Site icon ଆଜିକାଲି

ଏନସିପି ନେତା ଫୈଜଲଙ୍କ ଲୋକସଭା ସଦସ୍ୟତା ପୁଣି ରଦ୍ଦ

ନୂଆଦିଲ୍ଲୀ: ଏକ ହତ୍ୟା ଉଦ୍ୟମ ମାମଲାରେ କେରଳ ହାଇକୋର୍ଟ ତାଙ୍କ ସଜା ରଦ୍ଦ କରିବାକୁ ମନା କରିବା ପରେ ଏନସିପି ନେତା ମହମ୍ମଦ ଫୈଜଲ ପୁଣି ଥରେ ଲୋକସଭା ସଦସ୍ୟତା ହରାଇଛନ୍ତି ।

ଲୋକସଭା ସଚିବାଳୟ ତରଫରୁ ଜାରି ଏକ ବିଜ୍ଞପ୍ତିରେ ଫୈଜଲଙ୍କ ଲୋକସଭା ସଦସ୍ୟତା ରଦ୍ଦ ହୋଇଥିବା ସୂଚନା ଦିଆଯାଇଛି । ଏଥିରେ କୁହାଯାଇଛି, “କେରଳ ହାଇକୋର୍ଟଙ୍କ ୦୩.୧୦.୨୦୨୩ ତାରିଖର ଆଦେଶ ଦୃଷ୍ଟିରୁ ଲକ୍ଷଦ୍ବୀପ କେନ୍ଦ୍ରଶାସିତ ଅଞ୍ଚଳର ସାଂସଦ ମହମ୍ମଦ ଫୈଜଲ ପି.ପିଙ୍କୁ ଦୋଷୀ ସାବ୍ୟସ୍ତ ଦିନ, ୧୧ ଜାନୁଆରୀ ୨୦୨୩ ଠାରୁ ଲୋକସଭା ସଦସ୍ୟତାରୁ ଅଯୋଗ୍ୟ ଘୋଷିତ କରାଯାଇଛି।”

ଦ୍ୱିତୀୟ ଥର ପାଇଁ ଫୈଜଲଙ୍କ ଲୋକସଭା ସଦସ୍ୟତା ରଦ୍ଦ ହୋଇଛି। ଏହା ପୂର୍ବରୁ ଚଳିତ ବର୍ଷ ଜାନୁଆରୀ ୨୫ରେ ତାଙ୍କ ଲୋକସଭା ସଦସ୍ୟତା ରଦ୍ଦ ହୋଇଥିଲା । ପି.ସାଲେହ ନାମକ ଜଣେ ବ୍ୟକ୍ତିଙ୍କୁ ହତ୍ୟା ଉଦ୍ୟମ ଅଭିଯୋଗରେ ଲକ୍ଷଦ୍ବୀପର କାବାରତ୍ତି ସେସନ୍ସ କୋର୍ଟ ଏନସିପି ସାଂସଦ ଫୈଜଲ ଏବଂ ଅନ୍ୟ ତିନିଜଣଙ୍କୁ ୧୦ ବର୍ଷ କାରାଦଣ୍ଡରେ ଦଣ୍ଡିତ କରିଥିଲେ । କୋର୍ଟ ରାୟର କିଛି ଦିନ ପରେ ଲୋକସଭା ସଦସ୍ୟ ଭାବେ ଫୈଜଲ ଅଯୋଗ୍ୟ ହୋଇଥିଲେ । କେରଳ ହାଇକୋର୍ଟ ଏହି ମାମଲାରେ ଫୈଜଲଙ୍କ ସଜା ନିଲମ୍ବିତ କରିବାର ଦୁଇ ମାସ ପରେ ଅର୍ଥାତ ମାର୍ଚ୍ଚ ୨୯ରେ ଏହି ଏନସିପି ନେତା ସାଂସଦ ପଦ ଫେରିପାଇଥିଲେ ।

ତେବେ ଅଗଷ୍ଟ ୨୦୨୩ରେ ଲକ୍ଷଦ୍ବୀପ ସରକାରଙ୍କ ଆବେଦନ ଉପରେ ସୁପ୍ରିମକୋର୍ଟ କେରଳ ହାଇକୋର୍ଟ ରାୟକୁ ରଦ୍ଦ କରିଦେଇଥିଲେ । ସୁପ୍ରିମକୋର୍ଟ ଏହି ମାମଲାକୁ ପୁଣି ହାଇକୋର୍ଟକୁ ପଠାଇ ଦେଇଥିଲେ ଓ ଫୈଜଲଙ୍କ ଦଣ୍ଡ ନିଲମ୍ବନ ଉପରେ ପୁନର୍ବିଚାର କରିବାକୁ କହିଥିଲେ ।

Exit mobile version