Site icon ଆଜିକାଲି

ଆପତ୍ତିଜନକ ଟିପ୍ପଣୀ ମାମଲା : ନୂପୁର ଶର୍ମାଙ୍କ ଗିରଫ ଆବେଦନ ଖାରଜ କଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ : ନିଲମ୍ବିତ ବିଜେପି ନେତ୍ରୀ ନୂପୁର ଶର୍ମାଙ୍କୁ ସୁପ୍ରିମକୋର୍ଟରୁ ବଡ ଆଶ୍ବସ୍ତି । ପ୍ରଫେଟ ମହମ୍ମଦଙ୍କ ବିରୋଧରେ ଆପତ୍ତିଜନକ ଟିପ୍ପଣୀ ଦେବା ମାମଲାରେ ତାଙ୍କୁ ଗିରଫ କରିବା ପାଇଁ ହୋଇଥିବା ଆବେଦନକୁ ଖାରଜ କରିଦେଇଛନ୍ତି ସୁପ୍ରିମକୋର୍ଟ । କୋର୍ଟ ଏହି ଆବେଦନକୁ ବିଚାର ପାଇଁ ଗ୍ରହଣ କରିବାକୁ ମନା କରିଦେଇଛନ୍ତି । ପ୍ରଧାନ ବିଚାରପତି ଜଷ୍ଟିସ ୟୁୟୁ ଲଳିତ, ଜଷ୍ଟିସ ଏସ ରବିନ୍ଦ୍ର ଭଟ ଏବଂ ପିଏସ ନରସିଂହାଙ୍କୁ ନେଇ ଗଠିତ ଖଣ୍ଡପୀଠ ଆବେଦନକାରୀଙ୍କୁ କହିଥିଲେ ଯେ, ”ଏହିଭଳି ପ୍ରସଙ୍ଗରେ ନିର୍ଦ୍ଦେଶ ଦେବା ବେଳେ କୋର୍ଟ ବେଶ୍ ସତର୍କ ରହିବା ଆବଶ୍ୟକ । ହୁଏତ ଘଟଣାଟି ଅଧିକ ସହଜ ଓ ସରଳ ମନେ ହେଉଛି । କିନ୍ତୁ ଏହାର ପରିମାଣ ସୁଦୂର ପ୍ରସାରୀ ରହିଛି । ତେଣୁ ଆମେ ଆପଣଙ୍କୁ ଆବେଦନ ପ୍ରତ୍ୟାହାର କରିବାକୁ ପରାମର୍ଶ ଦେଉଛୁ ।”

ଖଣ୍ଡପୀଠ ଘଟଣାରେ ହସ୍ତକ୍ଷେପ କରିବାକୁ ମନା କରିବା ପରେ ଆବେଦନକାରୀ ଆବେଦନ ପ୍ରତ୍ୟାହାର କରିନେବା ସହ ଏହା ଖାରଜ ହୋଇଯାଇଛି । କହିରଖୁଛୁ କି, ଅବୁ ସୋହେଲ ନାମକ ଓକିଲ ଏ ସମ୍ପର୍କିତ ପିଟିସନ ସୁପ୍ରିମକୋର୍ଟରେ ଦାୟର କରିଥିଲେ । ପ୍ରଫେଟ ମହମ୍ମଦ ବିରୋଧି ଟିପ୍ପଣୀ ପାଇଁ ନୂପୁର ଶର୍ମାଙ୍କ ବିରୁଦ୍ଧରେ ବିଭିନ୍ନ ଏକାଧିକ ମାମଲା ରୁଜୁ ହୋଇଛି । କିନ୍ତୁ ଏହାସତ୍ତ୍ବେ ମଧ୍ୟ ପୋଲିସ ତାଙ୍କ ବିରୁଦ୍ଧରେ କୌଣସି ପ୍ରକାର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନାହିଁ । ତେଣୁ ଏହି ଘଟଣାର ସ୍ବାଧୀନ ଓ ନିରପେକ୍ଷ ତଦନ୍ତ ସହ ତାଙ୍କୁ ଗିରଫ ପାଇଁ ନିର୍ଦ୍ଦେଶ ଦିଆଯାଉ ବୋଲି ଆବେଦନକାରୀ ଓକିଲ ପିଟିସନରେ କହିଥିଲେ ।
ତେବେ ପୂର୍ବରୁ ମଧ୍ୟ ସୁପ୍ରିମକୋର୍ଟରୁ ନୂପୁର ଶର୍ମାଙ୍କୁ ବଡ ଆଶ୍ବସ୍ତି ମିଳିଥିଲା । ପ୍ରଫେଟ ମହମ୍ମଦ ଟିପ୍ପଣୀ ନେଇ ଦେଶର ବିଭିନ୍ନ ସ୍ଥାନରେ ରୁଜୁ ହୋଇଥିବା ସମସ୍ତ ଏଫଆଇଆରକୁ ସୁପ୍ରିମକୋର୍ଟ ଦିଲ୍ଲୀକୁ ସ୍ଥାନାନ୍ତର କରିଥିଲେ । ଏଠାରେ ପ୍ରକାଶଥାଉ କି, ଏକ ଟିଭି ଡିବେଟରେ ନିଲମ୍ବିତ ବିଜେପି ନେତ୍ରୀ ପ୍ରଫେଟ ମହମ୍ମଦଙ୍କ ସମ୍ପର୍କରେ ଆପତ୍ତିଜନକ ଟିପ୍ପଣୀ ଦେଇଥିଲେ । ଏହାକୁ ନେଇ କେବଳ ଦେଶ ନୁହେଁ ଅନ୍ୟାନ୍ୟ ଇସଲାମିକ ରାଷ୍ଟ୍ରରେ ମଧ୍ୟ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲା । ଦେଶରେ ବିକ୍ଷୋଭ ପ୍ରଦର୍ଶନ ସହ ହିଂସାକାଣ୍ଡ ମଧ୍ୟ ଘଟିଥିଲା । ଏହାପରେ ବିଜେପି ନୂପୁର ଶର୍ମାଙ୍କୁ ଦଳରୁ ନିଲମ୍ବିତ କରିଥିଲା ।

Exit mobile version