Site icon ଆଜିକାଲି

ଟ୍ରେନ୍ ନାହିଁ ତ ଭୋଟ୍ ନାହିଁ: ଗୁଜରାଟର ୧୮ଟି ଗାଁ ଲୋକଙ୍କ ଭୋଟ ବର୍ଜନ ଧମକ


ଅହମ୍ମଦାବାଦ: ବିଧାନସଭା ନିର୍ବାଚନ ପାଇଁ ଗୁଜରାଟରେ ରାଜନୈତିକ ଉଷ୍ମତା ବୃଦ୍ଧି ପାଇଛି । ନିର୍ବାଚନ ତାରିଖ ଘୋଷଣା ହୋଇସାରିଥିବା ବେଳେ ସମସ୍ତ ଦଳ ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ ମଧ୍ୟ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି । ତେବେ ନବସାରୀ ବିଧାନସଭା ନିର୍ବାଚନ ମଣ୍ଡଳୀର ୧୮ଟି ଗାଁର ଲୋକେ ଭୋଟ୍ ବର୍ଜନ କରିବେ ବୋଲି ଧମକ ନେଇଛନ୍ତି । କେବଳ ଏତିକି ନୁହେଁ, ଗାଁରେ ବିଜେପି କି ଅନ୍ୟ କୌଣସି ଦଳର ନେତାଙ୍କ ଆଗମନ ଏବଂ ପ୍ରଚାର ମଧ୍ୟ ନିଷେଧ କରାଯାଇଛି।

ସୂଚନାନୁସାରେ, ଏଠାକାର ଅଞ୍ଚେଲି ରେଳ ଷ୍ଟେସନରେ ପାସେଞ୍ଜର ଟ୍ରେନ୍ ରହଣି ନେଇ ଗ୍ରାମବାସୀ ଦୀର୍ଘ ଦିନ ଧରି ଦାବି କରିଆସୁଥିଲେ । କିନ୍ତୁ ସେମାନଙ୍କର ଦାବି ଗ୍ରହଣ କରାଯାଇନାହିଁ । ଏହି କାରଣରୁ ସେମାନେ ରାଗିଛନ୍ତି। ଅଞ୍ଚେଲି ରେଳ ଷ୍ଟେସନ ଏବଂ ଅନ୍ୟାନ୍ୟ ଷ୍ଟେସନରେ ଗ୍ରାମବାସୀଙ୍କ ତରଫରୁ ବ୍ୟାନର ମଧ୍ୟ ଲଗାଯାଇଛି। ଏହା ଉପରେ ଲେଖା ଅଛି, ‘ଟ୍ରେନ୍ ନାହିଁ, ଭୋଟ୍ ନାହିଁ’।

ରେଳ ଷ୍ଟେସନରେ ଟ୍ରେନ୍ ଅଟକି ନ ଥିବାରୁ ସେମାନେ ଅନେକ ସମସ୍ୟାର ସମ୍ମୁଖୀନ ହେଉଛନ୍ତି ବୋଲି ଗାଁ ଲୋକ କହିଛନ୍ତି। ଏଠାରୁ ଆଉ କେଉଠିକି ଯିବା ପାଇଁ ଜଣେ ବ୍ୟକ୍ତିଙ୍କୁ ଅଧିକ ଖର୍ଚ୍ଚାନ୍ତ ହେବାକୁ ପଡୁଛି | ସେମାନେ କହିଛନ୍ତି ଯେ ଗାଁର ପିଲାମାନଙ୍କୁ ପାଠପଢ଼ାରେ ମଧ୍ୟ ସମସ୍ୟା ହେଉଛି। ସେମାନେ ସ୍କଲ, କଲେଜ ଯିବାକୁ ଅସୁବିଧା ହେଉଛି ।

ଜଣେ ସ୍ଥାନୀୟ ବାସିନ୍ଦା କହିଛନ୍ତି ଯେ ୧୯୬୬ ମସିହାରୁ ଆଞ୍ଚେଲି ରେଳ ଷ୍ଟେସନରେ ଟ୍ରେନ୍ ରହୁଥିଲା। ପୂର୍ବରୁ ଏକ ଯାତ୍ରୀବାହୀ ଟ୍ରେନ୍ ଏଠାରେ ରହୁଥିଲା । ପରେ ଆଉ କିଛି ଟ୍ରେନ୍ ମଧ୍ୟ ଏହି ଷ୍ଟେସନରେ ରହଣି କରୁଥିଲେ | ତେବେ କରୋନା ମହାମାରୀ ସମୟରେ ଏହି ଷ୍ଟେସନରେ ଟ୍ରେନ୍ ରହଣି ବନ୍ଦ ହୋଇଯାଇଥିଲା । ବର୍ତ୍ତମାନ ସବୁକିଛି ସ୍ୱାଭାବିକ ହୋଇଥିଲେ ମଧ୍ୟ ଆଉ ଟ୍ରେନ୍ ଏଠାରେ ରହୁ ନାହିଁ | ଗ୍ରାମବାସୀ କହିଛନ୍ତି ଯେ ଯଦି ଟ୍ରେନ୍ ରହଣି ନ ହେଉଛି, ତେବେ ଗାଁର କୌଣସି ଲୋକ ଭୋଟ୍ ଦେବେ ନାହିଁ।

Exit mobile version