Site icon ଆଜିକାଲି

ଫିଲିପାଇନ୍ସରେ ପ୍ରକୃତିର ତାଣ୍ଡବ, ମୃତ୍ୟୁ ସଂଖ୍ୟା ୨୫କୁ ବୃଦ୍ଧି

ମନିଲା : ପ୍ରବଳ ବର୍ଷା ଯୋଗୁଁ ଫିଲିପାଇନ୍ସରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ଫଳରେ ମୃତ୍ୟୁ ସଂଖ୍ୟା ବୃଦ୍ଧି ହେବାରେ ଲାଗିଛି । ବର୍ତ୍ତମାନ ସୁଦ୍ଧା ୨୫ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨୬ ଜଣ ନିଖୋଜ ଅଛନ୍ତି । ଏନେଇ ବିପର୍ଯ୍ୟୟ ପରିଚାଳନା ପ୍ରାଧୀକରଣ ତରଫରୁ ସୂଚନା ପ୍ରଦାନ କରାଯାଇଛି ।

ଉତ୍ତର ମାଇଣ୍ଡାନାଓରେ ୧୬ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ବିକୋଲରେ ୫ ଜଣଙ୍କର ମୃତ୍ୟୁ ହୋଇଛି । ସେହିପରି ଇଷ୍ଟର୍ଣ୍ଣ ଭିସାରୁ ଦୁଇ ଜଣ ଓ ଜାମ୍ବୋଙ୍ଗା ସହରରେ ଦୁଇ ଜଣଙ୍କର ମୃତ୍ୟୁ ହୋଇଛି । ବିପର୍ଯ୍ୟୟ ପରିଚାଳନା ପରିଷଦର ସୂଚନା ଅନୁଯାୟୀ ବର୍ତ୍ତମାନ ସୁଦ୍ଧା ୨୬ ଜଣ ନିଖୋଜ ରହିଛନ୍ତି । ବନ୍ୟା ଯୋଗୁଁ ପ୍ରଥମେ ୧ ଲକ୍ଷ ୨୪ ହଜାରରୁ ଊର୍ଦ୍ଧ୍ବ ଲୋକ ପ୍ରଭାବିତ ହୋଇଥିବା ବେଳେ ବର୍ତ୍ତମାନ ଏହା ୩ ଲକ୍ଷ ୯୩ ହଜାରକୁ ବୃଦ୍ଧି ପାଇଛି । ୨୯୨ ଟି ଆଶ୍ରୟସ୍ଥଳୀରେ ୮୧ ହାଜର ୪୪୩ ଲୋକ ଆଶ୍ରୟ ନେଇଥିବା ମାନିଲା ଟାଇମ୍ସ ରିପୋର୍ଟ କରିଛି । ସେହିପରି ୪୫ ହଜାରରୁ ଅଧିକ ଲୋକଙ୍କୁ ସ୍ଥାନାନ୍ତର କରାଯାଇଥିବା ପୂର୍ବରୁ ସୂଚନା ରହିଥିଲା । ତେବେ ନିଖୋଜ ଥିବା ୨୩ ମତ୍ସ୍ୟଜୀବୀମାନେ ଖରାପ ପାଗ ସତ୍ତ୍ବେ ମଧ୍ୟ ସମୁଦ୍ରକୁ ଯାଇଥିଲେ ବୋଲି ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣ କହିଛି ।

ଗତ ୨୪ ତାରିଖ ଦିନ ଫିଲିପାଇନ୍ସରେ ପ୍ରବଳ ବର୍ଷା ଯୋଗୁ ଭୁସ୍ଖଳନ ହେବାରୁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା । ଫିଲିପାଇନ୍ସର ୧୪ଟି ପ୍ରୋଭିନ୍ସ ମଧ୍ୟରୁ ୯ଟି ପ୍ରଭାବିତ ହୋଇ ପାଣି ଘେରରେ ରହିଥିଲା । ତେବେ ବର୍ତ୍ତମାନ ୨୬ ଜଣ ନିଖୋଜ ଥିବା ବେଳେ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ମୃତ୍ୟୁ ସଂଖ୍ୟା ବଢିବା ନେଇ ଆଶଙ୍କା କରାଯାଉଛି ।

Exit mobile version