Site icon ଆଜିକାଲି

ଏଣିକି ଟ୍ୱିଟରରେ ବ୍ଲୁ ଟିକ୍ ପାଇଁ ଲାଗିବ ଚାର୍ଜ, ସିଇଓ ମସ୍କ ଦେଲେ ସଙ୍କେତ

ନୂଆଦିଲ୍ଲୀ: ଟ୍ୱିଟରରେ ଏଣିକି ବ୍ଲୁ ଟିକ୍ ବ୍ୟବହାର ପାଇଁ ଚାର୍ଜ ଲାଗିବ ।‌‌ ଏହି ସୋସିଆଲ ମିଡ଼ିଆ କମ୍ପାନୀର ନୂଆ ମାଲିକ ତଥା ସିଇଓ ଏଲନ୍ ମସ୍କ ଏହା ସ୍ପଷ୍ଟ କରିଛନ୍ତି । ଆରମ୍ଭରୁ ଟ୍ୱିଟର ବିଶିଷ୍ଟ ବ୍ୟକ୍ତି ଏବଂ ସଂଗଠନକୁ ବ୍ଲୁ ଟିକ୍ ପ୍ରଦାନ କରିଆସୁଥିଲା, ଯାହା ଦ୍ଵାରା ସମ୍ପୃକ୍ତ ବ୍ୟକ୍ତି/ସଂସ୍ଥାର ଆକାଉଣ୍ଟ ଭେରିଫାଏଡ୍ ବା ଅସଲି ବୋଲି ଜଣାପଡିବ । ଧୀରେ ଧୀରେ ଏହି ବ୍ଲୁ ଟିକ୍ ସୋସିଆଲ ମିଡିଆ ଜଗତରେ ଏକ ସମ୍ମାନର ମାନକ ପାଲଟିଥିଲା । ଏହା ମଧ୍ୟ ସମ୍ପୂର୍ଣ୍ଣ ମାଗଣା ଥିଲା ।

ହେଲେ ମସ୍କ ଟ୍ୱିଟର କିଣିବା ପରେ ସେ ବ୍ଲୁ ଟିକ୍ କୁ ଏକ ପେଡ୍ ସର୍ଭିସରେ ପରିଣତ କରିପାରନ୍ତି ବୋଲି ଚର୍ଚ୍ଚା ହେଉଥିଲା । ଏନେଇ ଏବେ ଟ୍ବିଟର ମାଲିକ ମସ୍କ ନିଜେ ସ୍ପଷ୍ଟ କରିଛନ୍ତି । ହେଲେ ମସ୍କଙ୍କ ଏପରି ପଦକ୍ଷେପକୁ ଅନେକେ ୟୁଜର ବିରୋଧ କରିଛନ୍ତି ।

ଆମେରିକୀୟ ଲେଖକ ଷ୍ଟିଫେନ୍ କିଙ୍ଗ ଟ୍ୱିଟ୍ କରି କହିଛନ୍ତି – ‘ବ୍ଲୁ ଟିକ୍ ପାଇଁ ମୋତେ ଯଦି ପ୍ରତି ମାସରେ ୨୦ ଡଲାର ଖର୍ଚ୍ଚ କରିବାକୁ ପଡ଼ିବ, ତେବେ ମୁଁ ଏହି ପ୍ଲାଟଫର୍ମ ଛାଡ଼ିଦେବି ।”

ଏହାର ଉତ୍ତର ଦେଇ ଏଲନ୍ ମସ୍କ ଲେଖିଛନ୍ତି ଯେ “ଆମକୁ ମଧ୍ୟ ଆମର ବିଲ୍ ପୈଠ କରିବାକୁ ପଡିବ, ଟ୍ୱିଟର କେବଳ ବିଜ୍ଞାପନଦାତାଙ୍କ ଉପରେ ନିର୍ଭର କରିପାରିବ ନାହିଁ। ୮ ଡଲାର ଠିକ୍ ହେବ କି? ”

ମସ୍କ ପୁଣି ଲେଖିଛନ୍ତି – “ଏହାକୁ ଲାଗୁ କରିବା ପୂର୍ବରୁ ମୁଁ ଏହି ପଦକ୍ଷେପର କାରଣଗୁଡିକ ବିସ୍ତୃତ ଭାବରେ ବର୍ଣ୍ଣନା କରିବି | ଟ୍ରୋଲ ଏବଂ ବଟ୍ (ନକଲି ଆକାଉଣ୍ଟ) ହଟାଇବା ପାଇଁ ଏହା ହେଉଛି ଏକମାତ୍ର ଉପାୟ। ”

Exit mobile version