Site icon ଆଜିକାଲି

ପ୍ରଥମ ଭାରତୀୟ ଆଥଲେଟ୍ ଭାବେ ଡାଏମଣ୍ଡ୍ ଲିଗ୍ ଟାଇଟଲ୍ ହାତେଇଲେ ନୀରଜ ‌ଚୋପ୍ରା

ନୂଆଦିଲ୍ଲୀ : ପୁଣି ଥରେ ଇତିହାସ ରଚିଲେ ଭାରତର ଷ୍ଟାର୍‌ ଜାଭେଲିନ ଥ୍ରୋୟର ନୀରଜ ଚୋପ୍ରା । ଭାରତର ପ୍ରଥମ ଆଥ୍‌ଲେଟ ଭାବେ ଚଳିତ ବର୍ଷ ଜାଭେଲିନ୍‌ ଥ୍ରୋ’ରେ ଡାଏମଣ୍ଡ ଲିଗ୍‌ ଟାଇଟଲ ହାତେଇଛନ୍ତି । ସ୍ବିଜର୍‌ଲାଣ୍ଡ୍‌ର ଜ୍ୟୁରିକ୍‌ରେ ଆୟୋଜିତ ‘ଡାଇମଣ୍ଡ୍‌ ଲିଗ୍‌ ସିରିଜ୍‌’ର ପୁରୁଷ ଜାଭ୍‌ଲିନ୍‌ ଥ୍ରୋ’ରେ ଗୁରୁବାର ରାତିରେ ୮୮.୪୪ ମିଟର୍‌ ଦୂରକୁ ଜାଭ୍‌ଲିନ୍‌ ଫିଙ୍ଗି ସେ ଏହି ସମ୍ମାନଜନକ ‘ଡାଇମଣ୍ଡ୍‌ ଟ୍ରଫି’ ବିଜୟୀ ହୋଇଛନ୍ତି। ପୂର୍ବରୁ ମଧ୍ୟ ସେ ୨ ଥର ‘ଡାଇମଣ୍ଡ୍‌ ଲିଗ୍‌’ ଫାଇନାଲ୍‌ରେ ପ୍ରତିଦ୍ବନ୍ଦ୍ବିତା କରିଥିଲେ। ୨୦୧୭ରେ ସେ ଏହି ପ୍ରତିଯୋଗିତାରେ ୭ମ ଓ ୨୦୧୮ରେ ୪ର୍ଥ ସ୍ଥାନରେ ରହିଥିଲେ।

ଫାଇନାଲ୍‌ ରାଉଣ୍ଡ୍‌ରେ ନୀରଜ ୮୮.୪୪ ମିଟର ଦୂର ଜାଭେଲିନ୍‌ ଫିଙ୍ଗି ପ୍ରଥମ ସ୍ଥାନ ଅଧିକାର କରିଥିଲେ । ଅନ୍ୟ କୌଣସି ପ୍ରତିଯୋଗୀ ତାଙ୍କ ନିକଟତର ମଧ୍ୟ ହୋଇପାରି ନଥିଲେ । ନୀରଜଙ୍କ ପ୍ରଥମ ପ୍ରୟାସ ଫାଉଲ ରହିଥିଲା । ପରବର୍ତ୍ତୀ ପ୍ରୟାସରେ ସେ ୮୮.୪୪ ମିଟର ଜାଭେଲିନ ଫିଙ୍ଗି ପ୍ରଥମ ସ୍ଥାନ ଅକ୍ତିଆର କରିଥିଲେ । ଏହାପରେ ସେ ଯଥାକ୍ରମେ ୮୮.୦୦ ମିଟର, ୮୬.୧୧ ମିଟର, ୮୭.୦୦ ଓ ୮୩.୬୦ ମିଟର ଦୂର ଜାଭେଲିନ୍‌ ଫିଙ୍ଗିଥିଲେ । ଚେକ୍‌ ସାଧାରଣତନ୍ତ୍ରର ଜାକ୍ୟୁବ୍‌ ଭାଡ୍‌ଲେଜ୍‌ ଏବଂ ଜର୍ମାନିର ଜୁଲିଆନ୍‌ ୱେବରଙ୍କୁ ଟପି ସେ ଏଭଳି ସ୍ମରଣୀୟ ଗୌରବର ଅଧିକାରୀ ହୋଇପାରିଛନ୍ତି। ଜାକ୍ୟୁବ୍‌ ଭାଡ୍‌ଲେଜ୍‌ ସର୍ବାଧିକ ୮୬.୯୪ ମିଟର ଦୂର ଜାଭେଲିନ୍‌ ଫିଙ୍ଗି ଦ୍ୱିତୀୟ ସ୍ଥାନରେ ସନ୍ତୁଷ୍ଟ ହୋଇଥିବା ବେଳେ ଜର୍ମାନୀର ଜୁଲିଆନ ୱେବର ସର୍ବାଧିକ ୮୩.୭୩ ମିଟର ଦୂର ଜାଭେଲିନ୍‌ ଫିଙ୍ଗିଥିଲେ ।

ପ୍ରଥମ ଉଦ୍ୟମରେ ଭାଡ୍‌ଲେଜ୍‌ ୮୪.୧୫ ମିଟର୍‌ ଦୂରକୁ ଜାଭ୍‌ଲିନ୍‌ ଫିଙ୍ଗି ଅଗ୍ରଣୀ ଥିବା ବେଳେ ଭାରତର ନୀରଜ ଚୋପ୍ରାଙ୍କ ନାଁରେ ‘ଫାଉଲ୍‌’ ଅଭିଯୋଗ ଆସିଥିଲା। କିନ୍ତୁ, ଦ୍ବିତୀୟ ଉଦ୍ୟମରେ ନୀରଜ ୮୮.୪୪ ମିଟର୍‌ ଦୂରକୁ ଜାଭ୍‌ଲିନ୍‌ ଫିଙ୍ଗିଥିଲେ ଏବଂ ପ୍ରତିଯୋଗିତା ଶେଷ ପର୍ଯ୍ୟନ୍ତ ତାଙ୍କର ଏହି ରେକର୍ଡକୁ କେହି ଅତିକ୍ରମ କରିପାରି ନ ଥିଲେ। ବିଶ୍ୱ ଚାମ୍ପିଅନସିପ୍‌ରେ ଆହତ ହେବା ପରେ ନୀରଜ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଭାଗ ନେଇପାରି ନଥିଲେ । ମାସେ ମଧ୍ୟରେ ଫିଟ ହୋଇ ସେ ଗତ ଜୁଲାଇ ୨୬ ତାରିଖରେ ଲାଉସେନ ଡାଏମଣ୍ଡ ଲିଗ୍‌ରେ ଭାଗ ନେଇ ୮୯.୦୮ ମିଟର ଜାଭେଲିନ୍‌ ଫିଙ୍ଗି ପ୍ରଥମ ସ୍ଥାନ ଅଧିକାର କରିଥିଲେ। ଏଥିସହ ସେ ଫାଇନାଲ୍‌କୁ ଯୋଗ୍ୟତା ଅର୍ଜନ କରିଥିଲେ । ପ୍ରଥମ ଭାରତୀୟ ଭାବେ ସେ ଡାଏମଣ୍ଡ ଲିଗ୍‌ର ମିଟ୍‌ ଟାଇଟଲ ହାସଲ କରିଥିଲେ ।

Exit mobile version