Site icon ଆଜିକାଲି

ନାଗପୁର ଟେଷ୍ଟ : ପ୍ରଥମ ଦିନ ସୁଦ୍ଧା ଅଷ୍ଟ୍ରେଲିଆ ୧୭୭ରେ ଅଲଆଉଟ ଓ ଭାରତ ୭୭/୧

ନାଗପୁର : ନାଗପୁରର ବିଦର୍ଭ କ୍ରିକେଟ ଆସୋସିଏସନ ଷ୍ଟାଡିୟମରେ ଖେଳା ଯାଉଥିବା ବର୍ଡର-ଗାଭାସ୍କର ସିରିଜର ପ୍ରଥମ ଟେଷ୍ଟର ପ୍ରଥମ ଦିନରେ ଭାରତର ଦବଦବା ଦେଖିବାକୁ ମିଳିଛି। ଉଭୟ ବୋଲିଂ ଏବଂ ବ୍ୟାଟିଂରେ ଦଳ ଆଶାନୁରୂପ ପ୍ରଦର୍ଶନ କରିଛି। ରବୀନ୍ଦ୍ର ଜାଡେଜା ଓ ଅଶ୍ୱିନଙ୍କ ଘାତକ ବୋଲିଂ ପରେ ବ୍ୟତିଙ୍ଗରେ ଦମ୍ ଦେଖାଇଲେ ରୋହିତ ଶର୍ମା ।

ମ୍ୟାଚରେ ଅଷ୍ଟ୍ରେଲିଆ ଦଳ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା । ତେବେ ଆରମ୍ଭରୁ ଅଷ୍ଟ୍ରେଲିଆ ଦଳ ଦୁଇଟି ଓ୍ବିକେଟ୍ ହରାଇ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା । ଦୁଇ ଓପନର ଡେଭିଡ୍ ଓ୍ବାର୍ଣ୍ଣର ଓ ଉସମାନ ଖ୍ବାଜା ୧ ରନ ଲେଖାଏଁ କରି ଆଉଟ ହୋଇଥିଲେ । ତେବେ ମାର୍ନସ ଲାବୁସଚାନ ଓ ଷ୍ଟିଭେନ ସ୍ମିଥ୍ ସତର୍କତାର ସହ ବ୍ୟାଟିଂ କରି ଦଳୀୟ ସ୍କୋରକୁ ଆଗେଇ ନେଇଥିଲେ । ଲାବୁସଚାନ ୪୯ ରନ ଓ ସ୍ମିଥ ୩୭ ରନ କରି ଆଉଟ ହୋଇଥିଲେ । ସେହିପରି ମଧ୍ୟକ୍ରମ ବ୍ୟାଟର ହାଣ୍ଡସକମ୍ବ ୩୧ ରନ ଓ ଆଲେକ୍ସ କାରେ ୩୬ରନ କରିଥିଲେ । ଅଷ୍ଟ୍ରେଲିଆ ଦଳ ନିଜର ପ୍ରଥମ ପାଳିରେ ମାତ୍ର ୧୭୭ ରନ କରି ଅଲଆଉଟ ହୋଇଯାଇଥିଲା । ଭାରତ ପକ୍ଷରୁ ରବୀନ୍ଦ୍ର ଜାଦେଜା ୫ଟି ଓ ରବିଚନ୍ଦ୍ରନ ଅଶ୍ବୀନ ୩ଟି ଓ୍ବିକେଟ ନେଇଥିଲେ ।

ପରେ ଭାରତ ପ୍ରଥମ ଇନିଂସ ବ୍ୟାଟିଂ ଆରମ୍ଭ କରିଥିଲା। ଦୁଇ ଓପନର ରୋହିତ ଶର୍ମା ଏବଂ କେଏଲ ରାହୁଲ ଭଲ ବ୍ୟାଟିଂ କରିଥିଲେ। ପ୍ରଥମ ଓ୍ଵିକେଟ୍‌ ପାଇଁ ଉଭୟ ୭୬ ରନ ଯୋଡିଥିଲେ। କ୍ରିଜରେ ଜମି ଆସୁଥିବା କେଏଲ ରାହୁଲ(୨୦) ଆଉଟ୍ ହୋଇଥିଲେ। ଅନ୍ୟପଟେ ଅଧିନାୟକ ରୋହିତ ଶର୍ମା ଦିନିକିଆ ଶୈଳୀରେ ବ୍ୟାଟିଂ କରି ଅର୍ଦ୍ଧଶତକ ପୂରଣ କରିଥିଲେ। ପ୍ରଥମ ଦିନର ଖେଳ ଶେଷ ସୁଦ୍ଧା ଭାରତ ଏକ ଓ୍ଵିକେଟ୍ ହରାଇ ୭୭ ରନ କରିଛି। ଦିନର ଶେଷ ଆଡକୁ କେଏଲ ରାହୁଲ ଆଉଟ୍ ହେବାରୁ ନାଇଟ୍ ଓ୍ଵାଚ୍ ମ୍ୟାନ୍ ଭାବେ ରବିଚନ୍ଦ୍ରନ ଅଶ୍ଵିନ ବ୍ୟାଟିଂ କରିବାକୁ ଆସିଛନ୍ତି। କ୍ରିଜରେ ଅଧିନାୟକ ରୋହିତ ଶର୍ମା(୫୬ ରନ) ଏବଂ ରବିଚନ୍ଦ୍ରନ ଅଶ୍ଵିନ(୦) ଅପରାଜିତ ଅଛନ୍ତି।

Exit mobile version