Site icon ଆଜିକାଲି

ଗୁରୁଦିବସ ଅବସରରେ ୪୬ ଜଣ ଶିକ୍ଷକଙ୍କୁ ଜାତୀୟ ପୁରସ୍କାରରେ ସମ୍ମାନିତ କରିବେ ରାଷ୍ଟ୍ରପତି

ନୂଆଦିଲ୍ଲୀ : ଚଳିତ ବର୍ଷ ଗୁରୁଦିବସ (ସେପ୍ଟେମ୍ବର ୫) ରେ ରାଷ୍ଟ୍ରପତିଙ୍କ ଦ୍ବାରା ଜାତୀୟ ପୁରସ୍କାରରେ ସମ୍ମାନିତ ହେବେ ୪୬ ଶିକ୍ଷକ । ନୂଆଦିଲ୍ଲୀର ବିଜ୍ଞାନ ଭବନରେ ଚୟନ ହୋଇଥିବା ଏହି ୪୬ ଶିକ୍ଷକଙ୍କୁ ଜାତୀୟ ଶିକ୍ଷକ ପୁରସ୍କାର-୨୦୨୨ (ଏନ୍‌ଏଟି) ପ୍ରଦାନ କରାଯିବ । ଏହି ସମ୍ମାନଜନକ ଜାତୀୟ ପୁରସ୍କାର ପାଇଁ ଦେଶବ୍ୟାପୀ ୪୬ ଶିକ୍ଷକଙ୍କୁ ଚୟନ କରିଛି ଶିକ୍ଷା ମନ୍ତ୍ରଣାଳୟ । ଚୟନ ହୋଇଥିବା ୪୬ ଶିକ୍ଷକଙ୍କ ମଧ୍ୟରେ ୨ଜଣ ଶିକ୍ଷକ ଦିବ୍ୟାଙ୍ଗ ବର୍ଗରେ ମଧ୍ୟ ସାମ୍ମାନୀତ ହେବେ । ଏହି ଦୁଇ ଶିକ୍ଷକଙ୍କ ମଧ୍ୟରୁ ଜଣେ ଉତ୍ତରାଖଣ୍ଡର ଏବଂ ଅନ୍ୟଜଣେ ଆଣ୍ଡାମାନ ଏବଂ ନିକୋବର ଦ୍ୱୀପପୁଞ୍ଜର । ଏହି ପୁରସ୍କାର ପ୍ରଦାନ ଉତ୍ସବ ଦୂରଦର୍ଶନରେ ପ୍ରସାରିତ ହେବା ନେଇ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ସୂଚନା ଦେଇଛି । ସେହିପରି ଶିକ୍ଷା ମନ୍ତ୍ରଣାଳୟ ମଧ୍ୟ ଏହି କାର୍ଯ୍ୟକ୍ରମକୁ ଲାଇଭ ଷ୍ଟ୍ରିମିଂ ମାଧ୍ୟମରେ ପ୍ରସାରିତ କରିବ ।

ଶିକ୍ଷା ମନ୍ତ୍ରଣାଳୟର ବିଦ୍ୟାଳୟ ଶିକ୍ଷା ଓ ସାକ୍ଷରତା ବିଭାଗ ପ୍ରତିବର୍ଷ ଗୁରୁ ଦିବସରେ ଏହି ଜାତୀୟ ପୁରସ୍କାର ପ୍ରଦାନ ଉତ୍ସବ ଆୟୋଜନ କରି ଦେଶର ଶ୍ରେଷ୍ଠ ଶିକ୍ଷକମାନଙ୍କୁ ପୁରସ୍କାର ପ୍ରଦାନ କରିଥାଏ । ଶିକ୍ଷା ବ୍ୟବସ୍ଥାରେ ଉଲ୍ଲେଖନୀୟ ଅବଦାନ ଥିବା ଶିକ୍ଷକମାନଙ୍କୁ ଚୟନ କରିବା ସହ ସେମାନଙ୍କୁ ଅବଦାନକୁ ଲୋକଲୋଚନକୁ ଆଣିବା ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ । ତେବେ ଚଳିତ ବର୍ଷ ଏହି ତାଲିକାରେ ଦେଶବ୍ୟାପୀ ୪୬ ଶିକ୍ଷକଙ୍କୁ ସମ୍ମାନୀତ କରିବା ପାଇଁ ଚୟନ କରିଛି ଶିକ୍ଷା ମନ୍ତ୍ରଣାଳୟ ।

Exit mobile version