Site icon ଆଜିକାଲି

ଆଜି ହାଇଦ୍ରାବାଦ୍‌ରେ ନ୍ୟୁଜିଲାଣ୍ଡ-ନେଦରଲାଣ୍ଡସ ମୁକାବିଲା

ହାଇଦ୍ରାବାଦ : ଆଇସିସି ଦିନିକିଆ ବିଶ୍ୱକପ୍‌ ୨୦୨୩ ରେ ସୋମବାର ଦିନ ଷଷ୍ଠ ଲିଗ୍‌ ମ୍ୟାଚ୍‌ ହାଇଦ୍ରାବାଦରେ ଖେଳାଯିବ । ନ୍ୟୁଜିଲାଣ୍ଡ ଓ ନେଦରଲାଣ୍ଡସ ମଧ୍ୟରେ ଖେଳାଯିବ ଏହି ମ୍ୟାଚ୍‌ । ତେବେ ଚଳିତ ବିଶ୍ୱକପ୍‌ର ପ୍ରଥମ ମ୍ୟାଚ୍‌ରେ ଡିଫେଣ୍ଡିଂ ଚାମ୍ପିଅନ୍‌ ଇଂଲଣ୍ଡକୁ ହରାଇ ଅଭିଯାନ ଆରମ୍ଭ କରିଥିବା ନ୍ୟୁଜିଲାଣ୍ଡ କ୍ରମାନ୍ୱୟରେ ଦ୍ୱିତୀୟ ବିଜୟ ଲକ୍ଷ୍ୟରେ ରହିଛି । ଅନ୍ୟ ପଟେ ପରାଜୟ ସହ ବିଶ୍ୱକପ୍‌ ଯାତ୍ରା ଆରମ୍ଭ କରିଥିବା ନେଦରଲାଣ୍ଡ୍‌ସ ବିପର୍ଯ୍ୟୟ ଘଟାଇବା ପାଇଁ ସବୁ ଶକ୍ତି ଖଟାଇବାକୁ ପ୍ରସ୍ତୁତ ରହିଛି ।

ଅଭିଜ୍ଞ କେନ୍‌ ୱିଲିୟମସନ୍‌ ଓ ଟିମ୍‌ ସାଉଦିଙ୍କ ବିନା ନ୍ୟୁଜିଲାଣ୍ଡ ଉଦ୍‌ଘାଟନୀ ମ୍ୟାଚ୍‌ରେ ଇଂଲଣ୍ଡକୁ ୯ ୱିକେଟ୍‌ରେ ପରାଜିତ କରିଥିଲା । ଓପନର ଡେଭନ କନୱେ (ଅପରାଜିତ ୧୫୨) ଓ ରଚିନ ରବିନ୍ଦ୍ର (ଅପରାଜିତ ୧୨୩) ଧୂଆଁଧାର ଶତକ ଅର୍ଜନ କରି ଦଳକୁ ଜିତାଇବାରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ । ସୋମବାର ମଧ୍ୟ କେନ୍‌ ୱିଲିୟମସନ୍‌ ଖେଳିବେନି । କିନ୍ତୁ ସାଉଦି ଏବଂ ଲୋକି ଫର୍ଗୁସନ୍‌ ପ୍ରତ୍ୟାବର୍ତ୍ତନ କରିବାର ଆଶଙ୍କା ରହିଛି । ନେଦରଲାଣ୍ଡ୍‌ସ ତୁଳନାରେ ନ୍ୟୁଜିଲାଣ୍ଡ ସମସ୍ତ ବିଭାଗରେ ଅପେକ୍ଷାକୃତ ଶକ୍ତିଶାଳୀ । ପୂର୍ବରୁ ଦଳ ନେଦରଲାଣ୍ଡ୍‌ସ ବିପକ୍ଷରେ ୪ଟି ମ୍ୟାଚ୍‌ ଖେଳି ଅପରାଜେୟ ରହିଛି । ସେଥିମଧ୍ୟରୁ ୩ଟି ମ୍ୟାଚ୍‌ରେ ୧୦୦ରୁ ଅଧିକ ବ୍ୟବଧାନରେ ବିଜୟ ହାସଲ କରିଛି । ସୋମବାର ଦୁଇ ଶତକବୀର କନୱେ ଓ ରବିନ୍ଦ୍ରଙ୍କ ସମେତ ବୋଲିଂ ବିଭାଗ ଉପରେ ସମସ୍ତଙ୍କ ନଜର ରହିବ ।

ନେଦରଲାଣ୍ଡ୍‌ସ ପ୍ରଥମ ମ୍ୟାଚ୍‌ରେ ପାକିସ୍ତାନ ନିକଟରୁ ୮୧ ରନ୍‌ରେ ପରାଜିତ ହୋଇଥିଲା । ତଥାପି ଦଳ ସବୁ ବିଭାଗରେ ଲଢ଼ୁଆ ପ୍ରଦର୍ଶନ କରି ସମସ୍ତଙ୍କ ହୃଦୟ ଜିତିବାରେ ସଫଳ ହୋଇଥିଲା । ବିଶ୍ୱକପ୍‌ ଯୋଗ୍ୟତା ରାଉଣ୍ଡରେ ଦଳ ପକ୍ଷରୁ ସର୍ବାଧିକ ୩୨୬ରନ୍‌ ସଂଗ୍ରହ କରିଥିବା ଓପନର ବିକ୍ରମଜିତ ସିଂହଙ୍କ ଉପରେ ବ୍ୟାଟିଂ ବିଭାଗ ନିର୍ଭରଶୀଳ । ପାକିସ୍ତାନ ବିପକ୍ଷ ମ୍ୟାଚ୍‌ରେ ମଧ୍ୟ ସେ ଅର୍ଦ୍ଧଶତକ ଅର୍ଜନ କରି ଫର୍ମରେ ଥିବା ପ୍ରମାଣିତ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଅଲରାଉଣ୍ଡର ବାସ୍‌ ଡି ଲିଡ୍‌ (୬୭ ରନ୍‌, ୪ ୱିକେଟ୍‌) ପ୍ରଭାବୀ ପ୍ରଦର୍ଶନ କରିଥିଲେ । ସୋମବାର ସେ ନ୍ୟୁଜିଲାଣ୍ଡ ବ୍ୟାଟରଙ୍କୁ ଅଡ଼ୁଆରେ ପକାଇବା ଆଶା କରାଯାଉଛି । ଲୋଗାନ ଭାନ୍‌ ବିକ୍‌ ଆହତ ଥିବାରୁ ସୋମବାର ମ୍ୟାଚ୍‌ ଖେଳିବେନି ।

Exit mobile version