Site icon ଆଜିକାଲି

ଆଜି ଓଡ଼ିଶା ଏଫ୍‌ସି ଓ ହାଇଦ୍ରାବାଦ ଏଫ୍‌ସି ମୁକାବିଲା

ଭୁବନେଶ୍ବର : ଆଜି ଓଡ଼ିଶା ଏଫ୍‌ସି ଓ ହାଇଦ୍ରାବାଦ ଏଫ୍‌ସି ମୁକାବିଲା । ସୋମବାର କେରଳର ପାୟାନାଦ ଷ୍ଟାଡିୟମରେ ଏହି ମ୍ୟାଚ୍‌ ରାତି ୮.୩୦ରେ ଖେଳାଯିବ । ସୁପର କପ୍‌ ସେମିଫାଇନାଲ୍‌ ସ୍ଥାନ ନିଶ୍ଚିତ କରିବାକୁ ଗ୍ରୁପ୍‌-ବି’‌ର ନିଜ ଶେଷ ମ୍ୟାଚ୍‌‌ରେ ଓଡ଼ିଶା ଏଫ୍‌ସି ଓ ହାଇଦ୍ରାବାଦ ଏଫ୍‌ସି ମୁହାଁମୁହିଁ ହେବେ ।

ବର୍ତ୍ତମାନ ସୁଦ୍ଧା ଉଭୟ ଦଳ ୨ ଲେଖାଏଁ ମ୍ୟାଚ୍‌ ଖେଳି ୧ ବିଜୟ ଓ ୧ ଅମୀମାଂସିତରୁ ୪ ପଏଣ୍ଟ ପାଇଛନ୍ତି। ହେଲେ ଗୋଲ୍‌ ବ୍ୟାବଧାନ ଭିତ୍ତିରେ ଆଗରେ ରହି ଓଡ଼ିଶା ଏଫ୍‌ସି ଶୀର୍ଷ ସ୍ଥାନ ଦଖଲ କରିଥିଲା ବେଳେ ହାଇଦ୍ରାବାଦ ଦ୍ବିତୀୟରେ ରହିଛି। ଇଷ୍ଟବେଙ୍ଗଲ (୨ ପଏଣ୍ଟ) ଓ ଆଇଜଲ ଏଫ୍‌ସି (୦) ତୃତୀୟ ଓ ଚତୁର୍ଥ ସ୍ଥାନରେ ରହିଥିବାରୁ ଏମାନଙ୍କ ସେମିଫାଇନାଲ୍‌ ଆଶା ନାହିଁ। ହେଲେ ଓଡ଼ିଶା ଯଦି କାଲି ହାଇଦ୍ରାବାଦ ବିପକ୍ଷରେ ଡ୍ର’ କରିଦିଏ ତେବେ ସେମିଫାଇନାଲ୍‌ ଖେଳିବା ନିଶ୍ଚିତ ହେବ। କଳିଙ୍ଗ ଷ୍ଟାଡିୟମରେ ଖେଳାଯାଇଥିବା ଆଇଏସ୍‌ଏଲ୍‌ ମ୍ୟାଚ୍‌ରେ ହାଇଦ୍ରାବାଦକୁ ଓଡ଼ିଶା ହରାଇଥିଲା। ତେଣୁ ଆସନ୍ତାକାଲି ଓଡ଼ିଶା ବିଜୟ ପାଇଁ ପୂରା ଚେଷ୍ଟା କରିବ। ଉଭୟ ଦଳରେ ପ୍ରତିଭାବାନ ଖେଳାଳି ରହିଛନ୍ତି। ନିକଟରେ ଓଡ଼ିଶାକୁ ଇସାକ ରାଲ୍‌ଟେ, ଡିଏଗୋ ମୌରିସିଓ, ଭିକ୍ଟର ରଡ୍ରିଗୁଏଜ ଓ ନନ୍ଦ କୁମାର ଶେକର ସଫଳତା ଦେଇଛନ୍ତି। ସେହିପରି ହାଇଦ୍ରାବାଦ ଦଳରେ ଅଭିଜ୍ଞ ବାର୍ତ ଓଗବେଚେ ଓ ଓଦେଇ ଓନାଇନ୍ଦିଆଙ୍କ ସହ ଯୁବ ତାରକା ଆକାଶ ମିଶ୍ରା, ନିଖିଲ ପୂଜାରୀ ଓ ମହମ୍ମଦ ୟାସିର ରହିଛନ୍ତି। ତେଣୁ ସୋମବାର ମୁକାବିଲା କଡ଼ା ସଂଘର୍ଷପୂର୍ଣ୍ଣ ହେବାର ସମ୍ଭାବନା ରହିଛି।

Exit mobile version