ଭୁବନେଶ୍ବର : ଅନ୍ତର୍ଜାତୀୟ ହକିରୁ ଅବସର ଘୋଷଣା କରିଛନ୍ତି ଓଡ଼ିଆ ମହିଳା ହକି ଅଲମ୍ପିଆନ ନମିତା ଟପ୍ପୋ । ଏହାକୁ ନେଇ ହକି ଇଣ୍ଡିଆ ଓ ଓଡ଼ିଶା କ୍ରୀଡ଼ା ବିଭାଗ ପକ୍ଷରୁ ଟ୍ବିଟ୍ ମାଧ୍ୟମରେ ସୂଚନା ପ୍ରଦାନ କରାଯାଇଛି । ଭାରତୀୟ ଦଳରେ ମିଡ୍ଫିଲ୍ଡର ଭାବରେ ୧୫୦ ମ୍ୟାଚ୍ ଖେଳିଛନ୍ତି ନମିତା ଟପ୍ପୋ ।
୨୦୧୨ ମସିହାରେ ଭାରତୀୟ ଦଳରେ ଡେବ୍ୟୁ କରିଥିଲେ ନମିତା । ଦୀର୍ଘ ଦଶ ବର୍ଷ ଧରି ଭାରତୀୟ ଦଳର ସଦସ୍ୟ ରହିବା ପରେ ଆଜି ସେ ଅନ୍ତର୍ଜାତୀୟ ହକିକୁ ଅଲବିଦା କହିଛନ୍ତି । ୨୦୧୪ ଓ ୨୦୧୮ରେ ଭାରତୀୟ ଦଳ ଏସିଆନ୍ ଚମ୍ପିଆନ୍ସିପ୍ରେ ଯଥାକ୍ରମେ କାଂସ୍ୟ ଓ ରୌପ୍ୟ ପଦକ ହାସଲ କରିଥିଲା । ଏହି ଦଳର ଜଣେ ପ୍ରମୁଖ ସଦସ୍ୟ ଥିଲେ ମିଡ୍ଫିଲ୍ଡର ନମିତା ଟପ୍ପୋ ।
ନମିତା ଏକ ପ୍ରେସ୍ ବିଜ୍ଞପ୍ତି ଜାରି କରି କହିଛନ୍ତି, “ଗତ ୧୦ ବର୍ଷ ମୋ ଜୀବନର ସର୍ବୋତ୍କୃଷ୍ଟ ବର୍ଷ । ମୁଁ ଦିନେ ଦେଶ ପାଇଁ ଖେଳିବାକୁ ସ୍ବପ୍ନ ଦେଖିଥିଲା, ମୁ ଖୁସି ଯେ, ମୁଁ ମୋର ସ୍ବପ୍ନ ପୂରଣ କରି ପାରିଛି । ଗତ ଦଶନ୍ଧୀରେ ଭାରତୀୟ ଦଳ ଯେଭଳି ଉଚ୍ଚକୋଟିର ପ୍ରଦର୍ଶନ କରିଛି, ତାହା ମୁଁ ନିଜ ଆଖିରେ ଦେଖିଛି । ମୁଁ ସବୁବେଳେ ଦଳକୁ ସମର୍ଥନ ଦେଉଥିବି । ବର୍ତ୍ତମାନ ମୁଁ ମୋ ଜୀବନର ନୂଆ ଅଧ୍ୟାୟ ଆରମ୍ଭ କରିବାକୁ ଯାଉଛି ।”