Site icon ଆଜିକାଲି

ଟି-୨୦ରେ ନୂତନ ବିଶ୍ବ ରେକର୍ଡ, ଗୋଟିଏ ଓଭରରେ ୩୯ରନ

ନୂଆଦିଲ୍ଲୀ: ଅନ୍ତର୍ଜାତୀୟ ଟି-୨୦ କ୍ରିକେଟରେ ନୂତନ ବିଶ୍ବ ରେକର୍ଡ ସୃଷ୍ଟି ହୋଇଛି। ଅନ୍ତର୍ଜାତୀୟ ଟି୨୦ କ୍ରିକେଟରେ ଗୋଟିଏ ଓଭରରେ ସର୍ବାଧିକ ୩୬ରନର ସ୍କୋର ରହିଥିଲା। ବର୍ତ୍ତମାନ ଏହି ସଂଖ୍ୟା ୩୯ରେ ପହଞ୍ଚିଛି। ଅନ୍ତର୍ଜାତୀୟ ଟି୨୦ କ୍ରିକେଟରେ ଏକ ଓଭରରେ ୩୯ରନ ଅସମ୍ଭବ ଲାଗୁଥିଲେ ମଧ୍ୟ ତାହା ସମ୍ଭବରେ ପରିଣତ ହୋଇଛି।

ଭାନୁଆତି ବିପକ୍ଷରେ ସାମୋଆ ଦଳ ଏହି କୃତିତ୍ବ ହାସଲ କରିଛନ୍ତି। ସାମୋଆ ବ୍ୟାଟ୍‌ସମ୍ୟାନ ଡାରିୟସ ଭିସେର ଗୋଟିଏ ଓଭରରେ ୩୬ରନ କରି ଯୁବରାଜ ସିଂହ, କିରନ ପୋଲାର୍ଡ, ନିକୋଲାସ ପୁରନ , ଦୀପେନ୍ଦ୍ର ସିଂହ, ରୋହିତ ଶର୍ମା- ରିଙ୍କୁ ସିଂହଙ୍କ ରେକର୍ଡ ସହ ସମକକ୍ଷ ହୋଇଛନ୍ତି। କିନ୍ତୁ ଅତିରିକ୍ତ ୩ ରନ ବଳରେ ଏକ ଓଭରରେ ସାମୋଆ ୩୯ରନ ସଂଗ୍ରହ କରି ନୂତନ ବିଶ୍ବ ରେକର୍ଡ ସ୍ଥାପନ କରିଛି।

ପୁରୁଷ ଟି୨୦ ବିଶ୍ବକପ ଉପ କ୍ଷେତ୍ରୀୟ ପୂର୍ବ ଏସୀୟ ପାସିଫିକ୍‌ ଯୋଗ୍ୟତାପର୍ଯ୍ୟାୟ -୨୦୨୪ରେ ଏହି ରେକର୍ଡ ସୃଷ୍ଟି ହୋଇଛି। ଆପିଆରେ ଖେଳାଯାଇଥିବା ଭାନୁଆତୁ ବିପକ୍ଷ ମ୍ୟାଚରେ ସାମୋଆ ବ୍ୟାଟ୍‌ସମ୍ୟାନ ଡାରିୟସ ଭିସେରଙ୍କ ଏକ ଓଭରରେ ୬ ଛକା ବଳରେ ୩୯ରନ ହୋଇଥିଲା। ଇନିଂସର ୧୫ତମ ଓଭରରେ ଭାନୁଆତି ବୋଲର ନାଲିନ ନିପିକୋରୁଙ୍କ ଏକ ଓଭରରେ ଡାରିୟସ ୬ଟି ଛକା ମାରିଥିବାବେଳେ ୩ରନ ନୋ ବଲ୍‌ ଆକାରରେ ଆସିଥିଲା। ଡରିୟସ ନିପିକୋରୁଙ୍କ ଓଭରର ପ୍ରଥମ ୩ଟି ବଲକୁ ୩ଟି ଛକା ମାରିଥିଲେ। ୪ର୍ଥ ବଲ ନୋ ହୋଇଥିଲା। ଫଳସ୍ବୂରପ ୧ ରନ ମିଳିଥିଲା। ଫ୍ରି ହିଟ୍‌ ବଲକୁ ଡାରିୟସ ଛକା ମାରିଥିଲେ। ୫ମ ବଲ ଡଟ୍‌ ରହିଥିଲା, ୬ଷ୍ଠ ବଲ ନୋ ହୋଇଥିବାବେଳେ ଗୋଟିଏ ରନ ମଧ୍ୟ ଆସିଥିଲା। ଫ୍ରି ହିଟ୍‌ ବଲ ମଧ୍ୟ ନୋ ହୋଇଥିବାବେଳେ ଡାରିୟସ ଏହାକୁ ଛକା ମାରିଥିଲେ। ଶେଷ ଫ୍ରି ହିଟ୍‌ ବଲକୁ ମଧ୍ୟ ଡାରିୟର୍ସ ଛକା ମାରିଥିଲେ।

ମ୍ୟାଚରେ ସାମୋଆ ପ୍ରଥମେ ବ୍ୟାଟିଂ କରି ଡାରିୟସ ଭିସେରଙ୍କ ୬୨ଟି ବଲରୁ ୫ଟି ଚୌକା ଓ ୧୪ଟି ଛକା ସହ ୧୩୨ରନ ବଳରେ ୧୭୪ରନ କରିଥିଲା। ଜବାବରେ ଭାନୁଆତୁ ୯ ୱିକେଟରେ ୧୬୪ରନ କରିବାକୁ ସକ୍ଷମ ହୋଇଥିଲା। ସାମୋଆ ମ୍ୟାଚକୁ ୧୦ରନରେ ଜିତିବାରେ ସଫଳ ହୋଇଥିଲା। ପୂର୍ବରୁ ଅନ୍ତର୍ଜାତୀୟ ଟି୨୦ରେ ଏକ ଓଭରରେ ୩୬ରନ ଭାରତର ଯୁବରାଜ ସିଂହ ୨୦୦୭ରେ, ୱେଷ୍ଟଇଣ୍ଡିଜ୍‌ର କିରନ ପୋଲାର୍ଡ ୨୦୨୧ରେ, ନିକୋଲାସ ପୁରନ ୨୦୨୪ରେ ଓ ନେପାଳର ଦୀପେନ୍ଦ୍ର ସିଂହ ୨୦୨୪ରେ, ରିଙ୍କୁ ସିଂହ-ରୋହିତ ଶର୍ମା ୨୦୨୪ରେ ସଂଗ୍ରହ କରିଥିଲେ।

Exit mobile version