Site icon ଆଜିକାଲି

ଆଫଗାନିସ୍ତାନକୁ ଶୋଚନୀୟ ଭାବେ ହରାଇଲା ନ୍ୟୁଜିଲାଣ୍ଡ

ଚେନ୍ନାଇ: ଗତ ମ୍ୟାଚ୍‌ରେ ଇଂଲଣ୍ଡ ପରି ଶକ୍ତିଶାଳୀ ଦଳକୁ ହରାଇ କ୍ରିକେଟ୍ ଜଗତରେ ଚହଳ ପକାଇଥିବା ଆଫଗାନିସ୍ତାନ ଆଜି ନ୍ୟୁଜିଲାଣ୍ଡ ନିକଟରୁ ଶୋଚନୀୟ ପରାଜୟ ଭୋଗିଛି। କିଓ୍ଵି ଦଳ ବ୍ୟାଟିଂ ଏବଂ ବୋଲିଂ ଉଭୟରେ ଦମଦାର ପ୍ରଦର୍ଶନ କରି ଆଫଗାନିସ୍ତାନକୁ ୧୪୯ ରନରେ ହରାଇ ଚଳିତ ବିଶ୍ଵକପରେ ପ୍ରଥମ ଦଳ ଭାବେ ଚତୁର୍ଥ ବିଜୟ ହାସଲ କରିଛି। ଏହା ସହ ଭାରତକୁ ପଛରେ ପକାଇ ପଏଣ୍ଟ ଟେବୁଲର ଶୀର୍ଷକୁ ଉଠିଛି ନ୍ୟୁଜିଲାଣ୍ଡ। ଚେନ୍ନାଇରେ ଖେଳା ଯାଇଥିବା ଆଜିର ମ୍ୟାଚ୍‌ରେ ପ୍ରଥମେ ବ୍ୟାଟିଂ କରି ନ୍ୟୁଜିଲାଣ୍ଡ ଗ୍ଲେନ ଫିଲିପ୍ସଙ୍କ ୭୧ ରନ, ଅଧିନାୟକ ଟମ୍ ଲାଥମଙ୍କ ୬୮ ରନ ଓ ଓ୍ଵିଲ ୟଙ୍ଗଙ୍କ ୫୪ ରନ ବଳରେ ୬ ଓ୍ଵିକେଟ୍ ହରାଇ ୨୮୮ ରନ କରିଥିଲା। ଜବାବରେ ଆଫଗାନିସ୍ତାନ କିଓ୍ଵି ବୋଲରଙ୍କ ଘାତକ ବୋଲିଂର ମୁକାବିଲା କରି ନ ପାରି ୩୪.୪ ଓଭରରେ ୧୩୯ ରନରେ ଅଲଆଉଟ୍ ହୋଇଛି। ମିଚେଲ୍ ସାଣ୍ଟନର ଓ ଲୋକି ଫର୍ଗ୍ୟୁସନ ପ୍ରତ୍ୟେକ ୩ଟି ଓ୍ଵିକେଟ୍ ନେଇ ଦଳ ବିଜୟରେ ଗୁରୁତ୍ଵପୂର୍ଣ୍ଣ ଭୂମିକା ନିର୍ବାହ କରିଛନ୍ତି। ଆଫଗାନିସ୍ତାନ ପକ୍ଷରୁ ବ୍ୟାଟିଂରେ ରହମତ ଶାହ ସର୍ବାଧିକ ୩୬ ରନ କରିଥିବା ବେଳେ ଅଜମତୁଲ୍ଲା ଓମରଜାଇ ୨୭ ରନ କରିଛନ୍ତି।

୨୮୯ ରନର ବିଜୟ ଲକ୍ଷ୍ୟ ପିଛା କରିଥିବା ଆଫଗାନିସ୍ତାନର ଦୁଇ ଓପନର ରେହମନୁଲ୍ଲା ଗୁରବାଜ ଓ ଇବ୍ରାହିମ ଜର୍ଦ୍ଦାନ ୨୭ ରନ ଯୋଡ଼ିଥିଲେ। ଗୁରବାଜ ୧୧ ରନ କରି ଆଉଟ୍ ହେବା ପରେ ଆଫଗାନିସ୍ତାନର ବ୍ୟାଟିଂ ବିପର୍ଯ୍ୟୟ ଆରମ୍ଭ ହୋଇଥିଲା। ଇବ୍ରାହିମ ଜର୍ଦ୍ଦାନ ୧୪ ରନ କରି ପାଭିଲିୟନ ଫେରିଥିଲେ। ମଧ୍ୟକ୍ରମରେ ରେହମତ ଶାହା(୩୬) ଓ ଅଜମତୁଲ୍ଲା ଓମରଜାଇ(୨୭)ଙ୍କୁ ବାଦ୍ ଦେଲେ ଅନ୍ୟ ବ୍ୟାଟର କ୍ରିଜରେ ଅଧିକ ସମୟ ତିଷ୍ଠି ପାରି ନ ଥିଲେ। ଇକ୍ରାମ ଅଲିଖିଲି ୧୯ ରନ କରି ଅପରାଜିତ ଥିଲେ। ଆଫଗାନିସ୍ତାନ ବ୍ୟାଟର କିଓ୍ଵି ବୋଲରଙ୍କ ଘାତକ ବୋଲିଂର ମୁକାବିଲା କରି ନ ପାରି ୧୩୯ ରନରେ ଅଲଆଉଟ୍ ହୋଇଛି।

କିଓ୍ଵି ଦଳ ପକ୍ଷରୁ ଲୋକି ଫର୍ଗ୍ୟୁସନ ୭ ଓଭରରେ ମାତ୍ର ୧୯ ରନ ଦେଇ ୩ଟି ଓ୍ଵିକେଟ୍ ନେଇଛନ୍ତି। ମିଚେଲ୍ ସାଣ୍ଟନର ୭.୪ ଓଭରରେ ୩୯ ରନ ବ୍ୟୟ କରି ୩ଟି ସଫଳତା ହାସଲ କରିଛନ୍ତି। ଟ୍ରେଣ୍ଟ ବୋଲ୍ଟ ୭ ଓଭରରେ ୧୮ ରନ ଦେଇ ୨ଟି ସଫଳତା ହାସଲ କରିଛନ୍ତି ।

Exit mobile version