Site icon ଆଜିକାଲି

ଶରଦ ପାୱାରଙ୍କ ଇସ୍ତଫା ଖାରଜ କଲା ଏନସିପି କମିଟି, ସଭାପତି ପଦ ବଜାୟ ରଖିବାକୁ ପ୍ରସ୍ତାବ ଗୃହୀତ


ମୁମ୍ବାଇ: ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟି (ଏନସିପି)ର ବୈଠକରେ ଶରଦ ପାୱାରଙ୍କ ଇସ୍ତଫା ଖାରଜ କରାଯାଇଛି । ତାଙ୍କ ଉତ୍ତରାଧିକାରୀ ବାଛିବା ପାଇଁ ଗଠିତ କମିଟି ଶରଦ ପାୱାରଙ୍କୁ ଏନସିପି ସଭାପତି ପଦ ବଜାୟ ରଖିବାକୁ ଅନୁରୋଧ କରିଛି।

ଗତ ମଙ୍ଗଳବାର ଶରଦ ପାୱାର ଦଳର ସଭାପତି ପଦରୁ ଇସ୍ତଫା ଘୋଷଣା କରିଥିଲେ । ତେବେ ଏନସିପିର ଅନେକ ବରିଷ୍ଠ ନେତାଙ୍କ ସମେତ କର୍ମକର୍ତ୍ତା ଇସ୍ତଫା ନିଷ୍ପତ୍ତି ପ୍ରତ୍ୟାହାର କରିବାକୁ ଶରଦ ପାୱାରଙ୍କୁ ଭାବପ୍ରବଣ ଅନୁରୋଧ କରିଥିଲେ । ତେଣୁ ପାୱାର ତାଙ୍କ ନିଷ୍ପତ୍ତିର ପୁନର୍ବିଚାର କରିବେ ବୋଲି କହିଥିଲେ ।

ଆଜି ଦଳର ବୈଠକ ପରେ ଏନସିପି ଉପାଧ୍ୟକ୍ଷ ପ୍ରଫୁଲ୍ଲ ପଟେଲ ଗଣମାଧ୍ୟମକୁ କହିଥିଲେ ଯେ ଶରଦ ପାୱାରଙ୍କ ଇସ୍ତଫା ନାମଞ୍ଜୁର କରାଯାଇଛି।

ସେ କହିଛନ୍ତି, ଶରଦ ପାୱାରଜୀ ହଠାତ୍ ମେ ୨ରେ ଅଚାନକ ଇସ୍ତଫା ଘୋଷଣା କରିଥିଲେ। ପରବର୍ତ୍ତୀ ପଦକ୍ଷେପ ନେବାକୁ ତଥା ନୂଆ ସଭାପତି ଚୟନ କରିବାକୁ ସେ ଦଳର ବରିଷ୍ଠ ନେତାଙ୍କୁ ନେଇ ଏକ କମିଟି ଗଠନ କରିଥିଲେ।

“ଆଜି ଆମେ ଏହି କମିଟିର ଏକ ବୈଠକ ଡ଼ାକିଥିଲୁ। ମୋ ସମେତ ଅନେକ ନେତା ପାୱାର ସାହେବଙ୍କୁ ଭେଟିଥିଲେ। ଦେଶ ତଥା ଦଳ ତାଙ୍କୁ ଏହି ସମୟରେ ଆବଶ୍ୟକ କରୁଥିବାରୁ ଆମେ ତାଙ୍କ ନିଷ୍ପତ୍ତିର ପୁନର୍ବିଚାର କରିବାକୁ ଅନୁରୋଧ କରିଛୁ।”

ସେ କହିଛନ୍ତି, “କେବଳ ଏନସିପି ନେତା ନୁହଁନ୍ତି ଅନ୍ୟ ଦଳର ବଡ଼ ନେତାମାନେ ମଧ୍ୟ ତାଙ୍କୁ ଦଳର ସଭାପତି ଭାବେ ଜାରି ରଖିବାକୁ ଅନୁରୋଧ କରିଛନ୍ତି। ପାୱାର ସାହେବ ଆମକୁ ନ ଜଣାଇ ଏହି ନିଷ୍ପତ୍ତି ନେଇଛନ୍ତି।”

“ସମସ୍ତ ଦଳର କର୍ମୀ ଏବଂ ନେତାଙ୍କ ଦାବିକୁ ବିଚାର କରି ଆମେ ଆଜି ଏକ ବୈଠକରେ ସର୍ବସମ୍ମତି କ୍ରମେ ଏକ ପ୍ରସ୍ତାବ ଗୃହୀତ କରିଛୁ। କମିଟି ତାଙ୍କ ଇସ୍ତଫାକୁ ସର୍ବସମ୍ମତି କ୍ରମେ ଖାରଜ କରିଛି। ଆମେ ତାଙ୍କୁ ଦଳର ସଭାପତି ଭାବେ ଜାରି ରଖିବାକୁ ଅନୁରୋଧ କରୁଛୁ।”

Exit mobile version