Site icon ଆଜିକାଲି

ଜାତୀୟ ପ୍ରତିଭା ସନ୍ଧାନ ପରୀକ୍ଷା ଉପରେ ରୋକ୍ ଲଗାଇଲା ଏନସିଇଆରଟି


ନୂଆଦିଲ୍ଲୀ: ଜାତୀୟ ଶିକ୍ଷାଗତ ଗବେଷଣା ଓ ତାଲିମ ପରିଷଦ (ଏନସିଇଆରଟି) ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ଜାତୀୟ ପ୍ରତିଭା ସନ୍ଧାନ ପରୀକ୍ଷା (ଏନଟିଏସ୍ଇ) ଯୋଜନାକୁ ସ୍ଥଗିତ ରଖିଛି। ଏହି ଲୋକପ୍ରିୟ ଛାତ୍ରବୃତ୍ତି ଯୋଜନା ଶିକ୍ଷା ମନ୍ତ୍ରଣାଳୟ ଦ୍ୱାରା ଅନୁଦାନ ପ୍ରାପ୍ତ ଏବଂ ଏନସିଇଆରଟି ଦ୍ୱାରା କାର୍ଯ୍ୟକାରୀ ହେଉଛି | ଛାତ୍ରବୃତ୍ତି ପରୀକ୍ଷା ପ୍ରତିବର୍ଷ ଦୁଇଟି ପର୍ଯ୍ୟାୟରେ – ପ୍ରଥମ ପର୍ଯ୍ୟାୟ (ରାଜ୍ୟ ସ୍ତରୀୟ) ଏବଂ ଦ୍ୱିତୀୟ ପର୍ଯ୍ୟାୟ (ଜାତୀୟ ସ୍ତର) ରେ କରାଯାଏ |

ଏକ ସରକାରୀ ଆଦେଶରେ ଏନସିଇଆରଟି କହିଛି, “ଜାତୀୟ ପ୍ରତିଭା ସନ୍ଧାନ ଯୋଜନା ହେଉଛି ଏକ କେନ୍ଦ୍ରୀୟ ଯୋଜନା ଯାହାକି ଭାରତ ସରକାରଙ୍କ ଶିକ୍ଷା ମନ୍ତ୍ରଣାଳୟ ଦ୍ୱାରା ସମ୍ପୂର୍ଣ୍ଣ ଅନୁଦାନ ପ୍ରାପ୍ତ। ଏନସିଇଆରଟି ହେଉଛି ଏନଟିଏସ୍ ଯୋଜନାର କାର୍ଯ୍ୟକାରୀ ସଂସ୍ଥା | ଏହି ଯୋଜନା ୩୧ ମାର୍ଚ୍ଚ ୨୦୨୧ ସୁଦ୍ଧା ଅନୁମୋଦିତ ହୋଇଥିଲା | ଏଥିରେ କୁହାଯାଇଛି ଯେ ବର୍ତ୍ତମାନ ଢାଞ୍ଚାରେ ଏହି ଯୋଜନାକୁ ଆଗକୁ କାର୍ଯ୍ୟକାରୀ କରିବା ପାଇଁ ଅନୁମୋଦନ କରାଯାଇ ନାହିଁ । ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ଏହାକୁ ସ୍ଥଗିତ ରଖାଯାଇଛି।

ଏନସିଇଆରଟିର ଜଣେ ବରିଷ୍ଠ ଅଧିକାରୀଙ୍କ କହିବାନୁସାରେ, ମନ୍ତ୍ରଣାଳୟ ଏହି ଯୋଜନାକୁ ନୂଆ ଢାଞ୍ଚାରେ ଆରମ୍ଭ କରିବା ଉଦ୍ଦେଶ୍ୟରେ ଏହାର ସମୀକ୍ଷା କରୁଛି | ଏହି ପରୀକ୍ଷା ହିନ୍ଦୀ, ଇଂରାଜୀ ଏବଂ ଅନ୍ୟ ୧୧ଟି ଭାରତୀୟ ଭାଷାରେ ହୋଇଥାଏ | ବିଜ୍ଞାନ ଏବଂ ସାମାଜିକ ବିଜ୍ଞାନ ପଢ଼ୁଥିବା ଛାତ୍ରଛାତ୍ରୀ ମାନଙ୍କୁ ଡକ୍ଟରାଲ୍ ସ୍ତର ପର୍ଯ୍ୟନ୍ତ ତଥା ମେଡିସିନ୍ ଏବଂ ଇଞ୍ଜିନିୟରିଂ ଭଳି ବୃତ୍ତିଗତ ପାଠ୍ୟକ୍ରମରେ ଦ୍ୱିତୀୟ ଡିଗ୍ରୀ ସ୍ତର ପର୍ଯ୍ୟନ୍ତ ଛାତ୍ରବୃତ୍ତି ପ୍ରଦାନ କରାଯାଇଥାଏ |

Exit mobile version