Site icon ଆଜିକାଲି

ଦ୍ୱିତୀୟ ଟେଷ୍ଟରେ ନ୍ୟୁଜିଲାଣ୍ଡର ରୋମାଞ୍ଚକ ବିଜୟ, ଫଲୋଅନ୍ ପରେ ଇଂଲଣ୍ଡକୁ ୧ ରନରେ ହରାଇଲା

ୱେଲିଂଟନ : ନ୍ୟୁଜିଲାଣ୍ଡ ଓ ଇଂଲଣ୍ଡ ମଧ୍ୟରେ ଦ୍ୱିତୀୟ ତଥା ଅନ୍ତିମ ଟେଷ୍ଟର ରୋମାଞ୍ଚକର ପରିସମାପ୍ତି ଘଟିଛି । ଫଲୋଅନ୍ ହେବା ସତ୍ତ୍ୱେ ଜବରଦସ୍ତ ପ୍ରତ୍ୟାବର୍ତ୍ତନ କରି ନ୍ୟୁଜିଲାଣ୍ଡ ୧ ରନରେ ଇଂଲଣ୍ଡକୁ ହରାଇ ଦେଇଛି । ନ୍ୟୁଜିଲାଣ୍ଡ ପ୍ରଦତ୍ତ ୨୫୮ ରନ୍ ବିଜୟଲକ୍ଷ୍ୟ ଜବାବରେ ଇଂଲଣ୍ଡ ପଞ୍ଚମ ଦିନରେ ୨୫୬ ରନ୍ କରି ଅଲ୍ଆଉଟ୍ ହୋଇଯାଇଥିଲା । ଇଂଲଣ୍ଡ ଓ ଭାରତ ପରେ ନ୍ୟୁଜିଲାଣ୍ଡ ବିଶ୍ଵର ତୃତୀୟ ଦଳ ଭାବେ ଫଲୋଅନ୍ ହେବା ପରେ ଜିତିଛି । ଟେଷ୍ଟ ଇତିହାସରେ କେବଳ ଚତୁର୍ଥ ଥର ଏପରି ହୋଇଛି । ଏହାଛଡ଼ା ଟେଷ୍ଟ କ୍ରିକେଟରେ ଦ୍ବିତୀୟ ଥର ପାଇଁ ଗୋଟିଏ ଦଳ ୧ ରନରେ ବିଜୟ ହାସଲ କରିଛି । ଏହି ରୋମାଞ୍ଚକ ବିଜୟ ସହ ନ୍ୟୁଜିଲାଣ୍ଡ ଦୁଇ ମ୍ୟାଚ୍ ବିଶିଷ୍ଟ ସିରିଜକୁ ୧-୧ରେ ଡ୍ର କରିଛି।

ଶେଷ ଦିନରେ ଇଂଲଣ୍ଡକୁ ଆହୁରି ୨୧୦ ରନ୍ ଆବଶ୍ୟକ ହେଉଥିବା ବେଳେ ନ୍ୟୁଜିଲାଣ୍ଡକୁ ଦରକାର ଥିଲା ୯ ଓ୍ବିକେଟ୍ । ହେଲେ ପ୍ରଥମ ଏକ ଘଣ୍ଟା ଖେଳରେ ମାତ୍ର ୩୨ ରନରେ ଇଂଲଣ୍ଡ ୪ ଓ୍ବିକେଟ୍ ହରାଇ ସଙ୍କଟରେ ପଡ଼ିଥିଲା । ଏହା ପରେ ଜୋ ରୁଟ୍ ଏବଂ ବେନ୍ ଷ୍ଟୋକ୍ସ ୧୨୧ ରନ୍ ଭାଗିଦାରୀ କରି ଦଳର ବିଜୟ ଆଶା ସଞ୍ଚାର କରିଥିଲେ । ମଧ୍ୟାହ୍ନ ଭୋଜନ ସୁଦ୍ଧା ଇଂଲଣ୍ଡ ୫ ୱିକେଟ୍ ପାଇଁ ୧୬୮ ରନ୍ ସଂଗ୍ରହ କରିଥିଲା। ଇଂଲଣ୍ଡର ସ୍କୋର ୨୦୧ ରନ୍ ହୋଇଥିବା ବେଳେ ଷ୍ଟୋକ୍ସଙ୍କୁ ଆଉଟ୍ କରି ନ୍ୟୁଜିଲାଣ୍ଡ ପେସର୍ ନିଲ୍ ଓ୍ବାଗନର ଏହି ଯୋଡ଼ି ଭାଙ୍ଗିଥିଲେ । ସେ ୧୧୬ ବଲରୁ ୩୩ ରନ୍ କରିଥିଲେ। ଏହାପରେ ଜୋ ରୁଟ୍ (୯୫) ମଧ୍ୟ ପାଭିଲିୟନକୁ ଫେରିଥିଲେ ଓ ଇଂଲଣ୍ଡ ସେତେବେଳେ ୨୦୨ ରନରେ ୭ ଓ୍ବିକେଟ୍ ହରାଇ ଦେଇଥିଲା । ଷ୍ଟୋକ୍ସ ଓ ରୁଟ୍ ଆଉଟ୍ ହୋଇଯିବା ପରେ ଓ୍ବିକେଟକିପର ବ୍ୟାଟର ବେନ୍ ଫୋକ୍ସ ପାଳି ସମ୍ଭାଳିବାକୁ ଚେଷ୍ଟା କରିଥିଲେ, ଓ ଦଳକୁ ବିଜୟଲକ୍ଷ୍ୟର ନିକଟରେ ପହଞ୍ଚାଇଥିଲେ । ନ୍ୟୁଜିଲାଣ୍ଡ ହାତରୁ ମ୍ୟାଚ୍ ଖସୁଥିବା ବେଳେ ମ୍ୟାଚରେ ପୁଣି ନାଟକୀୟ ମୋଡ଼ ଆସିଥିଲା । ଫୋକ୍ସଙ୍କୁ ଆଉଟ୍ କରି ସାଉଦି ମ୍ୟାଚରେ ରୋମାଞ୍ଚ ଭରି ଦେଇଥିଲେ । ଫୋକ୍ସ ୫୭ ବଲରୁ ୩୫ ରନ ସଂଗ୍ରହ କରିଥିଲେ। ହାତରେ ଗୋଟିଏ ଓ୍ବିକେଟ୍ ବାକି ଥାଇ ଇଂଲଣ୍ଡକୁ ଆଉ ୨ ରନ୍ ଆବଶ୍ୟକ ହେଉଥିବା ବେଳେ ଜେମ୍ସ ଆଣ୍ଡରସନଙ୍କୁ ଓ୍ବିକେଟ୍ କିପରଙ୍କ ହାତରେ କ୍ୟାଚ୍ ଆଉଟ୍ କରାଇ ଓ୍ବାଗନର ନ୍ୟୁଜିଲାଣ୍ଡର ୧ ରନ୍ ବିଜୟ ନିଶ୍ଚିତ କରିଥିଲେ ‌। ନ୍ୟୁଜିଲ୍ୟାଣ୍ଡ ପକ୍ଷରୁ ନିଲ୍ ୱାଗନର୍ ୪ଟି ଓ ଅଧିନାୟକ ଟିମ୍ ସାଉଦି ୩ ୱିକେଟ୍ ନେଇଥିଲେ।

Exit mobile version