Site icon ଆଜିକାଲି

ତିନି ରାଜ୍ୟରେ ଆଇଏସ୍ ସମର୍ଥକଙ୍କ ଠିକଣାରେ ଏନ୍ଆଇଏ ଚଢ଼ାଉ

ନୂଆଦିଲ୍ଲୀ : ଜାତୀୟ ଅନୁସନ୍ଧାନ ସଂସ୍ଥା (ଏନଆଇଏ) ବୁଧବାର ତାମିଲନାଡୁ, କେରଳ ଏବଂ କର୍ଣ୍ଣାଟକରେ ଆତଙ୍କବାଦୀ ସଂଗଠନ ଆଇଏସର ସମର୍ଥକଙ୍କ ଠିକଣାରେ ଚଢ଼ାଉ କରିଛି । ଏହି ତିନି ରାଜ୍ୟର ପ୍ରାୟ ୬୦ ସ୍ଥାନରେ ଏକକାଳୀନ ରେଡ୍ ହୋଇଛି । ସୂଚନାନୁସାରେ, ଆଇଏସ୍ ଭିଡିଓ ମାଧ୍ୟମରେ ଯୁବକମାନଙ୍କୁ ବ୍ରେନଓ୍ବାଶ୍ ପୂର୍ବକ ନିଜ ସଂଗଠନରେ ଭର୍ତ୍ତି ହେବାକୁ ପ୍ରବର୍ତ୍ତାଉଛି। ଏନଆଇଏ ଏପରି ଅନେକ ଭିଡିଓ ବିଷୟରେ ସୂଚନା ପାଇଥିଲା । ଏନଆଇଏ ଟିମ୍ ମଧ୍ୟ କୋଏମ୍ବାଟୁର କାର୍ ସିଲିଣ୍ଡର ବ୍ଲାଷ୍ଟ ମାମଲାର ଯାଞ୍ଚ କରୁଛି। ଏହି ମାମଲାରେ ବି କିଛି ସ୍ଥାନରେ ଚଢ଼ାଉ ହୋଇଛି ।

୨୩ ଅକ୍ଟୋବର ୨୦୨୨ରେ ତାମିଲନାଡୁର ଉକ୍କାଡାମର କୋଟାଇମେଡୁ ଠାରେ ଥିବା କୋଟାଇ ଇଶ୍ୱରନ ମନ୍ଦିର ସମ୍ମୁଖରେ ଏକ କାରରେ ଗ୍ୟାସ ସିଲିଣ୍ଡର ବିସ୍ଫୋରଣ ହୋଇଥିଲା। ଏହି ଘଟଣାରେ ସନ୍ଦିଗ୍ଧ ଆତଙ୍କବାଦୀ ଜେମ୍ସ ମୁବେନଙ୍କ ମୃତ୍ୟୁ ହୋଇଥିଲା। ଏହି ମାମଲାରେ ତଦନ୍ତକାରୀ ସଂସ୍ଥା ମୁବେନଙ୍କ ଘରୁ ବିପୁଳ ପରିମାଣର ବିସ୍ଫୋରକ ଜବତ କରିଥିଲା । ଏହାଛଡା ଏହି ମାମଲାରେ ୬ ଅଭିଯୁକ୍ତଙ୍କୁ ଗିରଫ କରାଯାଇସାରିଛି।

ସୂଚନା ଯେ, ତାମିଲନାଡୁର କୋଏମ୍ବାଟୁର ଏବଂ କର୍ଣ୍ଣାଟକର ମାଙ୍ଗାଲୁରୁରେ ଗତ ବର୍ଷ ହୋଇଥିବା ବୋମା ବିସ୍ଫୋରଣ ଘଟଣାର ଖୋଳତାଡ଼ ଚାଲିଛି। ଗତ ବର୍ଷ ଅକ୍ଟୋବର ୨୩ ଏବଂ ନଭେମ୍ବର ୧୯ରେ ଏହି ବିସ୍ଫୋରଣ ହୋଇଥିଲା। ସୂତ୍ରରୁ ପ୍ରକାଶ ଯେ ତାମିଲନାଡୁର କୋଡୁଙ୍ଗାୟୁର ଏବଂ କେରଳର ମାନ୍ନାଡି ସମେତ ତିନୋଟି ରାଜ୍ୟର ପ୍ରାୟ ପାଞ୍ଚ ଡଜନ ସ୍ଥାନରେ ଏକକାଳୀନ ଚଢ଼ଉ କରାଯାଇଥିଲା।

ଏନଆଇଏ ସୂତ୍ର ଅନୁଯାୟୀ, ଉମର ଫାରୁକ୍ ନାମକ ବ୍ୟକ୍ତି କୋଏମ୍ବାଟୁର ବିସ୍ଫୋରଣର ପ୍ଲାନିଂ କରିଥିଲା । ତାକୁ ଗିରଫ କରାଯାଇଛି। ଏଥିରେ ତାକୁ ମହମ୍ମଦ ଅଜହରୁଦ୍ଦିନ, ଶେଖ ହିଦୟତୁଲ୍ଲା ଏବଂ ସାନୋଫର ଅଲି ସହଯୋଗ କରିଥିଲେ । ଜେମ୍ସ ମୁବେନ ଏହି ବୋମାକୁ ଏକ ପ୍ରେସର କୁକରରେ ରଖି ଅଟୋ ରିକ୍ସାରେ ଆଣୁଥିବା ବେଳେ ବିସ୍ଫୋରଣ ହୋଇଥିଲା | ଏହି ଦୁର୍ଘଟଣାରେ ମୁବେନ ଏବଂ ଜଣେ ଯାତ୍ରୀ ମହମ୍ମଦ ଶାରକଙ୍କ ମୃତ୍ୟୁ ହୋଇଥିଲା । ଅଟୋ ରିକ୍ସା ଡ୍ରାଇଭର ପୁରୁଷୋତ୍ତମ ପୂଜାରୀ ଆହତ ହୋଇଥିଲେ। ଏନ୍ଆଇଏ ସୂଚନା ଅନୁଯାୟୀ, ରାଜ୍ୟରେ ସାମ୍ପ୍ରଦାୟିକ ଉତ୍ତେଜନା ବଢ଼ାଇବା ଏବଂ ଏକ ବଡ଼ ଧରଣର ଆକ୍ରମଣ ପାଇଁ ଯୋଜନା କରାଯାଇଥିଲା ।

Exit mobile version