Site icon ଆଜିକାଲି

ଆଜି ନୂଆ ସଂସଦ ଭବନର ଲୋକାର୍ପଣ, ଦୁଇଟି ପର୍ଯ୍ୟାୟରେ ଚାଲିବ କାର୍ଯ୍ୟକ୍ରମ

ନୂଆଦିଲ୍ଲୀ : ଆଜି ନୂଆ ସଂସଦ ଭବନର ଲୋକାର୍ପଣ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଉଦଘାଟନୀ କାର୍ଯ୍ୟକ୍ରମ ଦୁଇଟି ପର୍ଯ୍ୟାୟରେ ଚାଲିବ । ପୂଜାପାଠ ପାଇଁ ଗାନ୍ଧୀ ମୂର୍ତ୍ତି ନିକଟରେ ମଣ୍ଡପ ସ୍ଥାପନ କରାଯିବ। ତେବେ ଏହି ପୂଜାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଲୋକସଭା ବାଚସ୍ପତି ଓମ ବିର୍ଲା, ରାଜ୍ୟସଭା ଉପାଧ୍ୟକ୍ଷଙ୍କ ସମେତ ବହୁ ମନ୍ତ୍ରୀ ଉପସ୍ଥିତ ରହିବେ। ଏହି ସମୟରେ ତାମିଲନାଡୁର ମଠରୁ ଆସିଥିବା ୨୦ ଜଣ ସନ୍ଥ ଉପସ୍ଥିତ ରହିବେ ।

ସକାଳେ ପୂଜା ଓ ହୋମ ପରେ, ଦ୍ୱିତୀୟ ପର୍ଯ୍ୟାୟର କାର୍ଯ୍ୟକ୍ରମ ମଧ୍ୟାହ୍ନ ୧୨ଟାରୁ ଆରମ୍ଭ ହେବ । ଦ୍ୱିତୀୟ ପର୍ଯ୍ୟାୟ କାର୍ଯ୍ୟକ୍ରମ ଜାତୀୟ ସଂଗୀତ ସହିତ ଆରମ୍ଭ ହେବ। ଶେଷରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସମ୍ବୋଧିତ କରିବେ । ଏହା ସହ ମୋଦି ନୂତନ ସଂସଦ ଗୃହର ଉଦଘାଟନ କରିବେ । ଏହି ଅବସରରେ ପ୍ରଧାନମନ୍ତ୍ରୀ ଏକ ୭୫ ଟଙ୍କିଆ ମୁଦ୍ରାର ଉନ୍ମୋଚନ କରିବେ। ସ୍ବାଧୀନତାର ୭୫ ବର୍ଷ ଉପଲକ୍ଷେ ଏହି ନୂଆ ମୁଦ୍ରା ପ୍ରସ୍ତୁତ କରାଯାଇଛି। ଦେଶ ପାଇଁ ଏକ ଗୌରବର ମୁହୂର୍ତ୍ତ ଆସିବାକୁ ଯାଉଛି । ନୂଆ ସଂସଦ ଭବନ ପ୍ରତିଷ୍ଠା ଉତ୍ସବରେ ଆୟୋଜିତ ପୂଜାର୍ଚ୍ଚନା ପାଇଁ ଚେନ୍ନାଇରୁ ୨୧ ଜଣ ପୂଜକ ଦିଲ୍ଲୀ ଆସିଛନ୍ତି ।

ତେବେ ନୂଆ ସଂସଦ ଭବନରେ କ’ଣ ଅନେକ ସ୍ୱତନ୍ତ୍ରତା । ମୋଟ ୬୪ ହଜାର ୫୦୦ ବର୍ଗଫୁଟ ଜାଗାରେ ନିର୍ମାଣ କରାଯାଇଛି । ନୂଆ ସଂସଦ ଭବନ ୪ ମହଲା ବିଶିଷ୍ଟ । ୯୭୦ କୋଟି ଟଙ୍କା ବ୍ୟୟରେ ଟାଟା ପ୍ରୋଜକ୍ଟ ଏହି ଭବନ ନିର୍ମାଣ କରିଛି । ସଂସଦ ଭବନ ମଝିରେ ରହିଛି ସ୍ୱାମ୍ବିଧାନିକ ହଲ୍ । ଏଥିରେ ସାଂସଦମାନଙ୍କ ବିଶ୍ରାମ ପାଇଁ ସ୍ୱତନ୍ତ୍ର ବିଶ୍ରାମଘର ରହିଛି । ଅଧିକ ସ୍ଥାନ ପାଇଁ ତ୍ରିଭୁଜ ଆକୃତିରେ ଏହାର ନିର୍ମାଣ କରାଯାଇଛି । ଜାତୀୟ ପକ୍ଷୀ ମୟୁରରୁ ଅନୁପ୍ରେରିତ ହୋଇ ଲୋକସଭା ହଲ୍ ନିର୍ମାଣ କରାଯାଇଛି । ଜାତୀୟ ଫୁଲ ପଦ୍ମରୁ ଅନୁପ୍ରାଣିତ ହୋଇ ରାଜ୍ୟସଭା କକ୍ଷ ତିଆରି ହୋଇଛି ।

ଲୋକସଭାରେ ୮୮୮ ଟି , ରାଜ୍ୟସଭାରେ ୩୪୮ ଟି ଆସନ ରହିଛି । ସବୁ ଆସନ ସମ୍ମୁଖରେ ମଲ୍ଟିମିଡିଆ ଡିସପ୍ଲେ ଲଗାଯାଇଛି । ମିଳିତ ଅଧିବେସନ ପାଇଁ ୧୨୭୨ ଆସନ ବିଶିଷ୍ଟ ନୂଆ କକ୍ଷ ରହିଛି । ଭୂମିକମ୍ପରେ ଗୃହ ସୁରକ୍ଷିତ ରଖିବା ପାଇଁ ସ୍ୱତନ୍ତ୍ର ଶୈଳୀର ଏହାର ନିର୍ମାଣ କରାଯାଇଛି ।

Exit mobile version