Site icon ଆଜିକାଲି

ଆଇପିଏଲରେ ନୂଆ ନିୟମ, ଏଣିକି ଟସ୍ ପରେ ଏମିତି କରିପାରିବେ କ୍ୟାପଟେନ୍‌

ନୂଆଦିଲ୍ଲୀ: ଆଇପିଏଲ୍ ୨୦୨୩ରେ ଏକ ନୂଆ ନିୟମ ଲାଗୁ କରାଯିବ । ଏହି ନିୟମ ଅନୁଯାୟୀ ଟସ୍ ପରେ କ୍ୟାପଟେନ୍ ନିଜ ଚୂଡାନ୍ତ ଏକାଦଶ ଚୟନ କରିପାରିବେ । ପୂର୍ବରୁ ଟସ୍ ପୂର୍ବରୁ ଉଭୟ ଦଳର କ୍ୟାପଟେନ ଚୂଡ଼ାନ୍ତ ଏକାଦଶ ଘୋଷଣା କରୁଥିଲେ । ହେଲେ ଏଥର କ୍ୟାପଟେନ ମାନଙ୍କୁ ଟସ୍ ଫଳାଫଳ ଆଧାରରେ ନିଜ ଦଳ ଚୟନ କରିବାକୁ ଅନୁମତି ମିଳିବ ।

ଖେଳ ସର୍ତ୍ତାବଳୀର ଧାରା ୧.୨.୧ ଅନୁଯାୟୀ ପ୍ରତ୍ୟେକ ଅଧିନାୟକ ଟସ୍ ପରେ ୧୧ ଜଣ ଖେଳାଳିଙ୍କ ସହ ସର୍ବାଧିକ ୫ ବଦଳ ଫିଲ୍ଡରଙ୍କ ନାମ ଲିଖିତ ଆକାରରେ ଆଇପିଏଲ୍ ମ୍ୟାଚ୍ ରେଫରୀଙ୍କୁ ଦେବେ । ଟସ୍ ପରେ ଯଦି ଜଣେ କ୍ୟାପଟେନ୍ ପରିସ୍ଥିତି ଅନୁଯାୟୀ ନିଜ ଚୂଡାନ୍ତ ଏକାଦଶରେ ପରିବର୍ତ୍ତନ କରିବାକୁ ଚାହୁଁଛନ୍ତି ତେବେ ସେ ଏହା ଖେଳ ଆରମ୍ଭ ହେବା ପୂର୍ବରୁ ପ୍ରତିପକ୍ଷ ଦଳର ଅଧିନାୟକଙ୍କୁ ଜଣାଇ କରିପାରିବେ ।

ଆଉ ଏକ ନିୟମ ମଧ୍ୟ ବଦଳିଛି । ଯଦି ବ୍ୟାଟର ବଲକୁ ଛୁଇଁବା ପୂର୍ବରୁ ୱିକେଟକିପର ନିଜ ଗତିବିଧି ବଦଳାନ୍ତି, ତେବେ ତାଙ୍କୁ ଜରିମାନା ହେବ । ୱିକେଟକିପର ଯଦି ନିଜ ସ୍ଥିତିରେ ଅଯଥା ପରିବର୍ତ୍ତନ କରନ୍ତି, ତେବେ ଦୁଇ ଅମ୍ପାୟରଙ୍କ ମଧ୍ୟରୁ କେହି ବି ଏନେଇ ତାଙ୍କୁ ଚେତାବନୀ ଦେଇପାରିବେ କିମ୍ବା ଡେଡ୍ ବଲ୍ ଘୋଷଣା କରିବେ । ଏନେଇ ସେ ଅନ୍ୟ ଫିଲ୍ଡ ଅମ୍ପାୟରଙ୍କୁ ଜଣାଇବେ । ଏହାପରେ ବୋଲରଙ୍କ ପାଶ୍ୱର୍ରେ ଛିଡ଼ା ହୋଇଥିବା ଅମ୍ପାୟର ବୋଲିଂ ଦଳକୁ ଏକ ରନ୍ ପେନାଲ୍ଟି ଦେବେ ନତୁବା ୱାଇଡ୍ ଓ ନୋ ବଲ୍ ଭାବେ ଘୋଷଣା କରିବେ । ଏପରିକି ଅମ୍ପାୟର ବ୍ୟାଟିଂ ଦଳକୁ ୫ ରନ୍ ପେନାଲ୍ଟି ମଧ୍ୟ ଦେଇପାରନ୍ତି । ଏପରି କାର୍ଯ୍ୟାନୁଷ୍ଠାନ ସମ୍ପର୍କରେ ଅମ୍ପାୟର ଫିଲ୍ଡିଂ ଦଳର କ୍ୟାପଟେନ ସହ ବ୍ୟାଟର, ଓ ବ୍ୟାଟିଂ ଦଳର କ୍ୟାପଟେନଙ୍କୁ ମଧ୍ୟ ଜଣାଇବେ ।

ଟୁର୍ଣ୍ଣାମେଣ୍ଟର ‘ଇମ୍ପାକ୍ଟ ପ୍ଲେୟାର’ ନିୟମ ମଧ୍ୟ ଲାଗୁ କରାଯିବ । ଏହି ନିୟମ ଅନୁଯାୟୀ ପୂର୍ବରୁ ଘୋଷିତ ପାଞ୍ଚ ବଦଳ ଖେଳାଳିଙ୍କ ମଧ୍ୟରୁ ଜଣଙ୍କୁ ମ୍ୟାଚର ଯେକୌଣସି ସମୟରେ ଖେଳିପାରିବେ ।

Exit mobile version