Site icon ଆଜିକାଲି

ଏନସିଇଆରଟି ପାଠ୍ୟପୁସ୍ତକରେ ‘ଇଣ୍ଡିଆ’ ବଦଳରେ ‘ଭାରତ’ ଲେଖିବାକୁ ସୁପାରିସ

ନୂଆଦିଲ୍ଲୀ: ଜାତୀୟ ଶୈକ୍ଷିକ ଗବେଷଣା ଓ ତାଲିମ ପରିଷଦ (ଏନସିଇଆରଟି)ର ସବୁ‌ ପାଠ୍ୟପୁସ୍ତକରୁ ଦେଶର ଇଂରାଜୀ ନାଁ ‘ଇଣ୍ଡିଆ’ ହଟିବ । ଏହା ବଦଳରେ ‘ଭାରତ’ ଲେଖିବାକୁ ଏନସିଇଆରଟିର ଏକ ପ୍ୟାନେଲ ସୁପାରିସ କରିଛି। ସର୍ବସମ୍ମତି କ୍ରମେ ଏହି ସୁପାରିସ କରାଯାଇଛି ବୋଲି କମିଟିର ଜଣେ ସଦସ୍ୟ କହିଛନ୍ତି ।

ରାଜନୈତିକ ମହଲରେ ‘ଇଣ୍ଡିଆ ବନାମ ଭାରତ’ ନେଇ ବିବାଦ ଥମି ନଥିବା ବେଳେ ଏନସିଇଆରଟି ପ୍ୟାନେଲ ଏପରି ସୁପାରିସ କରିଛି । ଦେଶର ଇଂରାଜୀ ନାମ ‘ଇଣ୍ଡିଆ’ ପରିବର୍ତ୍ତେ କେବଳ ‘ଭାରତ’ ରଖିବାକୁ କେନ୍ଦ୍ର ସରକାର ଯୋଜନା କରୁଛନ୍ତି ବୋଲି ଗତ ମାସରେ ଚର୍ଚ୍ଚା ଜୋର୍ ଧରିଥିଲା । ସେପ୍ଟେମ୍ବରରେ ଦିଲ୍ଲୀରେ ଅନୁଷ୍ଠିତ ଜି -୨୦ ସମ୍ମିଳନୀରେ ଭାରତର ରାଷ୍ଟ୍ରପତିଙ୍କ ନାମରେ ପଠାଯାଇଥିବା ନିମନ୍ତ୍ରଣ ପତ୍ରରେ ‘ପ୍ରେସିଡେଣ୍ଟ ଅଫ୍ ଇଣ୍ଡିଆ’ ବଦଳରେ ‘ପ୍ରେସିଡେଣ୍ଟ ଅଫ୍ ଭାରତ’ ଲେଖାଯିବା ପରେ ଏଭଳି ଚର୍ଚ୍ଚା ହୋଇଥିଲା ।

ଦେଶର ନାଁ ବଦଳିବା ଚର୍ଚ୍ଚା ମଧ୍ୟରେ ସରକାରଙ୍କ ତରଫରୁ କିନ୍ତୁ ଏନେଇ କୌଣସି ଆନୁଷ୍ଠାନିକ ଘୋଷଣା କରାଯାଇ ନାହିଁ। ଏହାପୂର୍ବରୁ ଆରଏସ୍ଏସ୍ ମୁଖ୍ୟ ମୋହନ ଭଗବତ କହିଥିଲେ ଯେ ପାଶ୍ଚାତ୍ୟ ଶାସକମାନେ ‘ଇଣ୍ଡିଆ’ ନାମ ଦେଇଥିଲେ । ସବୁ ଭାରତୀୟ କେବଳ ‘ଭାରତ’ ନାମ ବ୍ୟବହାର କରିବା ଉଚିତ । କାରଣ ପ୍ରାଚୀନ କାଳରୁ ଏହି ଦେଶର ନାମ ‘ଭାରତ’ ରହିଆସିଛି। ‘ଭାରତ’ ନାଁରୁ ଆମ ସଂସ୍କୃତିର ପରିଚୟ ମିଳୁଛି ।

Exit mobile version