Site icon ଆଜିକାଲି

ଆତଙ୍କବାଦୀ ସଂଗଠନରୁ ପାଣ୍ଠି ଗ୍ରହଣ ଅଭିଯୋଗ, କେଜ୍ରିୱାଲଙ୍କ ବିରୋଧରେ ଏନ୍ଆଇଏ ତଦନ୍ତ ସୁପାରିସ

ନୂଆଦିଲ୍ଲୀ: ସମ୍ପ୍ରତି ତିହାର ଜେଲରେ ବନ୍ଦୀ ଥିବା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ବିରୋଧରେ ନିଷିଦ୍ଧ ଆତଙ୍କବାଦୀ ସଂଗଠନରୁ ରାଜନୈତିକ ଫଣ୍ଡିଂ ପାଇଥିବା ଅଭିଯୋଗର ତଦନ୍ତ କରିବ ଏନ୍ଆଇଏ। ଦିଲ୍ଲୀ ଉପରାଜ୍ୟପାଳ ବିନୟ କୁମାର ସକ୍ସେନା ଏନେଇ ସୁପାରିସ କରିଛନ୍ତି। କେଜ୍ରିୱାଲ ନିଷିଦ୍ଧ ଖଲିସ୍ତାନୀ ସଂଗଠନ “ଶିଖ୍ ଫର ଜଷ୍ଟିସ୍” ରୁ ରାଜନୈତିକ ପାଣ୍ଠି ଗ୍ରହଣ କରିଥିବା ଅଭିଯୋଗ ହୋଇଛି ।

ଖଲିସ୍ତାନୀ ସମର୍ଥକ ଦେବେନ୍ଦ୍ର ପାଲ୍ ଭୁଲ୍ଲରଙ୍କ ମୁକ୍ତି ପାଇଁ ଅରବିନ୍ଦ କେଜ୍ରିୱାଲଙ୍କ ନେତୃତ୍ୱାଧୀନ ଆମ୍ ଆଦମୀ ପାର୍ଟି (ଆପ୍) ନିଷିଦ୍ଧ ସଂଗଠନ “ଶିଖ୍ ଫର ଜଷ୍ଟିସ୍”ରୁ ବିପୁଳ ଅର୍ଥ (ପ୍ରାୟ ୧୬ ମିଲିୟନ୍ ଡଲାର୍) ପାଇଥିଲା ବୋଲି ଦିଲ୍ଲୀ ଉପରାଜ୍ୟପାଳଙ୍କୁ ଏକ ଅଭିଯୋଗ ମିଳିଥିଲା ।

ଯେହେତୁ ଜଣେ ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ଏପରି ଅଭିଯୋଗ ହୋଇଛି, ଅଭିଯୋଗକାରୀଙ୍କ ଦ୍ୱାରା ଦାଖଲ ଇଲେକ୍ଟ୍ରୋନିକ୍ ପ୍ରମାଣର ଫରେନସିକ୍ ଯାଞ୍ଚ ସହିତ ଏହାର ପୁଙ୍ଖାନୁପୁଙ୍ଖ ତଦନ୍ତର ଆବଶ୍ୟକତା ରହିଛି ବୋଲି ଉପରାଜ୍ୟପାଳ ସକ୍ସେନା କହିଛନ୍ତିି ।

ଅନ୍ୟପକ୍ଷରେ ଆମ୍ ଆଦମୀ ପାର୍ଟି ଏହାକୁ ଆଉ ଏକ ଷଡ଼ଯନ୍ତ୍ର ବୋଲି କହିଛି। କେଜ୍ରିୱାଲଙ୍କ ବିରୋଧରେ ଏନଆଇଏ ତଦନ୍ତ ସୁପାରିସ ନେଇ ଆପ୍ ନେତା ସୌରଭ ଭରଦ୍ୱାଜ କହିଛନ୍ତି ଉପରାଜ୍ୟପାଳ ବିଜେପିର ଜଣେ ଏଜେଣ୍ଟ। ମୁଖ୍ୟମନ୍ତ୍ରୀ କେଜ୍ରିୱାଲଙ୍କ ବିରୋଧରେ ଏହା ଆଉ ଏକ ବଡ଼ ଷଡଯନ୍ତ୍ର। ଏହି ଷଡ଼ଯନ୍ତ୍ର ବିଜେପିର ନିର୍ଦ୍ଦେଶରେ ହୋଇଛି ବୋଲି ସେ ଅଭିଯୋଗ କରିଛନ୍ତି।

Exit mobile version