିଆ ତରଫରୁ ଡେବ୍ୟୁରେ ସ୍ପିନର ଟଡ୍ ମର୍ଫି ୭ ୱିକେଟ୍ ନେଇଥିଲେ। ଅଷ୍ଟ୍ରେଲିଆର ପ୍ରଥମ ଇନିଂସ ୧୭୭ ରନରେ ସୀମିତ ଥିଲା।

Exit mobile version